ପିପିଇ କିଟ୍‌ ପିନ୍ଧି ହସ୍ପିଟାଲ୍‌ରେ କରୋନା ଆକ୍ରାନ୍ତଙ୍କୁ ବାହା ହେଲେ ଯୁବତୀ

ଆଲାପ୍ପୁଝା: କଥାରେ ଅଛି, ସମୟ ଓ ଜୁଆର କାହାକୁ ଅପେକ୍ଷା କରେ ନାହିଁ, ଏପରିକି କରୋନାକୁ ମଧ୍ୟ। ବିବାହ ଶାଢ଼ୀ ବଦଳରେ ପିପିଇ କିଟ୍‌ ପିନ୍ଧି ହସ୍ପିଟାଲ୍‌ରେ କରୋନା ଆକ୍ରାନ୍ତଙ୍କୁ ବିବାହ କଲେ ଯୁବତୀ। ମହାମାରୀ କରୋନା ଯୋଗୁ  ଧୀରେ ଧୀରେ ମାନବିକତା ହଜି ଯାଉଥିବା ବେଳେ ଲୋକଙ୍କ ମଧ୍ୟରେ ପାଚେରି ହୋଇ ଛିଡ଼ା ହୋଇଛି ସଂକ୍ରମଣର ଭୟ। ଏପରିକି ନିଜ ଲୋକ ମଧ୍ୟ ପର କରି ଦେଉଛନ୍ତି। ହେଲେ ଏସବୁ ଭିତରେ ଏମିତି ଏକ ସକାରାତ୍ମକ ଘଟଣା ସାମ୍ନାକୁ ଆସିଛି। ପିପିଇ କିଟ୍‌ ପିନ୍ଧି ହସ୍ପିଟାଲ୍‌ରେ କରୋନା ଆକ୍ରାନ୍ତଙ୍କୁ ବିବାହ କରିଛନ୍ତି ଯୁବତୀ। ସମ୍ପୃକ୍ତ ଯୁବକଙ୍କ ସହ ଯୁବତୀଙ୍କର ବିବାହ ସ୍ଥିର ହୋଇଥିଲା। ହେଲେ ବିବାହ ପୂର୍ବରୁ ଯୁବକ କରୋନାରେ ଆକ୍ରାନ୍ତ ହୋଇଥିଲେ। ପରିବାର ଲୋକ ବିବାହର ଶୁଭ ମୁହୂର୍ତ୍ତରେ ବିଳମ୍ବ କରିବାକୁ ଚାହୁଁନଥିଲେ। ତେଣୁ ହସ୍ପିଟାଲ୍‌ରେ ଏକ ଛୋଟ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ବିବାହ ହୋଇଥିଲା। କେରଳର ଆଲାପ୍ପୁଝାରେ ହୋଇଥିବା ଏହି ନିଆରା ବିବାହକୁ ନେଇ ଏବେ ଚର୍ଚ୍ଚା।

ସୂଚନା ଅନୁସାରେ, ବର୍ଷକ ତଳେ ଥେକ୍କାନ୍‌ ଆର୍ୟାଡ୍‌ ନିବାସୀ ଅଭିରାମୀ ଓ ସାରଥମନ୍‌ଙ୍କ ବିବାହ ସ୍ଥିର ହୋଇଥିଲା। ବିବାହ ପୂର୍ବରୁ ସାରଥମନ୍‌ କରୋନାରେ ଆକ୍ରାନ୍ତ ହୋଇ ଆଲାପ୍ପୁଝା ବନ୍ଦନମ୍‌ ମେଡିକାଲ୍‌ କଲେଜରେ ଭର୍ତ୍ତି ହୋଇଥିଲେ। ସାରଥମନ୍‌ କୋଭିଡ୍‌ରେ ଆକ୍ରାନ୍ତ ହୋଇଥିବାରୁ ବିବାହରେ ବିଳମ୍ବ ନେଇ ଆଶଙ୍କା କରାଯାଉଥିଲା। ହେଲେ ପରିବାର ଲୋକ ବିବାହର ଶୁଭ ମୁହୂର୍ତ୍ତରେ କୌଣସି ପ୍ରକାର ବିଳମ୍ବ କରିବାକୁ ଚାହୁଁ ନଥିଲେ। ଶେଷରେ ଜିଲ୍ଲାପାଳ ଓ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କ ଅନୁମତି ପରେ ରବିବାର ଦିନ ହସ୍ପିଟାଲ୍‌ର କୋଭିଡ୍‌ ୱାର୍ଡର ଏକ ସ୍ପେଶାଲ୍‌ ରୁମ୍‌ରେ ଅଭିରାମୀ ଓ ସାରଥମନ୍‌ଙ୍କ ବିବାହ ହୋଇଥିଲା। ଅଭିରାମୀ ବିବାହ ଶାଢ଼ୀ ବଦଳରେ ପିପିଇ କିଟ୍‌ ପିନ୍ଧିବା ସହ ମୁହଁରେ ମାସ୍କ ଲଗାଇ ଥିବାବେଳେ ସାରଥମନ୍‌ ଏକ ଶର୍ଟ ପିନ୍ଧିବା ସହ ମୁହଁରେ ମାସ୍କ ଲଗାଇଥିଲେ। ଉଭୟ ତୁଳସୀ ମାଳାର ବରଣମାଳା ପରସ୍ପରକୁ ପିନ୍ଧାଇଥିଲେ। ଏହାପରେ ସାରଥମନ୍‌, ଅଭିରାମୀଙ୍କୁ ମଙ୍ଗଳ ସୂତ୍ର ପିନ୍ଧାଇଥିଲେ। ବିବାହରେ ସାରଥମନ୍‌ଙ୍କ ମା’ ଓ ଜଣେ କି ଦୁଇ ଜଣ ସମ୍ପର୍କୀୟ ଉପସ୍ଥିତ ଥିଲେ। ସାରଥମନ୍‌ଙ୍କ ମା’ କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ବିବାହ ପରେ ଅଭିରାମୀ ନିଜ ମାମୁଙ୍କ ଘରକୁ ଚାଲି ଯାଇଥିବା ବେଳେ ସାରଥମନ୍‌ ହସ୍ପିଟାଲ୍‌ରେ ରହିଥିଲେ।

ସାରଥମନ୍‌ ବାହାର ଦେଶରେ ଚାକିରି କରନ୍ତି। ବିବାହ ପାଇଁ ସେ ଘରକୁ ଆସିଥିଲେ। ଘରେ ପହଞ୍ଚିବା ପରେ ସେ ନିଜକୁ କ୍ୱାରେଣ୍ଟିନ୍‌ରେ ରଖିଥିଲେ ଓ ୧୦ ଦିନ ପର୍ଯ୍ୟନ୍ତ ତାଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ଦେଖାଦେଇନଥିଲା। ବୁଧବାର ସନ୍ଧ୍ୟାରେ ନିଶ୍ୱାସପ୍ରଶ୍ୱାସ ନେବାରେ ତାଙ୍କୁ କଷ୍ଟ ଅନୁଭବ ହୋଇଥିଲା। ଏହାପରେ ତାଙ୍କର କରୋନା ଟେଷ୍ଟ୍‌ କରାଯାଇଥିଲା ଓ ରିପୋର୍ଟ ପଜିଟିଭ୍‌ ଆସିଥିଲା। 

You might also like