କରୋନା ପ୍ରଭାବ: ଗରିବ ହେବେ ବିଶ୍ୱର ୬ କୋଟି ଲୋକ

ନୂଆଦିଲ୍ଲୀ: କରୋନା ମହାମାରୀ ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏହି ରୋଗ ଲକ୍ଷାଧିକ ଜୀବନ ନେଇ ସାରିଲାଣି। ତଥାପି ତାହାର ତାଣ୍ଡବ ସରୁନି। ଏବେ ଏକ ଗବେଷଣାରୁ ଜଣାଯାଇଛି, କରୋନ ଯୋଗୁ ବିଶ୍ୱରେ ଦାରିଦ୍ର‌୍ୟ ବୃଦ୍ଧି ପାଇବ। ବିଶ୍ୱର ପ୍ରାୟ ୬ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ ହୋଇଯିବେ। ଏମିତି ଏକ ଆକଳନ କରିଛି ବିଶ୍ୱବ୍ୟାଙ୍କ। ଦାରିଦ୍ର‌୍ୟ ସହ ଲଢ଼ିବା ପାଇଁ ବିଶ୍ୱବ୍ୟାଙ୍କ ୧୦୦ଟି ବିକାଶଶୀଳ ଦେଶକୁ ୧୬୦ ଅରବ କୋଟି ଟଙ୍କାର ସହାୟତା ଦେବାକୁ ଘୋଷଣା କରିଛି। ଏହି ସହାୟତା ୧୫ ମାସ ମଧ୍ୟରେ ମିଳିବ ବୋଲି କୁହାଯାଇଛି।

ବିଶ୍ୱ‌ବ୍ୟାଙ୍କ ଅଧ୍ୟକ୍ଷ ଡେବିଡ ମାଲପାସ୍‌ ମଙ୍ଗଳବାର ଏକ କନ୍‌‌ଫରେନ୍ସରେ କହିଛନ୍ତି, “ଏହି ମହାମାରୀ ଏବଂ ବିକଶିତ ଅର୍ଥ ବ୍ୟବସ୍ଥା ବନ୍ଦ ହେବା କାରଣରୁ ୬ କୋଟି ଅଧିକ ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲି ଯିବ। ଏପରିକି ସେମାନଙ୍କ ଜୀବନ ଧାରଣର ମାନ ଭୟଙ୍କର ଭାବେ ପ୍ରଭାବିତ ହେବ। ଏପରିକି ଗରିବି ହଟାଇବା ପାଇଁ ଆମେ ଯେତିକି ପ୍ରଗତି ପଥରେ ଆଗେଇଛେ ସେଥିରୁ ବହୁତ କିଛି ନଷ୍ଟ ହୋଇଯିବ।
ସେ କହିଛନ୍ତି, ଏପରି ବିପତ୍ତି ସମୟରେ ବିଶ୍ୱବ୍ୟାଙ୍କ ତୁରନ୍ତ ସହାୟତାର ହାତ ବଢାଇଛି, ଏବଂ ୧୦୦ଟି ଦେଶକୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଆଗେଇ ଆସିଛି। ୧୬୦ ଅରବ କୋଟିର ସହାୟତା ୧୫ ମାସ ମଧ୍ୟରେ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

ସହାୟତା ପାଇବାକୁ ଥିବା ଏହି ୧୦୦ ଦେଶରେ ପୃଥିବୀର ୭୦ ପ୍ରତିଶତ ଲୋକ ଅଛନ୍ତି। ଏଥି ମଧ୍ୟରୁ ୩୯ଟି ଆଫ୍ରିକାର ଉପ-ସହାରା କ୍ଷେତ୍ର ଅଛି।

ସେ ଆହୁରି କହିଛନ୍ତି, ଏହି କାର୍ଯ୍ୟକ୍ରମକୁ ଦେଶର ଆବଶ୍ୟକତାକୁ ଆଖିରେ ରଖି ହିସାବ କରାଯାଇଛି। ମାଲପାସ ଏକଥା ମଧ୍ୟ କହିଛନ୍ତି, ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ମଜବୁତ୍‌ ହେବ ଏବଂ ଜୀବନ ରକ୍ଷକ ଚିକିତ୍ସା ଉପକରଣ କିଣିବା ପାଇଁ ସାହାଯ୍ୟ ମିଳିବ।

You might also like