ଚିନ୍ତା ବଢ଼ାଇଲାଣି ବ୍ରାଜିଲ୍‌ର‌ ନୂଆ କରୋନା ଭୂତାଣୁ

ନୂଆଦିଲ୍ଲୀ: SARS-CoV-2  ବ୍ରାଜିଲରେ ଚିହ୍ନଟ ଏହି ନୂଆ ଷ୍ଟ୍ରେନର କରୋନା ଭୂତାଣୁକୁ ନେଇ ବିଶ୍ୱବ୍ୟାପୀ ଉଦ୍‌ବେଗ ପ୍ରକାଶ ପାଇଛି। କାରଣ ମୂଳ ଭୂତାଣୁରେ ୧୨ ପ୍ରକାର ପରିବର୍ତ୍ତନ ଘଟି ସୃଷ୍ଟି ହୋଇଛି ଏହି ନୂଆ ଷ୍ଟ୍ରେନ୍। ବ୍ରିଟେନ୍ ଓ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ନୂଆ ଭୂତାଣୁ ପ୍ରାୟତଃ ଏକ ପ୍ରକାରର ହୋଇଥିବା ବେଳେ ବ୍ରାଜିଲ ଭୂତାଣୁ ଏମାନଙ୍କଠାରୁ କେଇଗୁଣା ଅଧିକ ମାରାତ୍ମକ ବୋଲି ସୂଚନା ମିଳିଛି।

କାରଣ ବ୍ରାଜିଲ୍ ଭୁତାଣୁ ଖୁବ୍ ଶୀଘ୍ର ସଂକ୍ରମିତ ହେଉଛି। ଏବଂ କମ୍ ବୟସର ପିଲାଙ୍କୁ ବି ଆକ୍ରାନ୍ତ କରୁଛି। ଏପଟେ ଭାରତରେ ସମସ୍ତ ୩ଟି ଷ୍ଟ୍ରେନର ରୋଗୀ ଚିହ୍ନଟ ହେବା ଚିନ୍ତା ବଢ଼ାଇଛି। ବ୍ରିଟେନ୍ ଷ୍ଟ୍ରେନର ୧୮୭ ରୋଗୀ କ୍ୱାରେଣ୍ଟିନରେ ଥିବା ବେଳେ ୪ ଜଣ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ତେବେ କିଛି ଦିନ ତଳେ ଜଣେ ବ୍ୟକ୍ତିଙ୍କ ଦେହରେ ବ୍ରାଜିଲ ଷ୍ଟ୍ରେନ ମିଳିବା ପରେ ଉଦ୍‌ବେଗ ପ୍ରକାଶ ପାଇଛି। ଏସବୁ ଦେଶରୁ ଆସୁଥିବା ଲୋକଙ୍କ ଉପରେ ସତର୍କ ଦୃଷ୍ଟି ରଖାଯାଇଥିବା କେନ୍ଦ୍ର ସରକାର କହିଛନ୍ତି।

ନୂଆ ଷ୍ଟ୍ରେନ୍‌ରେ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କର କଣ୍ଟାକ୍ଟ ଟ୍ରାସିଂ ଚାଲିଛି। ସେମାନଙ୍କର ଟେଷ୍ଟ ମଧ୍ୟ କରାଯାଉଛି ବୋଲି କେନ୍ଦ୍ର ସ୍ୱାସ୍ତ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି।

ଏପଟେ ମହାରାଷ୍ଟ୍ର ଓ କେରଳରେ ପୁଣି ସ୍ଥିତି ବେକାବୁ ହେବାରେ ଲାଗିଛି। ଏହି ରାଜ୍ୟରେ ବହୁଳ ମାତ୍ରାରେ ଚିହ୍ନଟ ପଜିଟିଭ୍‌ଙ୍କ ମଧ୍ୟରୁ କେହି ନୂଆ ଷ୍ଟ୍ରେନ ଦ୍ୱାରା ସଂକ୍ରମିତ ହୋଇଛନ୍ତି ନା ନାହିଁ ତାହା ସ୍ପଷ୍ଟ ହୋଇନି। ମହାରାଷ୍ଟ୍ର ସରକାର ପୁଣି ଥରେ ଲକ୍‌ଡାଉନ ଲଗାଇବାକୁ ଯୋଜନା କରୁଥିବା ବେଳେ ଟେଷ୍ଟିଂ, କ୍ୱାରେଣ୍ଟିନ, ଉପଯୁକ୍ତ ଚିକିତ୍ସା ଓ ସାମାଜିକ ଦୂରତ୍ୱ ପାଳନ ଉପରେ ଗୁରୁତ୍ୱ ଦେଇଛନ୍ତି ବିଶେଷଜ୍ଞ ।

ଏଣେ ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣରେ ଥିଲେ ବି ସତର୍କତା ଅବଲମ୍ବନ କରାଯିବାର ନିହାତି ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ ନୂଆ କୋଭିଡ୍ ଷ୍ଟ୍ରେନ୍‌କୁ ନେଇ ଓଡ଼ିଶାରେ ଏବେ ସେଭଳି କିଛି ଆଶଙ୍କା ନଥିବା ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି।

କୋଭିଡ୍ -୧୯ ଭୂତାଣୁରେ ଯେଭଳି ପରିବର୍ତ୍ତନ ଘଟୁଛି ୨୦୨୨ ବେଳକୁ ଏହା ଆହୁରି ଭୟଙ୍କର ଷ୍ଟ୍ରେନ ସୃଷ୍ଟି ହେବା ଆଶଙ୍କା କରାଯାଉଛି। ସେହିପରି ନୂଆ ଷ୍ଟ୍ରେନ ବିରୁଦ୍ଧରେ କୋଭିଡ୍ ଟିକା କେତେ ପ୍ରଭାବଶାଳୀ ହେବ ତାବା ବି ସ୍ପଷ୍ଟ ହୋଇନି। ତେଣୁ କୋଭିଡ୍ ନିୟମ କଡ଼ାକଡି ପାଳନ,ସଂକ୍ରମଣ ରୋକିବାର ଏକମାତ୍ର ଅସ୍ତ୍ର ବୋଲି କୁହାଯାଇଛି।

 

You might also like