କୋଟିଏ ଟଙ୍କାର ଦାମୀ କାର୍‌ ଜାଳିଦେଲେ ୟୁଟ୍ୟୁବର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: କୋଟିଏ ଟଙ୍କାର ମର୍ସିଡିଜ୍‌ କାର୍‌ ଜାଳିଦେଲେ ୟୁଟ୍ୟୁବର। ଏହି ୟୁଟ୍ୟୁବର ନିଜର ୧ କୋଟି ୧୦ ଲକ୍ଷ ଟଙ୍କାର ମର୍ସିଡିଜ୍‌ କାର୍‌ରେ ନିଆଁ ଲଗାଇ ଏହାର ଭିଡିଓ କରି ନିଜେ ସୋସିଆଲ ମିଡିଆରେ ଶେଆର କରିଥିଲେ। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୋସିଆଲ ମିଡିଆରେ ମିଖାଇଲ୍‌ ଲିଟ୍‌ଭିନ୍‌ ନାମକ ଋଷର ଏହି ୟୁଟ୍ୟୁବରଙ୍କ ଫ୍ୟାନ୍ସ ସଂଖ୍ୟା ବହୁତ ଅଧିକ। ୟୁଟ୍ୟୁବରେ ତାଙ୍କର ୪.୯୭ ମିଲିୟନ ସବ୍‌ସ୍କ୍ରାଇବର ଥିବାବେଳେ ଇନ୍‌ଷ୍ଟାଗ୍ରାମରେ ମଧ୍ୟ ତାଙ୍କର ଫ୍ୟାନ୍ସଙ୍କ ସଂଖ୍ୟା ଅଧିକ। ତେବେ ତାଙ୍କ ପାଖରେ ଥିବା ଏକ ମର୍ସିଡିଜ୍‌ AMG GT63 କାର୍‌କୁ‌ ସେ ନିଜ ହାତରେ ଜାଳି ଦେଇଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ମଧ୍ୟ ସେ ଶେଆର କରିଛନ୍ତି।

ମିଖାଇଲ୍ ଶେଆର କରିଥିବା ଭିଡିଓରେ ଦେଖିବାକୁ ମିଳିଛି, ମିଖାଇଲ କଳା ରଙ୍ଗର ମର୍ସିଡିଜ୍ କାର୍‌ ଚଲାଇ ଆସି ଏହାକୁ ଏକ ଖାଲି ପଡ଼ିଆରେ ପାର୍କିଂ କରୁଛନ୍ତି। ଏହାପରେ ସେ କାର୍‌ରୁ ଓହ୍ଲାଇ ଗାଡ଼ି ଡିକିରେ ଥିବା ପେଟ୍ରୋଲ‌ ଭର୍ତ୍ତି କ୍ୟାନ୍‌ ଗୁଡ଼ିକୁ‌ ବାହାର କରି ଏହାକୁ ଗାଡ଼ି ଉପରେ ପକାଉଛନ୍ତି। କାର୍‌ରୁ କିଛି ମିଟର ଦୂରକୁ ଯାଇ ସେଠାରେ କିଛି ଖାଦ୍ୟ ଖାଉଛନ୍ତି। ଏହି ସମୟରେ ହଠାତ୍‌ ସେ ଉଠି କାର୍‌ରେ ନିଆଁ ଲଗାଇ ଦେଉଥିବା ଦେଖିବାକୁ ମିଳିଛି। ସବୁଠାରୁ ଆଶ୍ଚର୍ଯ୍ୟ କଥା, ମିଖାଇଲ୍‌ ନିଜେ ଏସବୁ ଘଟଣାର ଏକ ଭିଡିଓ କରି ଏହାକୁ ସେ ସୋସିଆଲ ମିଡିଆରେ ଶେଆର କରିଛନ୍ତି।

ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୟୁଟ୍ୟୁବରେ ୧ କୋଟିରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ୧୦ ଲକ୍ଷରୁ ଅଧିକ ଲୋକ ଏହାକୁ ଲାଇକ୍‌ କରି ସାରିଲେଣି।

ମିଖାଇଲ୍‌ ଏଭଳି ଦାମୀ କାର୍‌ରେ ନିଆଁ ଲଗାଇବା ପଛର କାରଣ ଜାଣିଲେ ଆପଣଙ୍କୁ ମଧ୍ୟ ଅଜବ ଲାଗିବ। କୁହାଯାଉଛି ଯେ, ତାଙ୍କର ଏହି କାର୍‌ ଖରାପ ହୋଇଯାଇଥିଲା। ଏହାକୁ ଠିକ୍‌ କରିବା ପାଇଁ ସେ ସର୍ଭିସ୍‌ ସେଣ୍ଟର ମଧ୍ୟ ନେଇଥିଲେ। ହେଲେ ୫ଥର ଯାକ ସର୍ଭିସ୍‌ ସେଣ୍ଟର ଏହାକୁ ଠିକ୍‌ କରିପାରିନଥିଲା। ଫଳରେ ସେ କାର୍‌ରେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି।

You might also like