ଟୁଇଟର, ଫେସ୍‌ବୁକ୍‌ ପରେ ୟୁଟ୍ୟୁବ୍‌ରୁ ବାସନ୍ଦ ହେଲେ ଟ୍ରମ୍ପ

ନୂଆଦିଲ୍ଲୀ: ଫେସ୍‌ବୁକ୍‌ ଏବଂ ଟ୍ୱିଟର ପରେ ଏବେ ୟୁଟ୍ୟୁବ ମଧ୍ୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ସପ୍ତାହ ପାଇଁ ବ୍ୟନ କରିଛି। ଆମେରିକାରେ ହିଂସାତ୍ମକ କାର୍ଯ୍ୟକଳାପକୁ ନେଇ ଚିନ୍ତା ପ୍ରକଟ କରିବା ସହ  ଅନଲାଇନ ଓ ଭିଡିଓ ପ୍ଲାଟଫର୍ମ ଏପରି ଘୋଷଣା କରିଛି।

ୟୁଟ୍ୟୁବ୍‌ ଏକ ସପ୍ତାହ ପାଇଁ ଏହି କଟକଣା ଲଗାଇଛି। ଏହାର କାରଣ ସମ୍ପର୍କରେ ଉତ୍ତର ରଖି ୟୁଟ୍ୟୁବ କହିଛି, ସେ କରିଥିବା ଯେ କୌଣସି ପୋଷ୍ଟକୁ ନେଇ ହିଂସା ବ୍ୟାପିପାରେ। ଆଗାମୀ ୭ ଦିନ ପାଇଁ ଟ୍ରମ୍ପଙ୍କ ଚ୍ୟାନେଲରେ କୌଣସି ଭିଡିଓ ଅପଲୋଡ ହୋଇପାରିବ ନାହିଁ। ଡୋନାଲ୍ଡ ଜେ ଟ୍ରମ୍ପଙ୍କ ଚ୍ୟାନେଲ ଆମ ଦ୍ୱାରା ପ୍ରଦତ୍ତ ନିୟମକୁ ଉଲ୍ଲଙ୍ଘନ କରିଛି। ବର୍ତ୍ତମାନ ଆମେରିକାରେ ଚାଲିଥିବା ହିଂସାକାଣ୍ଡ ପାଇଁ ଟ୍ରମ୍ପ ୟୁଟ୍ୟୁବରେ ଭିଡିଓ ଅପଲୋଡ କରିଥିଲେ।

ଏଠି କହିରଖିବୁ, ଜାନୁଆରୀ ୨୦ ତାରିଖ ଆମେରିକାରେ ଜୋ ବାଇଡେନ ରାଷ୍ଟ୍ରପତି ପଦପାଇଁ ଶପଥ ନେବେ। କାଳେ ଏହି ସମୟରେ କିଛି ହିଂସା ଘଟିବ ଏହି ଆଶଙ୍କାରେ ୟୁଟ୍ୟୁବ ଟ୍ରମ୍ପଙ୍କୁ ଏକ ସପ୍ତାହ ପାଇଁ ବ୍ୟାନ କରିଛି।

ସୂଚନାଥାଉ କି, ଏହା ପୂର୍ବରୁ ଟ୍ୱିଟର ଟ୍ରମ୍ପଙ୍କୁ ସ୍ଥାୟୀ ଭାବେ ବାସନ୍ଦ କରି ଦେଇଛି। ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ ମଧ୍ୟ ୨୦ ଜାନୁଆରୀ କାର୍ଯକ୍ରମ ପାଇଁ ଏହି ପ୍ରତିବନ୍ଧକ ଲଗାଇଛି। ଫେସବୁକ୍‌ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ପୁଣି ଥରେ ସୂଚନା ଦେଇ କହିଛନ୍ତି, ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ ପର୍ଯ୍ୟନ୍ତ ଡୋନାଲ୍ଡ ଟ୍ରମ୍ପ ଫେସବୁକ୍‌ ଏବଂ ଇନ୍‌ଷ୍ଟାଗ୍ରାମ ବ୍ୟବହାର କରିପାରିବେ ନାହିଁ।

ନବନିର୍ବାଚିତ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ନାହିଁ ବୋଲି ପୂର୍ବରୁ ଟ୍ୱିଟ କରି ସୂଚନା ଦେଇଥିଲେ ଟ୍ରମ୍ପ ।ଆସନ୍ତା ୨୦ ତାରିଖରେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ଜୋ ବାଇଡେନ୍। ସେପଟେ ଟ୍ରମ୍ପ ଯଦି ନିଜ ତରଫରୁ ତୁରନ୍ତ ଇସ୍ତଫା ନ ଦିଅନ୍ତି ତାଙ୍କୁ ହ୍ୱାଇଟ୍ ହାଉସ୍ ପକ୍ଷରୁ ହଟାଇ ଦିଆଯିବ ବୋଲି କହିଛନ୍ତି ହାଉସର ସ୍ପିକର ନାନ୍ସି ପେଲୋସି ।

ଜାନୁଆରୀ ୨୦ ତାରିଖ ବାଇଡେନଙ୍କ ସହ ଭାରତୀୟ ମୂଳ କମଲା ହାରିସ୍‌ ଉପରାଷ୍ଟ୍ରପତି ପଦ ପାଇଁ ଶପଥ ନେବେ। ଏହି ଶପଥ ଗ୍ରହଣ ଉତ୍ସବରେ ଭାଗ ନେବେ ନାହିଁ ବୋଲି କହି ଟ୍ରମ୍ପ ପରୋକ୍ଷରେ କ୍ଷମତା ହସ୍ତାନ୍ତରଣ ପାଇଁ ଅବଶ୍ୟ ସହମତି ପ୍ରକାଶ କରିଛନ୍ତି। ତେବେ ନର୍ବାଚନ ଫଳାଫଳକୁ ନେଇ ଏବେ ବି ତାଙ୍କ ମନରେ ବିରୋଧାଭାସ ରହିଛି। ଟ୍ରମ୍ପ ଅଭିଯୋଗ ଆଣିଛନ୍ତି ଯେ, ନିର୍ବାଚନରେ ଜାଲିଆତି କରି ବାଇଡେନ ବିଜୟୀ ହୋଇଛନ୍ତି।

ସୂଚନାଥାଉ କି, ବୁଧବାର ଟ୍ରମ୍ପ ଟୁଇଟ୍‌ କରି କହିଥିଲେ, ଆମେରିକା ନିର୍ବାଚନ ଫଳାଫଳକୁ ସେ ସ୍ୱୀକାର କରୁନାହାନ୍ତି। ସେ ତାଙ୍କ ସମର୍ଥକଙ୍କୁ ଆମେରିକା ସଂସଦ  କ୍ୟାପିଟାଲ ହିଲ୍‌ରେ ଏକାଠି ହୋଇ ବିରୋଧ ପ୍ରଦର୍ଶନ କରିବାକୁ କହିଥିଲେ। ଏହି ସମୟରେ ଆମେରିକା କଂଗ୍ରେସ  ଅର୍ଥାତ୍‌ ଆମେରିକା ରାଷ୍ଟ୍ରପତିଙ୍କୁ ନିର୍ବାଚନ କରିଥିବା ଇଲେକ୍ଟୋରାଲ କଲେଜ ବା ନିର୍ବାଚନ ପ୍ରତିନିଧି ଏକାଠି ହୋଇଥିଲେ। ଟ୍ରମ୍ପଙ୍କ ସମର୍ଥକ ସଂସଦ ପରିସର ଭିତରେ ଧସେଇ ପଶି ଯାଇଥିଲେ। ଟ୍ରମ୍ପଙ୍କ ସମର୍ଥକମାନେ କବାଟ ଝରକାର କାଚ ଭଙ୍ଗାରୁଜା କରିଥିଲେ। ଏହାକୁ ନେଇ ପୋଲିସ-ଟ୍ରମ୍ପ ସମର୍ଥକ ମୁହାଁମୁହିଁ ହୋଇଥିଲେ। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା।

You might also like