ଲକ୍ଷ୍ନୌ: କରୋନା କର୍ଫ୍ୟୁକୁ ନେଇ ଯୋଗୀ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । କୌଣସି ବି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୦ରୁ ଅଧିକ ହେଲେ କରୋନା କର୍ଫ୍ୟୁ ବଳବତ୍ତର ରହିବ । ୟୁପିର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟ ଅମିତ ମୋହନ ପ୍ରସାଦ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନୂଆ ଭାରିଏଣ୍ଟର ଭୟାବହତାକୁ ଦୃଷ୍ଟିରେ ରଖି ସଂକ୍ରମିତଙ୍କ ସଂଖ୍ୟା ୫୦୦ ଡେଇଁଲେ ପୁଣି କଟକଣାକୁ କଠୋର କରାଯିବ ବୋଲି କହିଛନ୍ତି ।

ନୂଆ ଗାଇଡଲାଇନ୍ ହିସାବରେ ସୋମବାର ସକାଳ ୭ଟାରୁ ସକାଳ ୯ ଟା ପର୍ଯ୍ୟନ୍ତ ସମସ୍ତ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି ମିଳିଛି । ତେବେ ଶନିବାର ଓ ରବିବାର ସାପ୍ତାହିକ ବନ୍ଦ ଜାରି ରହିବ । ଏହାସହ ବିବାହ ଓ ଧାର୍ମିକ ସମାରୋହ ପାଇଁ ୫୦ ଲୋକଙ୍କୁ ଅନୁମତି ଦିଆଯାଇଛି । ଅନ୍ୟପଟେ ରାଜ୍ୟରେ ସ୍ୱିମିଂ ପୁଲ, ସିନେମା ହଲ, ଗେମିଂ ଜୋନ୍ ଅଗାମୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି । ସରକାରୀ ବିଭାଗରେ କରୋନା ପ୍ରୋଟୋକଲର ପାଳନକୁ କଡ଼ାକଡ଼ି କରାଯାଇଛି । ଏହାସହ ରାଜ୍ୟବାସୀଙ୍କ ସୁବିଧା ଅସୁବିଧା ପାଇଁ ଏକ ହେଲ୍ପ ଡେସ୍କ ସ୍ଥାପନା କରାଯିବ । କଣ୍ଟେନମେଂଟ ଜୋନକୁ ଛାଡ଼ିଦେଲେ ଅନ୍ୟ ସ୍ଥାନରେ ଧାର୍ମିକ ସମାରୋହରେ ୫୦ ଜଣଙ୍କୁ ଅନୁମତି ରହିଛି ।

ଉତ୍ତରପ୍ରଦେଶରେ ବର୍ତ୍ତମାନ ସୁଦ୍ଧା ୨,୧୦,୯୭,୨୩୮ ଲୋକଙ୍କୁ କୋଭିଡ ଟିକାର ପ୍ରଥମ ଡୋଜ୍ ଦିଆଯାଇଛି। ସେଥିମଧ୍ୟରୁ ୩୯,୮୬,୫୬୪ ଲୋକ ଜଣ କରୋନାର ଦ୍ୱିତୀୟ ଡୋଜ୍ ଟିକା ନେଇସାରିଛନ୍ତି। ଏପର୍ଯ୍ୟନ୍ତ ସମୁଦାୟ ରାଜ୍ୟରେ ୨,୫୦,୮୩,୮୦୨ ଡୋଜ ଟିକାକରଣ ହୋଇଛି । ଜୁଲାଇ ୧ ରୁ ପ୍ରତିଦିନ ୧୦ ଲକ୍ଷ ଡୋଜର ଟିକାକରଣ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର । ୟୁପିରେ ୫ କୋଟି ୫୦ ଲକ୍ଷରୁ ଅଧିକ କରୋନା ପରୀକ୍ଷା କରାଯାଇଛି, ଯାହା ଦେଶରେ ସର୍ବାଧିକ ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୯୪ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୫୯୩ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଅନ୍ୟପଟେ ଗୋଟିଏ ଦିନରେ ୫୧ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ ବର୍ତ୍ତମାନ ଅଛନ୍ତି ୪ ହଜାର ୯୫୭ ସକ୍ରିୟ ସଂକ୍ରମିତ, ସେଥିମଧ୍ୟରୁ ୩ ହଜାର ୩୫୦ ସଂକ୍ରମିତ ହୋଇ ଆଇସୋଲେସନରେ ଅଛନ୍ତି । ରାଜ୍ୟରେ କରୋନା ସକ୍ରିୟ ହାର ବର୍ତ୍ତମାନ ୦.୧ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୮.୪ ପ୍ରତିଶତ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୭୩ ହଜାର ୪୨୬ ଜଣଙ୍କାର ନମୁନା ପରୀକ୍ଷା କରାଯାଇଛି ।

Other Stories