ନୂଆଦିଲ୍ଲୀ: ଭାଗ୍ୟ କେତେବେଳେ ବଦଳିଯିବ ତାହା କାହାକୁ ବି ଜଣାନାହିଁ। ଆଉ ଠିକ୍‌ ଏହିପରି ଘଟଣା ଘଟିଛି ଯାହାକୁ ଜାଣିଲେ ଆପଣ ବି ଆଶ୍ଚଯ୍ୟ ହେବେ। ଜଣେ ଜମାଟୋ ବଏ ନିଜେ ସାଇକେଲ ଚଳାଇ ଚଳାଇ ଖାଇବା ଡେଲିଭରି ଦେଇଥିଲେ ଆଉ ଖାଇବା ଅର୍ଡର କରିଥିବା ବ୍ୟକ୍ତି ଜଣକ ତାଙ୍କୁ ଏକ ବାଇକ୍‌ ଦେଇଛନ୍ତି ଯାହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି।

ଜୁନ୍‌ ୧୪ ତାରିଖ ରାତି ପ୍ରାୟ ୧୦ ଟା ହେବ। ହାଇଦ୍ରାବାଦ୍‌ର ବାସିନ୍ଦା ରୋବିନ ମୁକେଶ ହୋଟେଲ୍‌ରୁ ଖାଇବା ଅର୍ଡର କରିଥିଲେ।ଆଉ ଏହି ଡେଲିଭରି ଦାୟିତ୍ୱ ଜୋମାଟୋର ଏକଜ୍ୟୁକିଟିଭ୍‌ ମହମ୍ମଦ ଅକିଲ ଅହମ୍ମଦଙ୍କୁ ମିଳିଥିଲା। ହେଲେ ଖାଇବା ଡେଲିଭରି କରିବା ପାଇଁ ତାଙ୍କ ପାଖରେ ଗାଡ଼ି ନଥିଲା। କିନ୍ତୁ ନିର୍ଦ୍ଧାରିତ ସମୟରେ ତାଙ୍କୁ ଖାଇବା ଅର୍ଡର କରିଥିବା ବ୍ୟକ୍ତିଙ୍କ ପାଖରେ ପହଞ୍ଚାଇବାର ଥିଲା। ହୋଟେଲଠାରୁ ଅର୍ଡ଼ର କରିଥିବା ବ୍ୟକ୍ତିଙ୍କ ଘରର ଦୂରତା ପ୍ରାୟ ୯ କିଲୋମିଟର ଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାତି ୧୦ଟା ସମୟରେ ୯ କିମିର ରାସ୍ତାକୁ ସାଇକେଲ୍‌ରେ ମାତ୍ର ୨୦ ମିନିଟ୍‌ରେ ଅତିକ୍ରମ କରିଥିଲେ ଅକିଲ୍‌। ଆଉ ନିର୍ଦ୍ଧାରିତ ସମୟରେ ଅର୍ଡର ବି ପହଂଚିଥିଲା। ଆଉ ଯେତେବେଳେ ରୋବିନ ଅକିଲ୍‌ଙ୍କୁ ଦେଖିଥିଲେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ୯ କିମି ରାସ୍ତାକୁ ମାତ୍ର ୨୦ ମିନିଟ୍‌ରେ ସାଇକେରେ ଅତିକ୍ରମ କରିଥିଲେ ଅକିଲ।

କେବଳ ଏତିକି ନୁହେଁ ସେ ରୋବିନ୍‌ ଖୁସି ହୋଇ ଅକିଲଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ। ଆଉ ତାଙ୍କର ପ୍ରଶଂସା କରିବା ସହ ଉଠାଇଥିବା ଫଟୋକୁ ଫେସବୁକ୍‌ରେ ସେୟାର ମଧ୍ୟ କରିଥିଲେ। କିନ୍ତୁ ଏହାରି ମଧ୍ୟରେ ରୋବିନ୍‌ ଅକିଲଙ୍କ ପାଇଁ ଏକ ବାଇକ୍‌ କିଣିଦେବା ଲାଗି ମନେ ମନେ ସ୍ଥିର କରିସାରିଥିଲେ ପରେ ସାଙ୍ଗମାନଙ୍କ ସହ ଏ ସମ୍ପର୍କରେ ସେ ଆଲୋଚନା ମଧ୍ୟ କରିଥିଲେ। ଆଉ ନିଜର ଇଚ୍ଛାଶକ୍ତି ବଳରେ ମାତ୍ର ୧୦ ଘଂଟା ମଧ୍ୟରେ ୬୦ ହଜାର ଟଙ୍କା ଏକାଠି କରିଥିଲେ। ପରେ ଅକିଲ୍‌ଙ୍କ ସହ ସେ  ଆଲୋଚନା କରିବା ବେଳେ ଜାଣିପାଇବାକୁ ପାଇଥିଲେ, ୨୧ବର୍ଷୀୟ ଅକିଲ ଜଣେ ଇଞ୍ଜନିୟରିଂ ଛାତ୍ର। ପରିବାରର ଆର୍ଥିକ ସ୍ଥିତି ଠିକ ନଥିବାରୁ ସେ ଗତ ବର୍ଷ ଜୋମାଟୋ ସହିତ ଯୋଡ଼ି ହୋଇଥିଲେ। ଆଉ ଗାଡ଼ି କିଣିବାକୁ ସାମର୍ଥ୍ୟ ନଥିବାରୁ ସେ ସାଇକେଲରେ ବୁଲିବୁଲି ଡେଲିଭରି କରୁଛନ୍ତି। ସମସ୍ତ କଥା ଶୁଣିବା ପରେ ରୋବିନ୍‌ ଅକିଲଙ୍କ ପାଇଁ ବାଇକ୍‌ କିଣିଦେବା ସହ ତାଙ୍କ କଲେଜ୍‌ର ଫି ମଧ୍ୟ ଭରିଥିବା ଜଣାପଡ଼ିଛି। ଥରେ ଚିନ୍ତା କରନ୍ତୁ ରୋବିନ୍‌ ଅକିଲଙ୍କୁ ଯେଉଁ ସାହାଯ୍ୟର ହାତ ବଢାଇଛନ୍ତି ତାହା ଆଜିକା ଦିନରେ କେତେ ଜଣ ଲୋକ କରିବାକୁ ଚିନ୍ତା କରୁଛନ୍ତି? ହେଲେ, ରୋବିନ୍‌ଙ୍କ ଏହି ସାହାଯ୍ୟକୁ ନେଇ ସୋସିଆଲ ମିଡ଼ିଆରେ ତାଙ୍କୁ ବେଶ୍‌ ପ୍ରଶଂସା କରାଯାଉଛି। ବର୍ତ୍ତମାନ ସମୟରେ ଅକିଲ ମଧ୍ୟ ନୂଆ ବାଇକ୍‌ରେ ଖାଇବା ଡେଲିଭରି କରୁଛନ୍ତି।

Other Stories