କଟକଣା ସତ୍ତ୍ୱେ ବଢ଼ୁଛି ମହିଳା ମଦ୍ୟପଙ୍କ ସଂଖ୍ୟା, ବିଗତ ୫ ବର୍ଷରେ ଦ୍ୱିଗୁଣିତ ହେଲା ସଂଖ୍ୟା

ଅଧିକ ମଦ ପିଉଛନ୍ତି ମହିଳା

ଗୁଜରାଟ :  ଅଧିକ ମଦ ପିଉଛନ୍ତି ମହିଳା ।  କଟକଣା ସତ୍ତ୍ୱେ ବଢ଼ୁଛି ମହିଳା ମଦ୍ୟପଙ୍କ ସଂଖ୍ୟା । ଗୁଜରାଟରେ ମଦକୁ ବ୍ୟାନ୍ କରାଯାଇଥିବା ବେଳେ ବିଗତ ୫ ବର୍ଷରେ ମହିଳା ମଦ୍ୟପଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି ।୨୦୧୯-୨୦୨୦ବର୍ଷ ପାଇଁ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ (NFHS-Five) ରିପୋର୍ଟ ଆଧାରରେ ଏହି ତଥ୍ୟ ହସ୍ତଗତ ହୋଇଛି । ଗୁଜୁରାଟର ମୋଟ ୩୩,୩୪୩ ମହିଳା ଏବଂ ୫୩୫୧ ଜଣ ପୁରୁଷଙ୍କୁ ନେଇ ଏହି  ସର୍ଭେ କରାଯାଇଥିଲା । ତେବେ ସବୁଠାରୁ ରୋଚକ କଥା ହେଉଛି, ରାଜ୍ୟରେ ମହିଳା ମଦ୍ୟପଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଗତ କିଛି ବର୍ଷରେ ମଦ ପିଇବା କମାଇ ଦେଇଛନ୍ତି ୫୦ ପ୍ରତିଶତ ପୁରୁଷ ।

ସେହିପରି ୨୦୧୫ରେ ମଧ୍ୟ ଏନଏଚଏସଏଫ୍  ୨୨୯୩୨ ଓ ୬୦୧୮ ଜଣ ପୁରୁଷଙ୍କୁ ନେଇ ସର୍ଭେ କରିଥିଲା । ସେତେବେଳେ ୦.୩ ପ୍ରତିଶତ ମହିଳା ମଦ ପିଉନଥିବା ପ୍ରକାଶ କରିଥିଲେ । ତେବେ ବର୍ତ୍ତମାନ ଏହି ସଂଖ୍ୟା ବୃଦ୍ଧି ପାଇ ୦.୬ ପ୍ରତିଶତରେ ପହଞ୍ଚିଛି । ସେହିପରି ୨୦୧୫ରେ ୧୧.୧ପ୍ରତିଶତ ପୁରୁଷ ମଦ୍ୟପ ଥିଲାବେଳେ, ବର୍ତ୍ତମାନ ହ୍ରାସ ପାଇ ୫.୮ ପ୍ରତିଶତରେ ପହଞ୍ଚିଛି। ୨୦୧୫ରେ ୦.୧ପ୍ରତିଶତ ସହରୀ ମହିଳା ମଦ୍ୟପାନ କରୁଥିଲେ । କିନ୍ତୁ ୨୦୨୦ରେ ସହରୀ ମଦ୍ୟପ ମହିଳାଙ୍କ ସଂଖ୍ୟା ୦.୩ପ୍ରତିଶତ କୁ ବୃଦ୍ଧି ପାଇଛି । ସେହିଭଳି ୨୦୧୫ରେ ରାଜ୍ୟରେ ୧୦.୬ ପ୍ରତିଶତ ସହରୀ ପୁରୁଷ ମଦ୍ୟପାନ କରୁଥିବା ବେଳେ ୨୦୨୦ରେ ଏହି ସଂଖ୍ୟା ୪.୬ ପ୍ରତିଶତକୁ ହ୍ରାସ ଘଟିଛି ।

ଅନ୍ୟପଟେ ଗୁଜରାଟର ଗ୍ରାମୀଣ ଅଞ୍ଚଳରେ ୫ ବର୍ଷ ତଳେ ୦.୪ ପ୍ରତିଶତ ମହିଳା ମଦ ପିଉଥିବା ବେଳେ ଏବେ ଏହା ବଢ଼ିଯାଇ ୦.୮ ପ୍ରତିଶତରେ ପହଞ୍ଚିଛି ।  ସେହିପରି ଗ୍ରାମୀଣ ଅଞ୍ଚଳରେ ରହୁଥିବା ପୁରୁଷ ମଦ୍ୟପଙ୍କ ସଂଖ୍ୟା ୫ ବର୍ଷ ତଳେ ୧୧.୪ ପ୍ରତିଶତ ଥିବା ବେଳେ ଏବେ ଏହା ୬.୮ ପ୍ରତିଶତରେ ପହଞ୍ଚିଛି ।

ପାର୍ଟି ସଂସ୍କୃତି ପାଇଁ ମହିଳାମାନଙ୍କ ନିକଟରେ ମଦ୍ୟପାନ ପ୍ରବଣତା ବଢ଼ୁଥିବା କହିଛନ୍ତି ସମାଜ ବିଜ୍ଞାନୀ ଗୌରାଙ୍ଗ ଜାନି ।  ‘ମଧ୍ୟବିତ୍ତ ଏବଂ ଉଚ୍ଚ ମଧ୍ୟବିତ୍ତ ପରିବାରର ମହିଳାମାନେ ବର୍ତ୍ତମାନ ଏହି  ସଂସ୍କୃତିକୁ ପ୍ରୋତ୍ସାହିତ କରୁଛନ୍ତି । ଫଳରେ  ମହିଳାମାନେ ମଧ୍ୟ ମଦ୍ୟପାନ କରିବା ଆରମ୍ଭ କରିଛନ୍ତି । ପୂର୍ବରୁ ପୁରୁଷମାନେ ମଦ୍ୟପାନ କରୁଥିଲେ। ବର୍ତ୍ତମାନ ପାରିବାରିକ ପାର୍ଟିରେ ମଦ୍ୟପାନ କରିବାର ଧାରା ବୃଦ୍ଧି ପାଇଥିବାରୁ ମହିଳା ମଦ୍ୟପଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

 

You might also like