ଡକାୟତି ଗ୍ୟାଙ୍ଗକୁ ଅଫର : ଗୋଟିଏ AK-47 ବଦଳରେ ୨ଟି ଗାଈ
ନାଇଜର: ନାଇଜେରିଆର ଉତ୍ତର ପଶ୍ଚିମ ଜମ୍ଫାରା ପ୍ରାନ୍ତରେ ଆତଙ୍କ ରଚିଛନ୍ତି ଏକ ଡକାୟତ ଗ୍ୟାଙ୍ଗ। ସ୍ଥାନୀୟ ଲୋକଙ୍କ ସହ ପୋଲିସ ପ୍ରଶାସନର ମଧ୍ୟ ନିଦ ହଜି ଗଲାଣି ଏଇ ଡକାୟତ ଗ୍ୟାଙ୍ଗଙ୍କ ପାଇଁ। ଶେଷରେ ପୋଲିସ ଏମାନଙ୍କ ପାଇଁ ଏକ ଅଜବ ଘୋଷଣା କରିଛି। ଏହି ଘୋଷଣା ଅନୁଯାୟୀ, ପୋଲିସ ଡକାୟତ ଗ୍ୟାଙ୍ଗଙ୍କୁ ଆତ୍ମସମର୍ପଣ କରିବା ପାଇଁ କହିଛି। ଆତ୍ମସମର୍ପଣ କରିଥିବା ଅପରାଧୀଙ୍କୁ ଗୋଟିଏ ଏକ-୪୭ ବଦଳରେ ଦୁଇଟି ଲେଖାଏ ଗାଈ ଦେବ ବୋଲି ପ୍ରତିଶ୍ରୁତି ଦେଇଛି ପୋଲିସ ।
ଜମ୍ଫାରା ପ୍ରାନ୍ତର ଗଭର୍ଣ୍ଣର ବେଲୋ ମଟାବାଲ୍ଲେଙ୍କ କହିବା ଅନୁଯାୟୀ, ଏକ ଅପରାଧୀ ଜବୀନକୁ ଛାଡ଼ି ଦାୟିତ୍ୱସମ୍ପନ୍ନ ନାଗରିକ ଭାବେ ବଞ୍ଚିବାର ସୁଯୋଗ ଦେବା ପାଇଁ ସରକାର ଏପରି ଉଦ୍ୟମ କରିଛନ୍ତି।
ଏଠି କହିରଖିବୁ, ନାଇଜେରିଆର ଏହି ଅଞ୍ଚଳରେ ଫୁଲାନୀ ଚରୱାହା ସଂପ୍ରଦାୟ ରୁହନ୍ତି ଯେଉଁମାନେ ଗାଈଙ୍କୁ ଖୁବ୍ ମୂଲ୍ୟବାନ ସମ୍ପତ୍ତି ବୋଲି ଭାବିଥାନ୍ତି। ଏପରିକି ଉତ୍ତର ନାଇଜେରିଆରେ ଗୋଟିଏ ଗାଈର ମୂଲ୍ୟ ୧ ଲକ୍ଷ ନାୟରା( ୨୬୦ ଡଲାର)। ଅନ୍ୟପକ୍ଷେ ଚୋରାରେ ଗୋଟିଏ ଏକ-୪୭ ରାଇଫଲର ଦାମ୍ ୫ ଲକ୍ଷ ନାୟରା (୧୨୦୦ ଡଲାର)। ତେଣୁ ଗାଈ ଚୋରି କରିବା ପାଇଁ ଏହି ଲୋକମାନେ ଏକ ଗ୍ୟାଙ୍ଗ ତିଆରି କରି ଲୁଟପାଟ କରୁଛନ୍ତି।
ତଥାପି ଏହି ଲୁଟେରାମାନେ ଗାଈ ବିକ୍ରି କରି ଏକେ-୪୭ କିଣିଥାନ୍ତି। ଗଭର୍ଣ୍ଣର ମଟାବାଲ୍ଲେଙ୍କ କହିବା ଅନୁଯାୟୀ, ଏହି ଲୋକମାନେ ଗାଈ ବିକ୍ରି କରି ବନ୍ଧୁକ କିଣିଥାନ୍ତି। କିନ୍ତୁ ଏବେ ସେମାନେ ନିଜ କାମ ପାଇଁ ଅନୁତାପ କଲେଣି। ଅପରାଧ ଦୁନିଆକୁ ଛାଡ଼ି ସାଧାରଣ ଜୀବନଯାତ୍ରାରେ ସାମିଲ ହେବାକୁ ଚାହୁଁଛନ୍ତି। ତେଣୁ ସେମାନେ ଦୁଇଟି ଲେଖାଏ ଗାଈ ବଦଳରେ ଗୋଟିଏ ଲେଖାଏ ଏକ-୪୭ ଦେଇ ଆତ୍ମସମର୍ପଣ କରିବାକୁ ରାଜି ହୋଇଛନ୍ତି। ତେବେ ଏହି ଯୋଜନା ସଫଳ ହେବ ବୋଲି ସେ ଆଶା ରଖିଛନ୍ତି।