ବୟଫ୍ରେଣ୍ଡ ସହ ମିଶି ମା’କୁ ମାରିଦେଲା ଝିଅ

ହାଇଦ୍ରାବାଦ୍‌: ଦୁଇ ଜଣ ପୁରୁଷଙ୍କୁ ଏକା ସଙ୍ଗରେ ପ୍ରେମ ଜାଲରେ ଫସାଇ ସେମାନଙ୍କ ସହ ସମ୍ପର୍କ ରଖିଥିବା ଜଣେ ଯୁବତୀ ଭୟଙ୍କର କାଣ୍ଡ ଘଟାଇଛି। ଝିଅର ଏଭଳି ପ୍ରେମ ସମ୍ପର୍କକୁ ମା’ ବିରୋଧ କରିଥିଲେ। ହେଲେ ଝିଅ ଜଣଙ୍କ ତା’ ବୟଫ୍ରେଣ୍ଡ ସହ ମିଶି ମା’କୁ ସବୁଦିନ ପାଇଁ ନିଜ ରାସ୍ତାରୁ ହଟାଇ ଦେଇଛି। ଖାଲି ସେତିକି ନୁହେଁ, ମା’ର ଶବ ପାଖରେ ଝିଅ ଓ ତା’ର ବୟଫ୍ରେଣ୍ଡ ୩ ଦିନ କାଳ ରହିଥିଲେ।

ହାୟଥନଗର ବ୍ଲକ ଅନ୍ତର୍ଗତ ମୁନାଗାନୁର ଗାଁରେ ଏଭଳି ଘଟଣା ଘଟିଛି। ଘଟଣାଟି ଅକ୍ଟୋବର ୧୮ରେ ଘଟିଥିଲେ ହେଁ ପୁଲିସ୍‌ ମଙ୍ଗଳବାର ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

୧୯ ବର୍ଷୀୟ କୀର୍ତ୍ତି ରେଡ୍ଡୀ ଦୁଇ ଜଣ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ହେଲେ ଏହାକୁ ୩୯ ବର୍ଷୀୟ ମା’ ରଞ୍ଜିତା ବିରୋଧ କରୁଥିଲେ। ଏଥିପାଇଁ କୀର୍ତ୍ତି ନିଜ ମା’ଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ବୟଫ୍ରେଣ୍ଡଙ୍କ ସହ ମିଶି ଯୋଜନା କରିଥିଲା। ଅକ୍ଟୋବର ୧୮ରେ କୀର୍ତ୍ତି ଓ ତା’ ବୟଫ୍ରେଣ୍ଡ ଘରେ ଥିବା ରଞ୍ଜିତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ।

ଏହାପରେ ମୃତଦେହକୁ ଘରେ ରଖି ୩ ଦିନ ପର୍ଯ୍ୟନ୍ତ ଦୁଇ ଜଣ ଯାକ ସେଠାରେ ରହିଥିଲେ। ହେଲେ ମୃତଦେହରୁ ଦୁର୍ଗନ୍ଧ ବାହାରିବାରୁ ସେମାନେ ଏହାକୁ ରାମଣାପେଟ୍‌ ନିକଟ ରେଲୱେ ଟ୍ରାକ୍‌ରେ ଫୋପାଡ଼ି ଦେଇଥିଲେ।

କୀର୍ତ୍ତିର ବାପା ଶ୍ରୀନିବାସ ଜଣେ ଟ୍ରକ୍‌ ଡ୍ରାଇଭର। ସେ ଘରକୁ ଫେରିବା ପରେ ରଞ୍ଜିତାଙ୍କୁ ଖୋଜିଥିଲେ। ହେଲେ କୀର୍ତ୍ତି ଏହି ସମୟରେ ତାଙ୍କୁ ମିଛ କଥା କହିଥିଲେ। ରଞ୍ଜିତା କେଉଁଆଡ଼େ ଚାଲି ଯାଇଥିବା ସେ ବାପାଙ୍କୁ ବିଶ୍ୱାସ ଦେବାକୁ ଚେଷ୍ଟା କରିଥିଲା।

ହେଲେ ଶ୍ରୀନିବାସ ଏନେଇ ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲେ। ପୁଲିସ୍‌ ତଦନ୍ତ କରି କୀର୍ତ୍ତିଙ୍କୁ ଜେରା କରିଥିଲା। ଜେରା ବେଳେ କୀର୍ତ୍ତିର ବୟାନରେ ତାଳମେଳ ନ ରହିବାରୁ ପୁଲିସ୍‌ ତା’କୁ ଗିରଫ କରିଥିଲା। ଏବେ ସେ ନିଜର ଦୋଷ ସ୍ୱୀକାର କରିଛନ୍ତି।

You might also like