କଶ୍ମୀରରେ ନିର୍ମାଣ ହେଲା ବିଶ୍ୱର ସବୁଠୁ ଉଚ୍ଚତମ ରେଲୱେ ବ୍ରିଜ
କଶ୍ନୀର: ଜମ୍ମୁ କାଶ୍ମୀରରେ ବିଶ୍ୱର ସବୁଠୁ ଉଚ୍ଚତମ ରେଲୱେ ବ୍ରିଜର ଅନ୍ତିମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଚେନାବ ନଦୀ ଉପରେ ନିର୍ମାଣ ହୋଇଛି ଏହି ଆର୍କ-ଟାଇପ୍ ବ୍ରିଜ୍। ଏହି ଆର୍କର ଲମ୍ବ ୪୬୭ ମିଟର। ଚେନାବ ନଦୀଶଯ୍ୟାଠାରୁ ଏହାର ଉଚ୍ଚତା ୩୫୯ ମିଟର। ପ୍ୟାରିସର ଏଫିଲ ଟାୱାର ଠାରୁ ଏହାର ଉଚ୍ଚତା ୩୫ ମିଟର ଅଧିକ ବୋଲି କୁହାଯାଉଛି।
ଏହି ବ୍ରିଜ୍ ନର୍ଦ୍ଦର୍ଣ୍ଣ ରେଲୱେର ୨୭୨ କିଲୋମିଟର ଉଦ୍ଧାମପୁର-ଶ୍ରୀନଗର-ବାରମୂଳା ରେଳ ଲିଙ୍କ୍ ପ୍ରକଳ୍ପର ଏକ ଅଂଶ ବିଶେଷ। ୧ କିଲୋମିଟର ୩୦୦ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ସେତୁ କାଶ୍ନୀର ଉପତ୍ୟକା ସହ ରାଜ୍ୟର ବିଭିନ୍ନ ବିଛିନ୍ନାଞ୍ଚଳକୁ ଯୋଗାଯୋଗ କରିବାରେ ସହାୟକ ହେବ। ସେତୁ ର୍ନିମାଣ ପାଇଁ ଇସ୍ପାତକୁ ବିଶେଷ ଭାବରେ ଚୟନ କରାଯାଇଥିଲା।
ଏଥିରେ ବ୍ୟବହୃତ ଧାତୁ ମାଇନସ୍ ୨୦ ଡିଗ୍ରୀ ସେଲସିୟସ୍ ତାପମାତ୍ରାକୁ ଏବଂ ଘଣ୍ଟା ପ୍ରତି ୨୦୦ କିଲୋମିଟରରୁ ଅଧିକ ପବନର ଗତିକୁ ପ୍ରତିରୋଧ କରିବାରେ ସକ୍ଷମ ହେବ।