ଏଠାରେ ମିଳେ ଗୋଲ୍ଡ ପ୍ଲେଟେଡ୍ ବିରିୟାନୀ; ଦାମ୍ କେତେ ଜାଣନ୍ତି ?
ନୂଆଦିଲ୍ଲୀ: ଅନ୍ୟ ସ୍ୱାଦିଷ୍ଟ ବ୍ୟଞ୍ଜନ ମଧ୍ୟରୁ ବିରିୟାନୀ ଗୋଟିଏ। ପ୍ରାୟ ସମସ୍ତଙ୍କର ପସନ୍ଦ ଏହି ଖାଦ୍ୟ । କେଉଁଠି କେଉଁ ପ୍ରକାର ବିରିୟାନୀ ମିଳୁଛି, କାହାର ସ୍ୱାଦ କେମିତି, କାହାର ଦାମ କେତେ ସେ ସବୁର ତାଲିକା ବିରିୟାନୀ ପ୍ରିୟ ଲୋକଙ୍କ ପାଖରେ ନିଶ୍ଚୟ ଥିବ । ଆମେ ଆଜି ଏକ ନୂଆ ପ୍ରକାର ବିରିୟାନୀର ସୂଚନା ଦେବାକୁ ଯାଉଛୁ । ଏହାର ଦାମ ଯେମିତି,, ସ୍ୱାଦ ମଧ୍ୟ ସେମିତି । ଆଉ ପରଷିବାର ଷ୍ଟାଇଲ ମଧ୍ୟ ସେମିତି।
ଏହି ବିରିୟାନୀର ନାଁ ଗୋଲ୍ଡ ପ୍ଲେଟେଡ ବିରିୟାନୀ (Gold Plated Biryani)। ଆଶ୍ଚର୍ଯ୍ୟ ଲାଗୁଛି ନା ? ଗୋଲ୍ଡ ପ୍ଲେଟେଡ ହାର, ମୁଦି…ଇତ୍ୟାଦିର ନାଁ ଶୁଣିଥିଲେ। ହେଲେ ଗୋଲ୍ଡ ପ୍ଲେଟେଡ ବରିୟାନୀ ପୁଣି କ‘ଣ ? ଶୁଣନ୍ତୁ ଗୋଲ୍ଡ ପ୍ଲେଟେଡ ବିରିୟାନୀର ପୂରା କାହାଣୀ।
ଦୁବାଇରେ ମିଳୁଛି ଏହି ଗୋଲ୍ଡ ପ୍ଲେଟେଡ ବିରିୟାନୀ। ସେଠାରେ ଥିବା ‘ବାମ୍ବେ ବୋରୋ’ ନାମକ ଏକ ଭାରତୀୟ ହୋଟେଲ ଏହି ବିରିୟାନୀ ପ୍ରସ୍ତୁତ କରୁଛି। ଏହା ବୋଧହୁଏ ପୃଥିବୀର ସବୁଠାରୁ ମହଙ୍ଗା ବରିୟାନୀ। ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ। ନାଁ ଯେମିତି, ଏହାର ଦାମ୍ ମଧ୍ୟ ସେମିତି। ଏହି ବିରିୟାନୀ ଖାଇବା ପାଇଁ ଆପଣଙ୍କୁ ୨୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଦୁବାଇରେ ଏହି ବିରିୟାନୀ ଥାଳି ୧୦୦୦ ଦିରହମ ଅର୍ଥାତ୍ ୧୯, ୭୦୫.୮୫ ଟଙ୍କା
କାହିଁକି ଏତେ ମହଙ୍ଗା ଏଇ ବିରିୟାନୀ ?
ଏହି ବିରିୟାନୀ ପ୍ଲେଟ୍ରେ ଚାଉଳ, ମିଟ୍ ସହ ମଟନ୍ ଚପ୍, ମିଟ୍ ବଲ୍, ଗ୍ରିଲ୍ଡ ଚିକେନ୍ ଏବଂ ବିଭିନ୍ନ ପ୍ରକାରର କବାବ ମିଳିଥାଏ। ସାଧା ଚିକେନ ବିରିୟାନୀ ଚାଉଳ, କୀମା ଚାଉଳ ଏବଂ ସଫେଦ ଏବଂ କେଶର ଚାଉଳରେ ଏହା ପ୍ରସ୍ତୁତ ହୋଇଥାଏ। ଏହି ପ୍ଲେଟ୍ରେ ବିରିୟାନୀ ସହ ସବ୍ଜି ଏବଂ ଅନ୍ୟାନ୍ୟ ବ୍ୟଞ୍ଜନ ମିଳିଥାଏ। କ୍ଷୁଧା ଅନୁସାରେ ଗୋଟିଏ ପ୍ଲେଟ ବିରିୟାନୀ ପୂରା ପରିବାର କିମ୍ବା ଅଧିକ ଲୋକ ଏହାକୁ ଖାଇ ପାରିବେ।
ତେବେ ମନରେ ପ୍ରଶ୍ନ ଆସୁଥିବ ଏହାକୁ ଗୋଲ୍ଡ ପ୍ଲେଟେଡ୍ ବିରିୟାନୀ କାହିଁକି କୁହାଯାଏ ? ଏହି ବିରିୟାନୀକୁ ରନ୍ଧାଯିବା ପରେ ଏକ ୨୩ କ୍ୟାରେଟ ସୁନାର ଏକ ଘୋଡଣୀରେ ଘୋଡାଇ ରଖା ଯାଇଥାଏ। ସେଥିପାଇଁ ଏହାର ଏପରି ନାମକରଣ କରାଯାଇଛି। ଯାହା ବି ହେଉ, ବିଶ୍ୱର ଏଇ ଦାମି ବିରିୟାନୀକୁ ନେଇ ଏବେ ସୋଶାଲ ମିଡିଆରେ ଚର୍ଚ୍ଚା।