ମହାମାରୀ ସହ ଲଢ଼ିବା ପାଇଁ ସହଯୋଗର ହାତ ବଢ଼ାଇଲା ଟ୍ୱିଟର

ଭାରତକୁ ୧. ୫କୋଟି ଡଲାର ସହାୟତା ରାଶି ପ୍ରଦାନ

ନୂଆଦିଲ୍ଲୀ : ଭାରତର ସଙ୍କଟ ଘଡ଼ିରେ ମହାମାରୀର ମୁକାବିଲା କରିବାକୁ ସହଯୋଗର ହାତ ବଢ଼ାଇଲା ଟ୍ୱିଟର । ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହରୀର ଭୟାବହତା ଭିତରେ ୧. ୫କୋଟି ଡଲାର ପ୍ରଦାନ କରିଛି ସୋସିଆଲ ମିଡ଼ିଆ କମ୍ପାନୀ । କରୋନାର ଦ୍ୱିତୀୟ ଲହରୀ ଭିତରେ ଦେଶରେ କେଉଁଠି ଅକ୍ସିଜେନ ସିଲିଣ୍ଡର ମିଳୁନି ତ କେଉଁଠି ହସ୍ପିଟାଲରେ ବେଡ଼ ମିଳୁନି । ପରିସ୍ଥିତିକୁ ସମ୍ଭାଳିବା ଏବେ ଦେଶ ପାଇଁ ମୁସ୍କିଲ ହୋଇଯାଇଛି । ଆଉ ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଟ୍ୱିଟର ସିଇଓ ଜ୍ୟାକ୍ ପାଟ୍ରିକ୍ ଡୋର୍ସି ସୋମବାର ଟ୍ୱିଟ୍ କରି ସହାୟତା ସମ୍ପର୍କରେ ସୂଚନା ଦେଇଛନ୍ତି ।

ତିନୋଟି ବେସରକାରୀ ସଂସ୍ଥା ଯଥା କେୟାର, ଏଡ ଇଣ୍ଡିଆ ଏବଂ ସେବା ଇଣ୍ଟରନ୍ୟାସନାଲ ୟୁଏଏସକୁ ସହାୟତା ରାଶି ପ୍ରଦାନ କରାଯାଇଛି । କେୟାରକୁ ଏକ ମିଲିୟନ ଡଲାର ଦିଆଯାଇଥିବାବେଳେ ଏଡ ଇଣ୍ଡିଆ ଏବଂ ସେବା ଇଣ୍ଟରନ୍ୟାସନାଲ ୟୁଏଏସକୁ ୨୫-୨୫ ଲକ୍ଷ ଡଲାର ଦିଆଯାଇଛି। ଟ୍ୱିଟରରୁ ମିଳିଥିବା ଏହି ଅନୁଦାନରେ ସେବା ଇଣ୍ଟରନ୍ୟାସନାଲ ‘ହେଲ୍ପ ଇଣ୍ଡିଆ ଡିଫିଟ୍ କୋଭିଡ୍ -୧୯’ ଅଭିଯାନ ଅନୁସାରେ ଅକ୍ସିଜେନ୍ , ଭେଣ୍ଟିଲେଟର, ବିପିଏପ୍(ବାଇଲେଭେଲ୍ ପଜିଟିଭ୍ ଏୟାର ପ୍ରେସର), ସିପିଏପି (କଣ୍ଟିନିଅସ ପଜିଟିଭ୍ ଏୟାରୱେ ପ୍ରେସର) ମେସିନ୍ ଆଦି କିଣାଯିବ । ଏବଂ ଏହି ଉପକରଣ ଗୁଡିକ ସରକାରୀ ଡାକ୍ତରଖାନା ଏବଂ କୋଭିଡ -୧୯ କେୟାର ସେଣ୍ଟର ଏବଂ ଡାକ୍ତରଖାନାକୁ ବଣ୍ଟନ କରାଯିବ । ଟ୍ୱିଟର ପକ୍ଷରୁ ଏହି ସହାୟତା ରାଶି ମିଳିବା ପରେ ସେବା ଇଣ୍ଟରନ୍ୟାସନାଲ ଉପାଧ୍ୟକ୍ଷ ସନ୍ଦୀପ ଖଡକେକର, ଟ୍ୱିଟର ସିଇଓ ଜ୍ୟାକ୍ ପାଟ୍ରିକ୍ ଡୋର୍ସି ଧନ୍ୟବାଦ ଜଣାଇଛନ୍ତି।

ସେପଟେ କରୋନାର ମୁକାବିଲା ଲାଗି ବିଦେଶରୁ ୬ ହଜାର ୭୩୮ଟି ଅକ୍ସିଜେନ୍ କନସେନଟ୍ରେଟର, ୩ ହଜାର ୮୫୬ଟି ଅକ୍ସିଜେନ୍ ସିଲିଣ୍ଡର, ୧୬ଟି ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟ ଆସି ପହଂଚିଛି । ଏହାସହ ୪ ହଜାର ୬୬୮ଟି ଭେଣ୍ଟିଲେଟର ଓ ପ୍ରାୟ ୩ ଲକ୍ଷ ରେମଡେସିବିର ଇଂଜେକସନ ଆସି ପହଂଚିଛି । ଏପ୍ରିଲ ୨୭ରୁ ମେ ୮ ଭିତରେ ଏ ସବୁ ଆସିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି । ସେପଟେ ଇସ୍ରାଏଲରୁ ମଧ୍ୟ ମେଡିକାଲ ସାମଗ୍ରୀ ଧରି ଗୋଟିଏ ବିମାନ ଦିଲ୍ଲୀରେ ପହଞ୍ଚିଛି । ଗତବର୍ଷ କରୋନା ମହାମାରୀବେଳେ ଭାରତ ଯେଉଁ ସହାୟତା ଦେଇଥିଲା, ତାହା କେବେ ଭୁଲି ହେବ ନାହିଁ ବୋଲି ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ ରନ୍ ମାଲକା କହିଛନ୍ତି । ଇଣ୍ଡୋନେସିଆର ଜାକର୍ତ୍ତାରୁ ଅକ୍ସିଜେନ୍ କଣ୍ଟେନର ଧରି ଗୋଟିଏ ବିମାନ ବିଶାଖାପାଟଣାରେ ପହଞ୍ଚିଛି ।

You might also like