ଗର୍ଭବତୀ ହେବାର ୧୫ ମିନିଟ୍‌ ପରେ ସନ୍ତାନ ଜନ୍ମ ଦେଲେ ମହିଳା

ଜାକର୍ତ୍ତା: ଦଶମାସ ଗର୍ଭରେ ଧାରଣ କରିବା ପରେ ମା’ ତାର ସନ୍ତାନକୁ ଜନ୍ମ ଦେଇଥାଏ। ଏଇ ୧୦ ମାସର ମଧୁର ଯନ୍ତ୍ରଣା ଭିତରେ ମା’ ଟିଏ ପ୍ରତି ମୁହୂର୍ତ୍ତରେ ସନ୍ତାନର ସ୍ପର୍ଶକୁ ଅନୁଭବ କରିଥାଏ। ପୁଲକିତ ହେଉଥାଏ।  ହେଲେ ତାଙ୍କ ପାଇଁ ଏସବୁ କିଛି ଘଟି ନ ଥିଲା। ନା ତାଙ୍କର ଶାରୀରିକ ପରିବର୍ତ୍ତନ ଘଟିଥିଲା ନା ସେ ଅନୁଭବ କରି ପାରିଥିଲେ ଗର୍ଭ ଯନ୍ତ୍ରଣା। ମାତ୍ର ୧୫ ମିନିଟ୍‌ରେ ସେ ଗର୍ଭବତୀ ହୋଇଥିଲେ ଏବଂ ସନ୍ତାନ ଜନ୍ମ ଦେଇଥିଲେ। ଏମିତି ଏକ କଥା ଶୁଣିଲେ ଖାଲି ଆଶ୍ଚର୍ଯ୍ୟ ଲାଗୁନି, ଅସମ୍ଭବ ଲାଗୁଛି। କିନ୍ତୁ ଏହା ସମ୍ଭବ ହୋଇଛି ଇଣ୍ଡୋନେସିଆର ଜାକର୍ତ୍ତାରେ। ବର୍ତ୍ତମାନ ମା’ ଓ ଶିଶୁ ଉଭୟେ ସୁସ୍ଥ ଅଛନ୍ତି। ଏପରିକି ମହିଳାଜଣକ ନିଜେ ବି ଏପରି ଘଟଣାରେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

ମହିଳା ଜଣକ ସ୍ଥାନୀୟ ଏକ ନ୍ୟୁଜ ଚାନେଲକୁ ସାକ୍ଷାତ ଦେଇ କହିଛନ୍ତି, ତାଙ୍କର କୌଣସି ପୁରଷଙ୍କ ସହ ଶାରୀରିକ ସମ୍ପର୍କ ନ ଥିଲା। ଶୋଇଥିବା ସମୟରେ ହଠାତ୍ ଅନୁଭବ କଲେ ଯେ ସେ ଗର୍ଭବତୀ ହୋଇଛନ୍ତି । ଏହାର ୧୫ ମିନିଟ ପରେ ସେ ସନ୍ତାନ ଜନ୍ମ ଦେଇଥିଲେ।

ଆହୁରି ପଢନ୍ତୁ : କାର୍‌ରେ କୋକେନ୍‌ ଆଣୁଥିବା ବେଳେ ବିଜେପି ଯୁବ ନେତ୍ରୀ ଗିରଫ

ନ୍ୟୁଜ ଚାନେଲକୁ ସାକ୍ଷାତ ଦେବା ବେଳେ ମହିଳା ଜଣକ କହିଛନ୍ତି, ଦ୍ୱିପହରରେ ପ୍ରାର୍ଥନା କରିବା ସାରିବା ପରେ ନିଜ ଲିଭିଙ୍ଗ ରୁମ୍‌ରେ ବିଶ୍ରାମ ନେଉଥିଲେ। ହଠାତ୍‌ ସେ ଅନୁଭବ କଲେ ଯେମିତି ତାଙ୍କ ଶରୀର ଭିତରେ ପବନ ପଶିଯାଉଛି। ଘଟଣାର ୧୫ ମିନିଟ୍‌ ପରେ ସେ ପେଟରେ ଯନ୍ତ୍ରଣା ଅନୁଭବ କଲେ ଆଉ ଏହା ପରେ ତାଙ୍କ ପେଟ ଅସ୍ୱାଭାବିକ ଭାବେ ବଢିଗଲା।

ଏହା ପରେ ମହିଳାଜଣକ ତୁରନ୍ତ ନିକଟରେ ଥିବା ଏକ ଘରୋଇ ଡାକ୍ତରଖାନାକୁ ଯାଇଥିଲେ। ସେଠାରେ ସେ ସୁସ୍ଥ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ମହିଳାଙ୍କର ଏପରି ବିଚିତ୍ର କାହାଣୀ କିଛି ସମୟ ମଧ୍ୟରେ ଭାଇରାଲ ହୋଇଥିଲା। ଏହା ପରେ  ଲୋକେ ଘଟଣାର ସତ୍ୟାସତ୍ୟ ଜାଣିବା ଉପରେ କ୍ଲିନିକ୍‌ରେ ଭିଡ ଜମାଇଥିଲେ ଏବଂ ମା’ ସହ ଶିଶୁକନ୍ୟାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ପରେ ଘଟଣାର ଛାନଭିନ୍‌ କରିବା ପରେ ଜଣାପଡ଼ିଥିଲା ଯେ, ମହିଳା ଜଣକ ବିବାହିତ । ତେବେ ସେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ରହୁଛନ୍ତି। ତାଙ୍କର ପୂର୍ବରୁ ମଧ୍ୟ ଏକ କନ୍ୟା ସନ୍ତାନ ଅଛି। ଏ ନେଇ କ୍ଲିନିକ୍‌ର ମୁଖ୍ୟ ଇମାନ ସୁଲେମାନ କହିଛନ୍ତି, ଘଟଣାର ଯାଞ୍ଚ ପରେ ଜଣାପଡ଼ିଛି, ମା’ ଏବଂ ସନ୍ତାନ ସୁସ୍ଥ ଅଛନ୍ତି। ନର୍ମାଲ ଡେଲିଭରି ହୋଇଛି। ନବଜାତ ସନ୍ତାନର ଓଜନ ୨.୯ କିଲଗ୍ରାମ ରହିଛି। ସୁଲେମାନଙ୍କ କହିବା ଅନୁଯାୟୀ, ଏହା ଏକ ‘ଗୁପ୍ତ ଗର୍ଭାବସ୍ଥା’  ମାମଲା ପରି ଲାଗୁଛି। ଏଥିପାଇଁ ମହିଳା ଜଣକ ପ୍ରସବ ପୂର୍ବରୁ ଗର୍ଭାବସ୍ଥାକୁ ଅନୁଭବ କରିପାରି ନ ଥିଲେ।

ସ୍ଥାନୀୟ ପୋଲିସ ମଧ୍ୟ ଘଟଣାର ଯାଞ୍ଚ ଆରମ୍ଭ କରି ଦେଇଛି। ଡାକ୍ତରମାନେ ମଧ୍ୟ ଏପରି ଆଶ୍ଚର୍ଯ୍ୟଜନକ ଘଟଣାର ଯାଞ୍ଚ କରୁଛନ୍ତି। ଡାକ୍ତରୀ ଟିମ୍‌ର ଯାଞ୍ଚ ରିପୋର୍ଟ ଆସିବା ପରେ ଏହାର କାରଣ ଜଣାପଡ଼ିବ।

You might also like