ବିବାଦୀୟ ରାୟ ପାଇଁ ବିଚାରପତିଙ୍କ ପାଖକୁ କଣ୍ଡୋମ ପଠାଇଲେ ମହିଳା

ମୁମ୍ବାଇ: ଅହମଦାବାଦର ଦେବଶ୍ରୀ ତ୍ରିବେଦୀ ନାମକ ଜଣେ ମହିଳା ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତିଙ୍କ ପାଖକୁ ପଠାଇଛନ୍ତି ୧୫୦ଟି କଣ୍ଡୋମ। ତାଙ୍କ ଅଫିସ୍‌ ଠିକଣାକୁ ମଧ୍ୟ କଣ୍ଡୋମ ପଠାଇଥିବା ଦେବଶ୍ରୀ ସୂଚନା ଦେଇଛନ୍ତି। ବିଚାରପତିଙ୍କ ରାୟକୁ ଭୁଲ୍ ଦର୍ଶାଇ ବିକ୍ଷୋଭ ପ୍ରଦର୍ଶନ କରି ସେ ଏପରି କରିଥିବା କହିଛନ୍ତି।

ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଜଷ୍ଟିସ୍‌ ପୁଷ୍ପା ଭି, ଗନେଦିୱାଲ୍‌ ନିକଟରେ ପୋକ୍ସୋ ଆକ୍ଟରେ ଆସୁଥିବା ଏକ ମାମଲାରେ ବିଚାର କରୁଥିବା ବେଳେ ଏକ ବିବାଦୀୟ ରାୟ ଶୁଣାଇଥିଲେ। ଯାହାକୁ ଘୋର୍‌ ବିରୋଧ କରିଥିଲେ ଦେବଶ୍ରୀ। ନିଜକୁ ରାଜନୈତିକ ସମୀକ୍ଷକ ବୋଲି ପରିଚୟ ଦେଉଥିବା ଦେବଶ୍ରୀ ଏନେଇ କହିଛନ୍ତି ଯେ ୧୨ଟି ଭିନ୍ନ ଭିନ୍ନ ସ୍ଥାନକୁ ସେ କଣ୍ଡୋମ ପଠାଇଛନ୍ତି। ସେଥିରେ ବିଚାରପତି ଗନେଦିୱାଲ୍‌ଙ୍କ ଚ୍ୟାମ୍ବର, ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚର ରେଜିଷ୍ଟ୍ରି ଅଫିସ୍‌ ବି ରହିଛି।

ତା ସହିତ ତ୍ରିବେଦୀ କହିଛନ୍ତି ମୁଁ ଅନ୍ୟାୟକୁ ବରଦାସ୍ତ କରିପାରିବି ନାହିଁ। ବିଚାରପତି ଗନେଦିୱାଲ୍‌ଙ୍କ ରାୟ ପାଇଁ ଜଣେ ନାବାଳିକା ନ୍ୟାୟ ପାଇପାରିଲେ ନାହିଁ। ତେଣୁ ଗନେଦିୱାଲ୍‌ଙ୍କୁ ନିଲମ୍ବିତ କରାଯାଉ ବୋଲି ମୁଁ ଦାବି କରୁଛି।

ଜାନୁଆରୀ ୧୯ ତାରିଖରେ ଜଣେ ନାବାଳିକାଙ୍କ ଉପରେ ହୋଇଥିବା ଯୌନଆକ୍ରମଣ ମାମଲାରେ ଶୁଣାଣି କରିଥିଲେ ବିଚାରପତି ପୁଷ୍ପା ଭି ଗନେଦିୱାଲ୍‌। ଏହି ମାମଲାରେ ଅଭିଯୁକ୍ତ ବ୍ୟକ୍ତି ପୋଷାକ ପିନ୍ଧିଥିବା ଜଣେ ନାବାଳିକାଙ୍କ ଛାତିରେ ହାତ ମାରିଥିଲା। ଏହି ଘଟଣାରେ ରାୟ ଶୁଣାଇ ବିଚାରପତି ଗନେଦିୱାଲ୍‌ କହିଥିଲେ ଯେ ଚର୍ମକୁ ଚର୍ମ ସ୍ପର୍ଶ ନହେଲେ ପୋକ୍ସୋ ଆକ୍ଟରେ ଏହା ଯୌନ ନିର୍ଯାତନା ବୋଲି ବିଚାର କରାଯିବ ନାହିଁ। କୋର୍ଟଙ୍କର ଏହି ରାୟକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ଦେବଶ୍ରୀ ତ୍ରିବେଦୀ।

ଫେବ୍ରୁଆରୀ ୯ ତାରିଖରେ ଦେବଶ୍ରୀ କଣ୍ଡୋମ ପଠାଇଥିଲେ। ସେଥିମଧ୍ୟରୁ କିଛି ଲୋକ ତାଙ୍କୁ ଏହାର ଉତ୍ତର ବି ଦେଇଥିଲେ।ତେବେ ଜଣେ ମହିଳା ହିସାବରେ ଏପରି କରି ସେ କୌଣସି ଭୁଲ୍ କରି ନାହାନ୍ତି କି ଦୋଷ କରି ନାହାନ୍ତି। ଜଣେ ମହିଳା ତାର ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିବା ନିହାତି ଦରକାର। କାରଣ ଗନେଦିୱାଲ୍‌ଙ୍କର ଏଭଳି ରାୟ ଦ୍ୱାରା ଅସାମାଜିକ ବ୍ୟକ୍ତିମାନେ ପୋଷାକ ସହିତ ଝିଅମାନଙ୍କୁ ଯୌନ ନିର୍ଯାତନା ଦେଇ ଦୋଷମୁକ୍ତ ହୋଇପାରିବେ ବୋଲି ଦେବଶ୍ରୀ କହିଛନ୍ତି।

ଗନେଦିୱାଲ୍‌ଙ୍କ କେବଳ ଏହି ଗୋଟିଏ ରାୟ ବିବାଦୀୟ ନଥିଲା। ସେ ଆହୁରି ଏକ ବିବାଦୀୟ ରାୟ ଦେଇଥିଲେ। ଘଟଣାରେ ଶୁଣାଣି ବେଳେ ସେ କହିଥିଲେ ଯେ ନାବାଳିକାର ହାତ ଧରିବା ଓ ଅଭିଯୁକ୍ତ ପେଣ୍ଟର ଚେନ୍ ଖୋଲିବା ମଧ୍ୟ ପୋକ୍ସୋ ଆକ୍ଟରେ ଯୌନ ନିର୍ଯାତନା କୁହାଯାଇପାରିବ ନାହିଁ।

ତେବେ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ରେଜିଷ୍ଟ୍ରୀ ଅଫିସ୍‌ କହିବା ଅନୁସାରେ ସେମାନେ କୌଣସି କଣ୍ଡୋମ ପକେଟ୍ ପାଇ ନାହାନ୍ତି। କିନ୍ତୁ ନାଗପୁର ବାର ଆସୋସିଏସନ୍‌ର ବରିଷ୍ଠ ଓକିଲ ଶ୍ରୀରଙ୍ଗ ଭଣ୍ଡାରକର ମହିଳାଙ୍କର ଏପରି କାର୍ଯ୍ୟ କୋର୍ଟ ସିଧାସଳଖ କୋର୍ଟଙ୍କ ଅବମାନନା ଦର୍ଶାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

You might also like