ବାପାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବେନି ଯୋଗୀ ଆଦିତ୍ୟନାଥ, ଜାଣନ୍ତୁ କାହିଁକି

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାପା ଆନନ୍ଦ ସିଂ ବିଷ୍ଟଙ୍କ ଆଜି ପରଲୋକ ହୋଇଛି। ସେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିଲେ। ଆଜି ସକାଳ ୧୦ଟା ୪୪ମିନିଟ ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ବାପାଙ୍କ ଦେହାନ୍ତ ହୋଇଥିଲେ ତାଙ୍କ ଅନ୍ତିମ ସଂସ୍କାରରେ ପୁଅ ଯୋଗୀ ଆଦିତ୍ୟନାଥ ସାମିଲ ହେବେ ନାହିଁ। ରାଜ୍ୟବାସୀ କରୋନା ବିରୋଧରେ ଲଢ଼େଇ କରୁଥିବାରୁ ସେମାନଙ୍କୁ ସହଯୋଗ କରିବା ଓ ଲକଡାଉନ ନିୟମକୁ ପାଳନ କରିବା ପାଇଁ ଯୋଗୀ, ବାପାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇପାରିବେ ନାହିଁ ବୋଲି କହିଛନ୍ତି।

ଯୋଗୀ ଆଦିତ୍ୟନାଥ ଏକ ବିବୃତିରେ କହିଛନ୍ତି, “ବାପାଙ୍କ ଦେହାନ୍ତ ଖବର ପାଇ ମୁଁ ଅତ୍ୟନ୍ତ ଦୁଃଖିତ।  ବାପା ମୋତେ ସବୁ ବେଳେ ବିଶ୍ୱସ୍ତ, କଠିନ ପରିଶ୍ରମୀ ଓ ନିଃସ୍ୱାର୍ଥ ପର ଭାବେ କାର୍ଯ୍ୟ କରିବାକୁ ପ୍ରେରଣା ଦେଉଥିଲେ। ଶେଷ ସମୟରେ ମୁଁ ବାପାଙ୍କ ସହ ରହିବାକୁ ଚାହୁଁଥିଲି। ହେଲେ ଉତ୍ତର ପ୍ରଦେଶର ୨୩ କୋଟି ଲୋକଙ୍କ ଦାୟିତ୍ୱ ମୋ କାନ୍ଧରେ ଥିବାରୁ ମୁଁ ତାଙ୍କ ପାଖରେ ଉପସ୍ଥିତ ରହିପାରିଲି ନାହିଁ। ଏବେ କରୋନା ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ହୋଇଛି। ଏହି କାରଣରୁ ମୁଁ ମୋ ବାପାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇପାରିବି ନାହିଁ।”

ସେ ଆହୁରି କହିଛନ୍ତି, “ମୁଁ ମୋ ମା’ ଓ ପରିବାର ସଦସ୍ୟଙ୍କୁ ଲକଡାଉନ କଟକଣାକୁ ମାନି ବାପାଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ଅପିଲ କରିଛି। ଲକଡାଉନ ଶେଷ ହେବା ପରେ ମୁଁ ଆପଣମାନଙ୍କ ପାଖକୁ ଯିବି।”

ଦିଲ୍ଲୀରୁ ଆନନ୍ଦଙ୍କ ମରଶରୀର ଉତ୍ତରାଖଣ୍ଡର ପାଉରିକୁ ନିଆଯିବ। ଆଜି ଯୋଗୀ ଆଦିତ୍ୟନାଥ କୋଭିଡ-୧୯କୁ ନେଇ ମିଟିଂ କରୁଥିବା ବେଳେ ବାପାଙ୍କ ଦେହାନ୍ତ ଖବର ପାଇଥିଲେ। ଏହି ଦୁଃଖଦ ଖବର ଶୁଣିଲା ପରେ ମଧ୍ୟ ସେ ମିଟିଂ ଜାରି ରଖିଥିଲେ। ହେଲେ ଯୋଗୀଙ୍କ  ଆଖିରେ ଲୁହ ଦେଖିବାକୁ ମିଳିଥିଲା।

You might also like