ଯୋଗୀ ସରକାରଙ୍କ ବଡ଼ ଘୋଷଣା, ସରକାରୀ-ବେସରକାରୀ ସଂସ୍ଥା ୫୦% କର୍ମଚାରୀଙ୍କୁ ନେଇ କାମ କରିବେ

ଦେଶରେ ଅନ୍ୟ ରାଜ୍ୟ ତୁଳନାରେ ଉତ୍ତର ପ୍ରଦେଶରେ ମଧ୍ୟ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର, ୪ଟି ଜିଲ୍ଲାରେ ଥିବା ସବୁ ସରକାରୀ ଓ ବେସରକାରୀ ଅଫିସରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଯୋଗୀ ସରକାରଙ୍କ ଏହି ଆଦେଶ ପରେ ଏବେ ଅଫିସଗୁଡ଼ିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ହିଁ ନେଇ କାମ କରିବାକୁ ପଡ଼ିବ। ଯୋଗୀ ଆଦିତ୍ୟନାଥଙ୍କ ଅଫିସ ପକ୍ଷରୁ ଟ୍ୱିଟ୍ କରି ଏହି ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଲକ୍ଷ୍ନୌ, ପ୍ରୟାଗରାଜ, ବାରାଣାସୀ ଓ କାନପୁରରେ ଏମିତି କିଛି ବ୍ୟବସ୍ଥା କରାଯାଉ। ଯେଉଁଥିରେ ସରକାରୀ ତଥା ବେସରକାରୀ ଅଫିସଗୁଡ଼ିକରେ ୫୦ ପ୍ରତିଶତ କର୍ମଚାରୀ ରହି କାମ କରିବେ। ଏନେଇ ଏକ ରୋଷ୍ଟର ପ୍ରସ୍ତୁତ କରାଯାଇ ତୁରନ୍ତ ଏହାକୁ ଲାଗୁ କରାଯାଉ ବୋଲି କୁହାଯାଇଛି।

ରାଜଧାନୀ ଲକ୍ଷ୍ନୌ ଓ ବାରାଣାସୀ ସମେତ ରାଜ୍ୟର କିଛି ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ୁଥିବା ହେତୁ ଯୋଗୀ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

୧୧ ଏପ୍ରିଲଠାରୁ ଟିକା ଉତ୍ସବ

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ୧୧ ଏପ୍ରିଲ ମହତ୍ମା ଜ୍ୟୋତିବା ଫୁଲେଙ୍କ ଜୟନ୍ତୀଠାରୁ ୧୪ ଏପ୍ରିଲ ୨୦୨୧ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ପର୍ଯ୍ୟନ୍ତ ଟିକା ଉତ୍ସବ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି। ତେଣୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ପୁରା ରାଜ୍ୟରେ ଏପ୍ରିଲ ୧୧ରୁ ଟିକା ଉତ୍ସବର ଆୟୋଜନ କରାଯିବ। ଏହି ଟିକା ଉତ୍ସବରେ ରାଜ୍ୟର ବରିଷ୍ଠ ନାଗରିକଙ୍କୁ ବହୁ ସଂଖ୍ୟାରେ ଯୋଗଦେବା ପାଇଁ ଯୋଗୀ ଆହ୍ୱାନ କରିଛନ୍ତି। ଏହାର ସଫଳ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଉ ବେଲି ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି।

ନୂଆ ଯୋଜନା ଅନୁଯାୟୀ ଶନିବାର ରାଜ୍ୟରେ ଟିକାକଣ ବନ୍ଦ ରହିବ। ଟିକାକରଣକୁ ନେଇ କୌଣସି କାର୍ଯ୍ୟ କରାଯିବ ନାହିଁ। କେବଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଓ ମେଡିକାଲ କଲେଜରେ ଟିକାକରଣ କରାଯିବ। ପୁରା ରାଜ୍ୟରେ ୧୧ରୁ ୧୪ ଏପ୍ରିଲ ଯାଏଁ ଟିକା ଉତ୍ସବର ଆୟୋଜନ କରାଯିବ। ଶନିବାର ‘ଟିକା ଉତ୍ସବ’ କାର୍ଯ୍ୟକ୍ରମ ପାଇଁ ଟ୍ରେନିଂ ଦିଆଯିବ। ରାଜ୍ୟରେ ୬ ହଜାରୁ ୮ ହଜାର କେନ୍ଦ୍ରରେ ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ବ୍ୟାପକ ଭାବେ ଟିକାକରଣ କରାଯିବ।

ଟେଷ୍ଟିଂକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, କୋଭିଡ୍ ୧୯ ଟେଷ୍ଟିଂ ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ଟେଷ୍ଟିଂ ସଂଖ୍ୟା ବଢ଼ାଯିବ। ପ୍ରତ୍ୟେକ ଦିନ ଦୁଇ ଲକ୍ଷ କୋଭିଡ୍ ଟେଷ୍ଟ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସେଥିମଧ୍ୟରୁ ଦିନକୁ ୧ ଲକ୍ଷ RT-PCR ଟେଷ୍ଟ ଉପରେ ଗୁରୁତ୍ୱ ଦିଆଯିବ।

You might also like