ଯୋଗୀ ଓ ମାୟାବତୀଙ୍କୁ ଇସିଙ୍କ ଝଟକା

ନୂଆଦିଲ୍ଲୀ: ଯୋଗୀଙ୍କୁ ନିର୍ବାଚନ କମିଶନଙ୍କ ଝଟକା। ଆସନ୍ତା ଗୁରୁବାର ଯାଏ, ୩ ଦିନ ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୌଣସି ନିର୍ବାଚନ ପ୍ରଚାର କରିପାରିବେ ନାହିଁ କି କୌଣସି ନିର୍ବାଚନୀ ସଭାରେ ଭାଷଣ ଦେଇପାରିବେ ନାହିଁ। କେବଳ ଯୋଗୀ ନୁହେଁ ମାୟାବତୀ ମଧ୍ୟ ଦୁଇ ଦିନ ପର୍ଯ୍ୟନ୍ତ ପ୍ରଚାର କରିପାରିବେ ନାହିଁ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ହିଂସା ଓ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଇ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ମାମଲାର ଶୁଣାଣି କରି ନିର୍ବାଚନ କମିଶନ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପୂର୍ବରୁ ଏଭଳି ଉତ୍ତେଜକ ଭାଷଣ ଦେଉଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ନିର୍ବାଚନ କମିଶନଙ୍କୁ ତାଗିଦ କରିଥିଲେ ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ଏ ସଂପର୍କିତ ଏକ ଆବେଦନ ଶୁଣାଣି କରିଥିଲେ। ଏହି ଶୁଣାଣିରେ ସୁପ୍ରିମକୋର୍ଟ, ଆପତ୍ତିଜନକ ଭାଷଣ ନେଇ ହେଉଥିବା ଅଭିଯୋଗ ଉପରେ କଠୋର ଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଚାର ବେଳେ ଯଦି କୌଣସି ନେତା ଆପତ୍ତିଜନକ ବା ହିଂସା ସୃଷ୍ଟି କଲା ଭଳି ବା ଉତ୍ତେଜନାମୂଳକ ଭାଷଣ ଦେଉଥିବାର ଅଭିଯୋଗ ଆସୁଛି, ଏହା ଉପରେ ତୁରନ୍ତ ଶକ୍ତ କାର୍ଯ୍ୟାନୁଷ୍ଠାନ ନିଅ ବୋଲି କୋର୍ଟ ନିର୍ବାଚନ କମିଶନଙ୍କୁ କହିଥିଲେ।

You might also like