ସାବରୀମାଳା ମନ୍ଦିରକୁ ସବୁ ବୟସର ମହିଳାମାନେ ପ୍ରବେଶ କରିପାରିବେ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଆଉ ଏକ ଐତିହାସିକ ରାୟ। କେରଳର ପ୍ରସିଦ୍ଧ ସାବରୀମାଳା ମନ୍ଦିର ଭିତରକୁ ସବୁ ବୟସର ମହିଳାଙ୍କୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ପାଞ୍ଚ ଜଣ ବିଚାରପତିଙ୍କ ମଧ୍ୟରୁ ୪ ଜଣ ମହିଳାଙ୍କ ସପକ୍ଷରେ ମତ ଦେଇଥିଲା ବେଳେ ଜଣେ ବିଚାରପତି ସାବରୀମାଳା ମନ୍ଦିରର ଯୁକ୍ତି ସପକ୍ଷରେ ମତ ଦେଇଥିଲେ।

ଏହା ସହିତ ବର୍ଷ ବର୍ଷ ଧରି ଚାଲି ଆସୁଥିବା ପରମ୍ପରାକୁ ସୁପ୍ରିମକୋର୍ଟ ଅସାମ୍ବିଧାନିକ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ୧୦ରୁ ୫୦ ବର୍ଷର ମହିଳାଙ୍କୁ ଏହି ମନ୍ଦିରକୁ ପ୍ରବେଶ କରିବା ପାଇଁ ନିଷେଧ ଥିଲା।

କୋର୍ଟଙ୍କ ରାୟ ଶୁଣାଇ ପ୍ରଧାନ ବିଚାରପତି ଦୀପକ ମିଶ୍ର କହିଥିଲେ, ଆସ୍ଥା ନାଁରେ ଲିଙ୍ଗଗତ ବିଭେଦ ଗ୍ରହଣ କରାଯାଇପାରିବ ନାହିଁ।  ଭଗବାନ ଅୟପ୍ପାଙ୍କ ଭକ୍ତଙ୍କୁ ଭାଗ ଭାଗ କରିବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ପ୍ରଧାନ ବିଚାରପତି କହିଥିଲେ, ସମାଜରେ ପରିବର୍ତ୍ତନ ଆସିବା ଜରୁରୀ। ମହିଳାମାନଙ୍କୁ ଦୁର୍ବଳ ଓ ଅସ୍ୱଚ୍ଛ ମନେ କରି ମନ୍ଦିର ଭିତରକୁ ଯିବାକୁ ବାରଣ କରାଯାଇଥିଲା। କିନ୍ତୁ ଏବେ ଯୁଗ ବଦଳୁଛି । ତେଣୁ ଭଗବାନଙ୍କୁ ନେଇ ପୁରୁଷ ଓ ମହିଳା ଭିତରେ ଭେଦଭାବ ସମ୍ପୂର୍ଣ୍ଣ ଭୁଲ ।

କୋର୍ଟଙ୍କ ରାୟ ଆସିବା ପରେ ସାବରୀମାଳା ମନ୍ଦିର କର୍ତ୍ତୃପକ୍ଷ ରିଭ୍ୟୁ ପିଟିସନ୍ ଦାଖଲ କରିବାକୁ ନିଷ୍ପତ୍ତି ନେଇଛି।

ଅପରପକ୍ଷରେ କୋର୍ଟଙ୍କ ଏହି ଐତିହାସିକ ରାୟକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।

କେରଳର ପନ୍ଥନମଥିଟା ଜିଲ୍ଲାରେ ପଶ୍ଚିମ ପାହାଡ଼ିଆ ଅଞ୍ଚଳରେ ଅବସ୍ଥିତ  ପ୍ରସିଦ୍ଧ ସାବରୀମାଳା ମନ୍ଦିରରେ ୧୦ରୁ ୫୦ ବର୍ଷର ମହିଳାଙ୍କୁ ପ୍ରବେଶ ନିଷେଧ କରାଯାଇଥିଲା। ଏନେଇ ମନ୍ଦିର କର୍ତ୍ତୃପକ୍ଷ ଯୁକ୍ତି ଦର୍ଶାଇଥିଲେ ଯେ ମାସିକ ଋତୁସ୍ରାବ ବେଳେ ଏମାନେ ଶୁଦ୍ଧତା ବଜାୟ ରଖିପାରିବେ ନାହିଁ।

You might also like