ମହିଳାଙ୍କୁ ଧକ୍କା ଦେଇ ଚାଲିଗଲା ଟ୍ରକ, ଆଉ ତା’ ପରେ ଘଟିଲା ଆଶ୍ଚର୍ଯ୍ୟଜନକ ଘଟଣା…

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓରେ ଦେଖିବାକୁ ମିଳୁଛି, ଏକ ଭାରୀ ଟ୍ରକ୍ ରାସ୍ତାରେ ଜଣେ ମହିଳାଙ୍କ ଉପରେ ଚଢି ଯାଉଛି। ଭୟରେ ଲୋକଙ୍କ ଆଖି ବୁଜି ହୋଇ ଯାଉଛି । ହେଲେ କେଇ ସେକେଣ୍ଡ ପରେ ଯାହା ଘଟିଲା, ତାହା ଥିଲା ଆଶ୍ଚର୍ଯ୍ୟରୁ ଆଶ୍ଚର୍ଯ୍ୟ…

ଭିଡିଓଟି ତାମିଲନାଡୁର ବୋଲି କୁହାଯାଉଛି। ହେଲେ ଭିଡିଓକୁ ଚୀନ୍‌ ମିଡିଆ ପୋର୍ଟାଲ ସିଜିଟିଏନ ଟ୍ୱିଟରରେ ଶେୟାର କରିଛି। ଘଟଣାଟି ଡିସେମ୍ବର ୨ ତାରିଖର ବୋଲି କୁହାଯାଉଛି।  ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ମହିଳା ରାସ୍ତା ଉପରେ ଛିଡା ହୋଇଛନ୍ତି। ବୋଧହୁଏ ରାସ୍ତା ପାର ହେବା ପାଇଁ ଚାରିପଟକୁ ଚାହୁଁଛନ୍ତି। ହଠାତ୍‌ ତାଙ୍କ ପଛପଟୁ ଏକ ଟ୍ରକ ଆସିଲା ଏବଂ ମହିଳା ଜଣକ ଯେଉଁଠି ଛିଡ଼ା ହୋଇଥିଲେ ଠିକ୍‌ ସେହି ଦିଗକୁ ମାଡି ଚାଲିଲା। ଦେଖଣାହାରୀ କିଛି କହିବା ପୂର୍ବରୁ ଟ୍ରକଟି ମହିଳାଙ୍କ ପାଖ ଦେଇ ଯାଇ ସାରିଲାଣି।

ଲୋକେ ଚାହିଁଥାନ୍ତି, ମହିଳା ଜଣକ ତଳେ ପଡିଗଲେ। ଟ୍ରକଟି ରାସ୍ତାର କିଛି ବାଟ ଯାଇ ଅଟକିଗଲା। ସମସ୍ତେ ଦେଖୁଥିଲେ, ଟ୍ରକର ଚକା ତଳେ ମହିଳା ପଡି ଯାଇଥିଲେ। ହେଲେ ଏହା ପରର ଘଟଣା ଦେଖି ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ଲୋକେ ଦେଖୁଥିଲେ, ଟ୍ରକଟି ଚାଲିଗଲା ପରେ ମହିଳା ଜଣକ ଉଠି ଠିଆ ହୋଇଛନ୍ତି।

ପ୍ରକୃତରେ ମହିଳାଙ୍କ ପାଖ ଦେଇ ଟ୍ରକଟି ଗଲାବେଳେ ମହିଳା ଜଣକ ପଡ଼ି ଯାଇଥିଲେ। ହେଲେ, ସୌଭାଗ୍ୟ ବଶତଃ ଚକ ତଳେ ନ ପଡ଼ି ଦୁଇ ଚକ ମଝିରେ ରହି ଯାଇଥିଲେ। ଯେହେତୁ ଟ୍ରକଟି ଉଚ୍ଚା ଥିଲା ତେଣୁ ମହିଳାଙ୍କର କିଛି ହୋଇ ନ ଥିଲା।

ପରେ ସ୍ଥାନୀୟ ପୋଲିସରେ ଟ୍ରକ ଚାଳକ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଏହି ଭିଡିଓକୁ ଏବେ ୯୬୦୦ ଭିଉଜ ମିଳିଲାଣି। କିଛି ୟୁଜର୍ସ ତ ଏହାକୁ ଭଗବାନଙ୍କ ଚମତ୍କାରିତା ବୋଲି କହୁଛନ୍ତି।


 

You might also like