ଆଉ କିଛି ସମୟ ପରେ ନିର୍ବାଚନ ତାରିଖ ହେବ ଘୋଷଣା?
ଆଜି ତାରିଖ ଘୋଷଣା
ନୂଆଦିଲ୍ଲୀ: ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହେବ। ଆଜି ଅପରାହ୍ନରେ ଏକ ପ୍ରେସମିଟ୍ କରି ନିର୍ବାଚନ କମିଶନ ତାରିଖ ଘୋଷଣା କରିବେ ବୋଲି ଜଣାଯାଇଛି। ଏହି ୫ଟି ରାଜ୍ୟ ହେଲା- କେରଳ, ତାମିଲନାଡୁ, ପୁଡୁଚେରି, ପଶ୍ଚିମବଙ୍ଗ ଓ ଆସାମ। ଏହି ୫ଟି ବିଧାନସଭା ମଧ୍ୟରୁ ଏବେ ବିଜେପି ଦଖଲରେ ଅଛି ଆସାମ। ଆସାମ ସହିତ ପଶ୍ଚିମବଙ୍ଗକୁ ପୁଣି ଥରେ ଦଖଲ କରବାକୁ ବିଜେପି ଅନବରତ ଉଦ୍ୟମ ଜାରି ରଖିଛି।
ବିଶେଷ କରି ପଶ୍ଚିମବଙ୍ଗରେ ହେବ ହାଇଭୋଲ୍ଟେଜ୍ ଲଢ଼େଇ। ନିଜ ସବୁ ଶକ୍ତି ଖଟାଇ ମମତା ବାନାର୍ଜୀଙ୍କ ହାତରୁ ପଶ୍ଚିମବଙ୍ଗ ଛଡ଼ାଇ ଆଣିବାକୁ ବିଜେପି ରଣନୀତି ପ୍ରସ୍ତୁତ କରିଛି। ଆସାମ ଏବେ ବିଜେପି ଦଖଲରେ ରହିଥିବା ବେଳେ ସେଠାରେ ପୁଣି ଥରେ ପଦ୍ମ ଫୁଟାଇବାକୁ ଦଳ ଚେଷ୍ଟା କରିବ। ଦକ୍ଷିଣରେ ବିଜେପିର ପ୍ରଭାବ ଧୀରେ ଧୀରେ ବଢୁଥିବା ବେଳେ ଏଥର କେରଳ ପାଇଁ ସ୍ୱତନ୍ତ୍ର ରଣନୀତି କରାଯାଇଛି। ଏପରିକି ମେଟ୍ରୋ ମ୍ୟାନ ଏସ୍ ଶ୍ରୀଧରନଙ୍କୁ ଦଳରେ ମିଶାଇଛି ବିଜେପି ଓ ତାଙ୍କୁ ପୋଷ୍ଟର ବୟ କରିଛି।
ସେପଟେ ତାମିଲନାଡ଼ୁରେ ଏଆଇଏଡିଏମକେ ସହିତ ମେଣ୍ଟ କରିପାରେ ବିଜେପି। ଏଠାରେ ଖେଳ ବିଗାଡ଼ି ପାରନ୍ତି ଶଶିକଳା। କିଛି ଦିନ ଆଗରୁ ସେ ଜେଲରୁ ଫେରିଛନ୍ତି। ବର୍ତ୍ତମାନ ଡିଏମକେ ଓ କଂଗ୍ରେସର ମେଣ୍ଟ ଅଛି। ତେଣୁ ଏଠିକାର ନିର୍ବାଚନକୁ ନେଇ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା। ପୁଡୁଚେରିରେ ମଧ୍ୟ ଏଥର କିଛି କରି ଦେଖାଇବାକୁ ବିଜେପିର ଲକ୍ଷ୍ୟ ଅଛି। ଏଠାରେ କିଛି ଦିନ ତଳେ ଲେଫ୍ଟନାଣ୍ଟ ଗର୍ଭର୍ଣ୍ଣର କିରଣ ବେଦୀଙ୍କୁ ମଧ୍ୟ ହଟାଇ ଦିଆଯାଇଛି।
ତେବେ ଏ ସମସ୍ତ ଆସନରେ ବିଜେପି କେମିତି ବିଜୟ ହେବ ସେନେଇ ରଣନୀତି ପ୍ରସ୍ତୁତିରେ ଲାଗି ପଡିଛନ୍ତି ଦେଶର ଆଗଧାଡ଼ିର ଟାଣୁଆ ନେତା। ମିଳିଥିବା ସୂଚନା ଅନୁସାରେ, ପଶ୍ଚିମବଙ୍ଗରେ ଦଳ ପାଇଁ ସମ୍ମାନର ପ୍ରଶ୍ନ ରହିଛି। କାରଣ ଏଠାରେ ଦିଦିଙ୍କ ସହ ସବୁବେଳେ ମୁହାଁମୁହିଁ ହେଉଛି ବିଜେପି। କେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ ଆଉ କେତେବେଳେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ତ ଆଉ କେତେବେଳେ ଗୃହମନ୍ତ୍ରୀ ଅମିତ ଶାହା ବଙ୍ଗରେ ଡେରା ପକାଉଛନ୍ତି। ତେଣୁ ପଶ୍ଚିମବଙ୍ଗରେ ପଦ୍ମ ଦଳ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଥିବା ନେଇ ଚର୍ଚ୍ଚା ହେଉଛି। କିନ୍ତୁ ଦିଦି ବି ଛାଡିବାର ଲୋକ ନୁହନ୍ତି। ବୁଲାଇ ବଙ୍କାଇ ନୁହେଁ ବରଂ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବା ସହ ବିଭିନ୍ନ ସ୍ଥାନରେ ସଭା ସମିତି କରି ବିଜେପି ଉପରେ ଜୋରସୋରରେ ବର୍ଷୁଛନ୍ତି। ତେବେ ତାରିଖ ଘୋଷଣା ପରେ ପ୍ରକୃତ ଲଢେଇ ଆରମ୍ଭ ହେବ।