୯ ଲକ୍ଷ ପାର ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ୯ ଲକ୍ଷ ପାର ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୨୮ ହଜାର ୪୯୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ସଂଖ୍ୟା ମିଶାଇ ଆଜି ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ୯ ଲକ୍ଷ ୬ ହଜାର ୭୫୨ରେ ପହଞ୍ଚିଛି। ସେହିପରି ଗତ ୨୪  ଘଣ୍ଟାରେ ଆଉ ୫୫୩ ଜଣଙ୍କ ମୃତ୍ୟୁ ପରେ ଭାରତରେ କରୋନା ମୃତ୍ୟୁସଂଖ୍ୟା ୨୩ ହଜାର ୭୨୭କୁ ବୃଦ୍ଧି ହୋଇଛି।

ସେପଟେ ୯ ଲକ୍ଷରୁ ଅଧିକ ସଂକ୍ରମିତଙ୍କ ମଧ୍ୟରୁ ୫ ଲକ୍ଷ ୭୧ ହଜାର ୪୬୦ ଜଣ ସୁସ୍ଥ ହୋଇଥିବାବେଳେ ଏବେ ୩ ଲକ୍ଷ ୧୧ ହଜାର ୫୬୫ ଜଣ ଚିକିତ୍ସାଧିନ ଅଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୨ ଲକ୍ଷ ୬୦ ହଜାର ୯୨୪ ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୧୦ ହଜାର ୪୮୨ ଛୁଇଁଛି।

ସେହିଭଳି ଦିଲ୍ଲୀରେ ୩୪୧୧, ଗୁଜରାଟରେ ୨୦୫୫ ଓ ତାମିଲନାଡୁରେ ୨୦୩୨ ଜଣଙ୍କ ମୁଣ୍ଡ ନେଲାଣି କରୋନା। ଏପଟେ ବିଶ୍ୱର ୬୩% ଟିକା ଭାରତରେ ପ୍ରସ୍ତୁତ ହେଉଥିବା ସୂଚନା ଦେଇଛନ୍ତି ICMR ଡିଜି ବଳରାମ ଭାର୍ଗବ। କରୋନା ଟିକା ପ୍ରସ୍ତୁତ ପାଇଁ ଭାରତୀୟ ବୈଜ୍ଞାନିକ ଲାଗି ପଡ଼ିଥିବା ବେଳେ ୨ଟି ଟିକାର ମାନବିକ ପରୀକ୍ଷଣ ଆରମ୍ଭ କରାଯାଇଛି।

ବିଶ୍ୱର ପ୍ରଥମ ଦେଶ ଭାବେ ରୁଷ ମାନବିକ ପରୀକ୍ଷଣରେ ସଫଳ ହୋଇଛି ଏବଂ ଚୀନ, ଆମେରିକା, ବ୍ରିଟେନ ମଧ୍ୟ ଟିକା ପ୍ରସ୍ତୁତି ଦିଗରେ ଅଗ୍ରଗତି କରୁଛନ୍ତି। ତେବେ ଟିକା ଯେଉଁଠି ବି ତିଆରି ହେଉ, ଉଭୟ ଉତ୍ପାଦନ ଓ ଯୋଗାଣରେ ଭାରତର ବଡ଼ ଭୂମିକା ରହିବ ବୋଲି ବଳରାମ ଭାର୍ଗବ କହିଛନ୍ତି।

 

You might also like