ଏଣିକି ଅଙ୍ଗନୱାଡ଼ି କେନ୍ଦ୍ରରେ ମିଳିବ ତାଜା ଫଳ ଓ ପନିପରିବା

ନୂଆଦିଲ୍ଲୀ:ଅଙ୍ଗନବାଡି କେନ୍ଦ୍ରରେ ଏଣିକି ପିଲା ଏବଂ ଗର୍ଭବତୀ ମହିଳାଙ୍କୁ ତାଜା ଫଳ ଏବଂ ପନିପରିବା ମିଳିବ। କେନ୍ଦ୍ର ସରକାରଙ୍କ ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରାଳୟ ଏପରି ନିଷ୍ପତି ନେଇଛନ୍ତି। ଏଥିପାଇଁ ଦେଶର ପ୍ରତି ଅଙ୍ଗନୱାଡ଼ି କେନ୍ଦ୍ରରେ ପୁଷ୍ଟିକର ଉଦ୍ୟାନ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଦେଶର ଗର୍ଭବତୀ ମହିଳା ତଥା ଛୋଟ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଦେବା ପାଇଁ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲା ଯାଇଛି। ପୂର୍ବରୁ ଏହି କେନ୍ଦ୍ରରେ ଛତୁଆ, ରନ୍ଧାଖାଦ୍ୟ ଦିଆଯାଉଥିବାବେଳେ ଏବେ ଫଳ ଓ ତଟକା ପନିପରିବା ଦିଆଯିବ। ଏଥିପାଇଁ କେନ୍ଦ୍ରରେ ଫଳ ଏବଂ ପନିପରିବା ଗଛ ଲଗାଯିବ। ସେତିକୁ ନୁହେଁ, କେନ୍ଦ୍ରରେ ବିଭିନ୍ନ ଔଷଧୀୟ ଗଛ ଏବଂ ଜଡିବୁଟି  ଚାରା ମଧ୍ୟ ଲଗାଯିବ। ଏହି ଉଦ୍ୟାନରୁ ମିଳୁଥିବା ଖାଦ୍ୟ କେନ୍ଦ୍ରକୁ ଆସୁଥିବା ଗର୍ଭବତୀ ମହିଳା, ଶିଶୁଙ୍କୁ ଦିଆଯିବ।

ମିଳିଥିବା ସୂଚନା ଅନୁସାରେ ଦେଶରେ ଅଙ୍ଗନବାଡି କେନ୍ଦ୍ରରେ ପୁଷ୍ଟିକର ଉଦ୍ୟାନକୁ ନେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। କେତେକ କେନ୍ଦ୍ରକୁ ସିଜିନାଲ ଫଳ ଏବଂ ପନିପରିବା ଲଗାଇବା ପାଇଁ କୁହାଯାଇଛି। ଆସନ୍ତା ଏକ ବର୍ଷ ମଧ୍ୟରେ ଏହାର ଫଳ ମିଳିବ ବୋଲି ମନ୍ତ୍ରାଳୟ ପକ୍ଷର କୁହାଯାଇଛି।
ସୂଚନାଥାଉ କି, ଦେଶରେ ପ୍ରାୟ ୧୩.୭୭ ଲକ୍ଷ ଅଙ୍ଗନୱାଡି କେନ୍ଦ୍ର ରହିଛି। ସରକାରୀ ତଥ୍ୟ ଅନୁଯାୟୀ, ଏହି କେନ୍ଦ୍ରରେ ୧୨.୮ ଲକ୍ଷ କର୍ମୀ କାମ କରୁଛନ୍ତି। ସେମାନେ ଏହି ଉଦ୍ୟାନର ଦେଖାରଖା କରିବେ। ଯେଉଁ କେନ୍ଦ୍ରରେ ଏପରି ଉଦ୍ୟାନ କରିବାର ସୁବିଧା ନାହିଁ ସେଠାରେ କିପରି ଏହା କରାଯାଇ ପାରିବ ତାର ବିକଳ୍ପ ବ୍ୟବସ୍ଥା ଖୋଜାଯିବ ବୋଲି କୁହାଯାଇଛି।

You might also like