ଦେଶ ଛାଡ଼ି ଫେରାର ହେଲେ ଆଉ ଜଣେ ବ୍ୟବସାୟୀ

ନୂଆଦିଲ୍ଲୀ: ବିଜୟ ମାଲ୍ୟା ଓ ନିରବ ମୋଦିଙ୍କ ପରେ ଦେଶ ଛାଡ଼ି ଫେରାର ହେଲେ ଆଉ ଜଣେ ବ୍ୟବସାୟୀ। ବ୍ୟାଙ୍କ୍‌ରୁ କୋଟି କୋଟି ଟଙ୍କା ଠକି ଦେଶ ଛାଡ଼ି ଫେରାର୍ ହୋଇଯାଇଥିବା ବ୍ୟବସାୟୀଙ୍କ ମଧ୍ୟରେ ନିତିନ୍‌ ସନ୍ଦେସରାଙ୍କ ନାଁ ସାମିଲ୍‌ ହୋଇଛି।

ସେ ଷ୍ଟର୍ଲିଂ ବାୟୋଟିକ୍‌ର ମାଲିକ। ବ୍ୟାଙ୍କରୁ ୫ ହଜାର କୋଟି ଟଙ୍କା ଠକି ନିତିନ୍‌ ଦେଶ ଛାଡ଼ି ନାଇଜେରିଆ ଚାଲି ଯାଇଥିବା କୁହାଯାଉଛି। ତେବେ ନିତିନଙ୍କ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ନାଇଜେରିଆ ପଳାଇଥିବା ଅନୁମାନ କରାଯାଉଥିବା ବେଳେ ଏ ନେଇ କିଛି ସ୍ପଷ୍ଟ ହୋଇନାହିଁ।

ନିତିନ୍‌ଙ୍କ ପରିବାର ବିରୋଧରେ ରେଡ୍‌ କର୍ଣ୍ଣର ନୋଟିସ୍‌ ଜାରି ହୋଇପାରେ।

ସୂଚନା ଅନୁସାରେ ଏକ ମେଡିସିନ୍ ଷ୍ଟୋରରୁ ବ୍ୟବସାୟ ଆରମ୍ଭ କରିଥିଲେ ନିତିନ୍‌। ପରେ ତେଲ, ରିଅଲ୍ ଇଷ୍ଟେଟ୍‌ ସହ ଅନେକ ବ୍ୟବସାୟ ସେ ଆରମ୍ଭ କରିଥିଲେ। ଭାରତ ସହ ନାଇଜେରିଆ, ୟୁଏଇ, ଆମେରିକାରେ ମଧ୍ୟ ସନ୍ଦେସରାଙ୍କ ବ୍ୟବସାୟ ରହିଛି। ନାଇଜେରିଆରେ ତାଙ୍କର ଏକ ତେଲ କୂଅ ଥିବା ମଧ୍ୟ କୁହାଯାଉଛି।

ସୂଚନାଯୋଗ୍ୟ, ନିତିନ୍‌ ସନ୍ଦେସରାଙ୍କ ପୂର୍ବରୁ ହୀରା ବେପାରୀ ନିରବ ମୋଦି, ମେହୁଲ ଚୋକସି ଓ ମଦ ବ୍ୟବସାୟୀ ବିଜୟ ମାଲ୍ୟା ଦେଶ ଛାଡ଼ି ଫେରାର୍‌ ହୋଇଯାଇଛନ୍ତି।

You might also like