• translate
Minati Mishra

କାଠମାଣ୍ଡୁ: ମହିଳାମାନେ ପୁରୁଷଙ୍କଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି । ସବୁ କ୍ଷେତ୍ରରେ ପୁରୁଷଙ୍କ ସହ ମହିଳା ସମକକ୍ଷ ହୋଇପାରିବେ ।  ଆଉ ଏହି କଥାକୁ ପ୍ରମାଣିତ କରିବା ପାଇଁ ଏଠି ମହିଳା ସ୍ୱାମୀଙ୍କୁ କାନ୍ଧରେ ପକାଇ ଦୌଡୁଛନ୍ତି। ଏହି ଦୃଶ୍ୟ ବେଶ ଭାଇରାଲ ହୋଇଛି ସେମାନେ ଦୌଡୁଛନ୍ତି, ହେଲେ ଝୁଣ୍ଟି ପଡ଼ୁ ନାହାନ୍ତି କିମ୍ବା ନିଜ ଉପରୁ ନିୟନ୍ତ୍ରଣ ହରାଉନାହାନ୍ତି। ଘଟଣା ଘଟିଛି ନେପାଳରେ।  ଲିଙ୍ଗଗତ ବୈଷମ୍ୟ ଦୂର କରିବା ଉଦ୍ଦେଶ୍ୟରେ ନେପାଳ ତାନାହନ୍ ଅଞ୍ଚଳରେ ଆୟୋଜିତ ହୋଇଛି ନିଆରା ପ୍ରତିଯୋଗିତା। ପ୍ରତିଯୋଗିତାର ନିୟମ ଅନୁଯାୟୀ ମହିଳାମାନେ ନିଜ ନିଜ ସ୍ୱାମୀଙ୍କୁ କାନ୍ଧରେ ବୋହି ଦୌଡ଼ିବେ ।

ଏହି ନିଆରା ଦୌଡ଼ ପ୍ରତିଯୋଗିତାରେ ନିଜ ନିଜ ସ୍ୱାମୀଙ୍କୁ କାନ୍ଧରେ ବୋହି ଦୌଡୁଛନ୍ତି ମହିଳା । ଫୁଲ୍ ଦମ୍‌ରେ, ଫୁଲ୍ ଜୋସ୍‌ରେ..। ମହିଳାଙ୍କର ଏପରି ଶକ୍ତି ଏବଂ ଉତ୍ସାହ ଦେଖିଲେ କେହି କହିବେନି ନାରୀ କେବେ ଅବଳା...ଦୁର୍ବଳା ବୋଲି।  ନେପାଳ ତାନାହନ୍ ଅଞ୍ଚଳରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆୟୋଜନ କରାଯାଇଥିଲା ଏହି ନିଆରା ପ୍ରତିଯୋଗିତା। ମହିଳାମାନେ ନିଜ ସ୍ୱାମୀଙ୍କୁ କାନ୍ଧରେ ବୋହି ଦୌଡ଼ିବା ପରେ ଗର୍ବ ଅନୁଭବ କରିବା ସହ ଆତ୍ମବିଶ୍ୱାସ ମଧ୍ୟ ବଢ଼ିଥିବା କହିଛନ୍ତି ।

ଲିଙ୍ଗଗତ ବୈଷମ୍ୟ ଦୂର କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିଆଯାଇଥିଲା ଏଭଳି ପଦକ୍ଷେପ । ଦେବଘାଟ ଗାଁରେ ଥିବା ଏକ ସ୍କୁଲ ପରିସରରେ ଆୟୋଜିତ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ୧୬ ଯୋଡ଼ା ଦମ୍ପତି । ବୟସ ଅନୁସାରେ ବିଭିନ୍ନ ବର୍ଗରେ ଆୟୋଜିତ ହୋଇଥିଲା ୧୦୦ ମିଟର ଦୌଡ଼ ପ୍ରତିଯୋଗିତା । ସମସ୍ତ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯିବା ସହ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉତ୍ସାହିତ କରାଯାଇଛି।

ଏହା ଏକ ସୌହାର୍ଦ୍ଦପୂର୍ଣ୍ଣ ମ୍ୟାଚ୍‌। ବିଜେତାଙ୍କୁ ପୁରସ୍କାର ସ୍ୱରୂପ କୌଣସି ପ୍ରକାର ଅର୍ଥ ଦିଆଯିବନି ବୋଲି ଭିଲେଜ କାଉନ୍‌ସିଲ ପକ୍ଷରୁ ଘୋଷଣା କରାଯାଇଛି। ତେବେ ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ସହ ସମ୍ମାନିତ କରାଯିବ। ଏହି ପ୍ରତିଯୋଗିତା ଦ୍ୱାରା ମହିଳାମାନେ ତାଙ୍କର ଶକ୍ତି ପ୍ରଦର୍ଶନ କରିବାର ସୁଯୋଗ ପାଇଛନ୍ତି। କାଠମାଣ୍ଡୁଠାରୁ ଦେଢଶହ କିଲୋମିଟର ଦୂରରେ ଅନୁଷ୍ଠିତ ଏହି ପ୍ରତିଯୋଗିତାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ଲୋକ ଆସି ରୁଣ୍ଡ ହୋଇଥିଲେ ଏବଂ ଏହି ପ୍ରତିଯୋଗିତାକୁ ଉପଭୋଗ କରିଥିଲେ।

ସୂଚନାଥାଉ କି, ବଲିଉଡ୍ ଫିଲ୍ମ ଦମ୍ ଲଗାକେ ହୈସାରେ ବି ଦେଖିବାକୁ ମିଳିଥିଲା କିଛି ଏଇଭଳି ପ୍ରତିଯୋଗିତା ତେବେ ସେଥିରେ ପୁରୁଷମାନେ ନିଜ ପତ୍ନୀଙ୍କୁ ବୋହି ଦୌଡ଼ିଥିଲେ।

 

https://youtu.be/KTBYwFZEcs8

Other Stories