‘ଯିଏ ଦଳର ପଲିସିକୁ ସମ୍ମାନ ଦେବ ତାକୁ ସମର୍ଥନ କରିବୁ’

ଚଣ୍ଡୀଗଡ଼: ହରିଆଣାରେ ବିଜେପିକୁ ଆଞ୍ଚଳିକ ଦଳ ଜେଜେପି ସମର୍ଥନ ଦେବ କି ନାହିଁ, ତା’କୁ ନେଇ ସସପେନ୍ସ ଜାରି ରହିଛି। ଗତକାଲି ଦ୍ୟୁଷନ୍ତ ଚୌଟାଲାଙ୍କ ଜେଜେପି ମନହୋର ଲାଲ ଖଟ୍ଟରଙ୍କ ବିଜେପିକୁ ସମର୍ଥନ ଦେବ ବୋଲି କୁହାଯାଉଥିଲା। ହେଲେ ଆଜି ଜେଜେପିର ବିଧାୟକ ଦଳ ବୈଠକ ପରେ ଦ୍ୟୁଷନ୍ତ ପୂରା ଘଟଣାକୁ ଆହୁରି ସସପେନ୍ସ କରିଦେଇଛନ୍ତି।

ବିଜେପି ୪୦ଟି ଆସନ ଜିତିଥିବା ବେଳେ ସରକାର ଗଠନ କରିବାକୁ ଆହୁରି ୬ଟି ଆସନ ଦରକାର। ଜେଜେପି ୧୦ଟି ଆସନ ଜିତିଥିବାରୁ ଦଳ ଏହା ଉପରେ ଆଖି ପକାଇଛି। ସେହିପରି ୯ ଜଣ ସ୍ୱାଧୀନ ବିଧାୟକ ମଧ୍ୟ ବିଜେପିକୁ ସମର୍ଥନ କରିବେ ବୋଲି କହିଛନ୍ତି।

ଆଜି ଜେଜେପି ନେତା ଦ୍ୟୁଷନ୍ତ ଚୌଟାଲା କହିଛନ୍ତି, “ଯେଉଁ ଦଳ ଜେଜେପିର ସମସ୍ତ ପଲିସିକୁ ସମ୍ମାନ ଜଣାଇବ ଆମେ ତା’କୁ ସମର୍ଥନ ଦେବୁ। ଆଜି ଆମ ବିଧାୟକ ଦଳ ବୈଠକ ବସିଥିଲା। ଏଠାରେ ମୋତେ ସର୍ବସମ୍ମତିକ୍ରମେ ବିଧାୟକ ଦଳର ନେତା ଚୟନ କରାଯାଇଛି। ଆମ ଦଳର ଆଦର୍ଶ ଓ କାର୍ଯ୍ୟକ୍ରମକୁ ପୂରଣ କରିବାକୁ ଯେଉଁ ଦଳ ପ୍ରତିଶ୍ରୁତି ଦେବ, ଆମେ ତାକୁ ହିଁ ସମର୍ଥନ କରିବୁ।

ଆମ ପାଇଁ କଂଗ୍ରେସ କିମ୍ବା ବିଜେପି କେହି ବି ଅଛୁଆଁ ନୁହନ୍ତି। ସମସ୍ତ ପ୍ରକାରର ବିକଳ୍ପ ପାଇଁ ଆମେ ଦ୍ୱାର ଖୋଲା ରଖିଛୁ। ଯଦି କେହି ଆମ ସର୍ତ୍ତରେ ରାଜି ହେବେ, ତା’ହେଲେ ଆମେ ତାଙ୍କୁ ସ୍ୱାଗତ କରିବୁ।”

ଦ୍ୟୁଷନ୍ତ ଆସନ୍ତାକାଲି ତିହାର ଜେଲରେ ଥିବା ତାଙ୍କ ବାପା ଅଜୟ ଚୌଟାଲାଙ୍କୁ ଭେଟିବେ ଏବଂ ଏହାପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ମଧ୍ୟ କହିଛନ୍ତି।

You might also like