ରାସ୍ତାରେ ଉଡ଼ୁଥିଲା ୫୦୦ ଟଙ୍କିଆ ନୋଟ୍‌, କେହି ଛୁଇଁଲେନି: ଶେଷରେ ପୋଲିସକୁ ଡାକିବାକୁ ପଡ଼ିଲା

ନୂଆଦିଲ୍ଲୀ:ପଇସା ପାଇବାର ଲା଼ଳସା କାହାର ବା ନାହିଁ ! ୫୦ ପଇସାର କଏନ୍‌ଟିଏ ରାସ୍ତାରେ ପଡ଼ିଥିଲେ ବି ଛାଡି ଆସିବାକୁ ମନ ହୁଏନି। ହେଲେ ଏବେ ଲାଗୁଛି ଯେମିତି ଟଙ୍କାର ଲୋଭ ମଣିଷ ମନରୁ ପୋଛି ହୋଇଯାଇଛି। ରାସ୍ତାରେ ଟଙ୍କା ଉଡୁଥିଲେ ବି ଧରିବାକୁ ହାତ ଯାଉନି । ମନରେ ପ୍ରଶ୍ନ ଉଠେ, ସତରେ କ’ଣ ମଣିଷ ଏତେ ନିର୍ଲୋଭ ହୋଇଗଲା ? ନା କରୋନା ଭୟ ?

ଗୁରୁବାର ରାଜଧାନୀ ଦିଲ୍ଲୀର କେଶବପୁରମ ଅଞ୍ଚଳର ଏକ ଗଳିରେ ୫୦୦ ଟଙ୍କା ଉଡୁଥିବା ଲୋକ ଦେଖିବାକୁ ପାଇଥିଲେ। ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଗଲା। ଏତେ ଟଙ୍କା କେଉଁଠୁ ଆସିଲା ? ହେଲେ କେହି ଉଠାଇ ନେବାକୁ ସାହାସ କରୁ ନ ଥିଲେ। କେବଳ ଘରର ଛାତ ଉପରେ ଥାଇ କିମ୍ବା ଝରକା ଭିତରୁ ଟଙ୍କାକୁ ଦେଖୁଥିଲେ।

ସମସ୍ତଙ୍କ ମନରେ ପ୍ରଶ୍ନ କେଉଁଠୁ ଆସିଲା ଏତେ ଟଙ୍କା ? କେହି କରୋନା ସଂକ୍ରମଣ ବଢାଇବା ଉଦ୍ଦେଶ୍ୟରେ ଏପରି କରୁନି ତ ? ତେବେ ସ୍ଥାନୀୟ ପୋଲିସ ପାଖରୁ ପ୍ରକୃତ କଥା ଜଣାପଡ଼ିଥିଲା। ପୋଲିସର କହିବା ଅନୁଯାୟୀ, ଗତକାଲି ଦ୍ୱିପହର ପ୍ରାୟ ସାଢେ ଗୋଟାଏ ସମୟରେ କେହି ଜଣେ ପୋଲିସକୁ ଖବର ଦେଇଥିଲେ ଯେ, ଗଳିରେ କେତେଗୁଡିଏ ୫୦୦ ଟଙ୍କା ପଡିଛି । ପୋଲିସ ପହଞ୍ଚି ପୁରା ଇଲାକାକୁ ସିଲ କରିଦେଲା। ମାସ୍କ ଓ ଗ୍ଲୋବ୍‌ସ ଲଗାଇ ଏହି ନୋଟକୁ ଆଣିଥିଲା। ଏହାକୁ ସାନିଟାଇଜ କରିବା ପରେ ବ୍ୟାଗ୍‌ରେ ରଖି ଥାନାକୁ ଆଣିଥିଲା।

କିଛି ସମୟ ପରେ ଜଣେ ମହିଳା ଥାନାରେ ପହଞ୍ଚିଥିଲେ। ମହିଳା ଜଣକ ସରକାରୀ ସ୍କୁଲର ଶିକ୍ଷକ। ପୋଲିସ ଯେଉଁଠୁ ୫୦୦ ଟଙ୍କାର ନୋଟ ଗୋଟାଇ ଆଣିଥିଲା ସେହି ଗଳିର ଏକ କୋଠାରେ ସେ ରୁହନ୍ତି। ମହିଳାଙ୍କ କହିବା ଅନୁଯାୟୀ, ସେ ଏଟିଏମରୁ ୧୦ ହଜାର ଟଙ୍କା ଉଠାଇଥିଲେ। କରୋନା ଭୟରେ ସେ ସବୁ ଟଙ୍କାକୁ ଆଣି ଧୋଇଥିଲେ। ପରେ ଏହାକୁ ସାନିଟାଇଜ କରି ବାଲ୍‌କୋନିରେ ଶୁଖାଇଥିଲେ।

ହେଲେ ଏହି ସମୟରେ ତାଙ୍କର ଆଖି ଲାଗି ଯାଇଥିଲା। ଆଉ ତା‘ ପରେ ଯାହା ସବୁ ଘଟିଥିଲା ସେ ଜାଣି ପାରି ନ ଥିଲେ। ପରେ ଟଙ୍କା ଗଣିବାରୁ ଜାଣିବାକୁ ପାଇଥିଲେ ଯେ ସେଥିରୁ ୩ଟି ୫୦୦ ଟଙ୍କା ଟଙ୍କିଆ ନୋଟ ନାହିଁ। ପୋଲିସ ଏଟିଏମ ସ୍ଲିପ ଓ ନୋଟର ସିରିଜ ମିଶାଇବା ପରେ ମହିଳାଙ୍କୁ ସେହି ଟଙ୍କା ଫେରସ୍ତ ଦେଇଥିଲା।

You might also like