‘ମୁଣ୍ଡ ନଇଁବା ଶିଖିନି, ୨୭ରେ ମୁଁ ନିଜେ ଯିବି’

ମୁମ୍ବାଇ: ଏନ୍‌ସିପି (ନ୍ୟାସ୍‌ଲନାଲ କଂଗ୍ରେସ ନେତା) ଶରଦ ପାୱାର୍‌ଙ୍କ ନାଁରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇସିଆଇର୍(ଇସିଆଇଆର୍ ଏଫ୍‌ଆଇଆର୍‌ ସହିତ ସମାନ। ଏଥିରେ ପିଏମ୍‌ଏଲ୍‌ଏ ଆକ୍ଟ ଦ୍ୱାରା ଇଡି ଏନ୍‌ଫୋର୍ସମେଣ୍ଟ କେସ୍‌ କରିଥାଏ।) ଜାରି କରିଛି। ଏଥିସହିତ ଅଜିତ୍‌ ପାୱାର୍‌ ଆନନ୍ଦ ପାୱାର ଓ ଜୟନ୍ତ ପାଟିଲ୍‌ଙ୍କ ବିରୋଧରେ ମଧ୍ୟ ଷ୍ଟେଟ୍ କୋଅପରେଟିଭ୍ ବ୍ୟାଙ୍କ୍ ସ୍କାମ୍‌ ମାମଲାରେ ଇସିଆଇର୍ ଜାରି ହୋଇଛି।

ଏହି ଘଟଣାରେ ଶରଦ ପାୱାର କହିଛନ୍ତି, ଯେ ମହାରାଷ୍ଟ୍ର ନିର୍ବାଚନ ଚାଲୁଥିବା ବେଳେ ଇଡି ତାଙ୍କ ବିରୋଧରେ ଲଗାଇଥିବା ମାମଲାକୁ ସେ ପଢ଼ିଛନ୍ତି। ଯଦି ଏଥିରେ କୌଣସି ସତ୍ୟତା ଥାଏ, ତେବେ ସେ ଏହାକୁ ସ୍ୱାଗତ କରୁଛନ୍ତି। ସେପ୍ଟେମ୍ବର ୨୭ ତାରିଖରେ ସେ ନିଜେ ଇଡି ଅଫିସ୍‌ ଯାଇ ତାଙ୍କ ବିରୋଧରେ ହୋଇଥିବା ମାମଲା ସମ୍ପର୍କରେ ସମସ୍ତ ପ୍ରକାର ସୂଚନା ଦେବେ।

ବର୍ତ୍ତମାନ ଇଲେକ୍ସନ ସମୟ ଚାଲିଥିବାରୁ ସମୟର ବହୁତ ଗୁରୁତ୍ୱ ରହିଛି। ଆଉ ମାମାଙ୍କନ ଦାଖଲ୍‌ କରିବା ପୂର୍ବରୁ ଏହି କେସ୍‌ ଫାଇଲ୍‌ ହୋଇଛି। ତେବେ ସମ୍ବିଧାନ୍‌ ଉପରେ ପୂରା ବିଶ୍ୱାସ ରହିଛି। ମହାରାଷ୍ଟ୍ରର ଇତିହାସ ତାଙ୍କୁ ଦିଲ୍ଲୀ ଆଗରେ ମୁଣ୍ଡ ତଳକୁ ନୁଆଁଇବା ଶିଖାଇ ନାହିଁ ବୋଲି ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଶରଦ କହିଛନ୍ତି।

ତେବେ ପାୱାର୍‌ଙ୍କୁ ଇସିଆଇଆର୍‌ ଜାରି ହେବା ପରେ ଏହାକୁ ବିରୋଧ କରି ବୁଧବାର ଏନ୍‌ସିପି କର୍ମକର୍ତ୍ତାମାନେ ମୁମ୍ବାଇ ଇଡି ଅଫିସ୍‌ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏନ୍‌ସିପି ଯୁବ ମୋର୍ଚ୍ଚା ମୁଖ୍ୟ ମେହବୁବା ଶେଖ୍‌ଙ୍କ ନେତୃତ୍ୱରେ କର୍ମକର୍ତ୍ତା ବିଜେପି ବିରୋଧରେ ନାରାବାଜି କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଏହି ଘଟଣାରେ ପୁଲିସ୍‌ ୫ ଜଣଙ୍କୁ ଅଟକ ରଖିଥିବା ସୂଚନା ଦେଇଛି।

You might also like