ମିରଟ : ବିବାହର ଏକ ବର୍ଷ ପରେ ହ୍ୟାଣ୍ଡସମ୍ ସ୍ୱାମୀର ମୁଖା ଖୋଲିଗଲା। ଚନ୍ଦା ସ୍ୱାମୀଙ୍କ ସହ ରିହପାରିବେନି କହି ଛାଡ଼ପତ୍ର ମାଗିଲେ ମହିଳା। ଉତ୍ତର ପ୍ରଦେଶର ମିରଟରେ ଜଣେ ବ୍ୟକ୍ତି ଏକ ବର୍ଷ ପୂର୍ବେ ବିବାହ କରିଥିବା ସହ ସ୍ତ୍ରୀ ଠାରୁ ନିଜର ଚନ୍ଦାପଣ କଥା ଲୁଚାଇଥିଲେ। ହେଲ ଚୋର ଘର ସବୁଦିନ ଅନ୍ଧାର ନଥାଏ ପରି ଏବେ ସ୍ତ୍ରୀ ସାମ୍ନାକୁ ଆସିଯାଇଛି ସ୍ୱାମୀର ଚନ୍ଦାପଣ କଥା। ଏଇ ଗୋଟିଏ ମିଛ ଏବେ ଚନ୍ଦା ସ୍ୱାମୀକୁ ହରଡ଼ଘଣାରେ ପକାଇଛି। ଧୋକା ଦେଇଥିବାରୁ ପତ୍ନୀ ଏବେ ତାଙ୍କ ସହ ସମସ୍ତ ସମ୍ପର୍କ ତୁଟାଇବାକୁ ବସିଛନ୍ତି । ଗତ ବୁଧବାର ଏକ ପାରିବାରିକ ଅଦାଲତରେ ପାରିବାରିକ କଳହ ନେଇ କାଉନସେଲିଙ୍ଗ୍‌ କରା ଯାଉଥିଲାବେଳେ ଏପରି ଘଟଣା ସାମ୍ନାକୁ ଆସିଛି ।

ମେରଟ ପୋଲିସ ଲାଇନରେ ଫ୍ୟାମିଲି କାଉନସେଲିଂ ସେଣ୍ଟର ପକ୍ଷରୁ କାଉନସେଲିଂ ଅଧିବେଶନ ଆୟୋଜିତ ହୋଇଥିଲା। ଏହି ସମୟ ମଧ୍ୟରେ ପ୍ରାୟ ୧୦୦ଟି ବିବାହିତ ଯୋଡ଼ି ନିଜ ନିଜ ପାରିବାରିକ ସମସ୍ୟା ନେଇ ପରାମର୍ଶ ପାଇଁ ପହଞ୍ଚିଥିଲେ ​​। ତେବେ ସେଥିମଧ୍ୟରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯାହା ଶୁଣି କେହି ଆଶ୍ଚର୍ଯ୍ୟ ହୋଇଯାଉଛି ତ ପୁଣି ଆଉ କିଏ ହସି ହସି ବେଦମ୍ ହୋଇଯାଉଛି।

ଜଣେ ବିବାହିତ ମହିଳାଙ୍କ ଅଭିଯୋଗ ଅନୁସାରେ ଗତ ବର୍ଷ ଜାନୁଆରୀରେ ଗାଜିଆବାଦର ଜଣେ ଯୁବକଙ୍କ ସହ ତାଙ୍କର ବିବାହ ହୋଇଥିଲା । ବିବାହ ସମୟରେ ସ୍ୱାମୀଙ୍କ ମୁଣ୍ଡରେ ଘନ କଳା କେଶ ଥିଲା। କିନ୍ତୁ ଏବେ ସେ ଜାଣିବାକୁ ପାଇଲେ  ସେ ପ୍ରକୃତରେ ଚନ୍ଦା ଥିଲେ ଏବଂ ଉଇଗ୍‌ ବ୍ୟବହାର କରୁଥିଲେ । ଏକଥା ଜାଣିବା ପରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା।  ଚନ୍ଦାସ୍ୱାମୀ ପାଇଁ ସାଙ୍ଗମାନଙ୍କ ସାମ୍ନାରେ ତାଙ୍କୁ  ଅପଦସ୍ତ ହେବାକୁ ପଡ଼ୁଛି।

ଲୋକେ ବିଭିନ୍ନ କଥା କହି ତାଙ୍କର ମଜାକ ଉଡ଼ାଉଛନ୍ତି। ଧୋକା ଦେଇ ସ୍ୱାମୀ ସ୍ତ୍ରୀର ପବିତ୍ର ସମ୍ପର୍କ ଆରମ୍ଭ ହୋଇପାରେନି ବୋଲି ସେ ଯୁକ୍ତି ବାଢ଼ିଛନ୍ତି। ତେଣୁ ଏଥିପାଇଁ କାଉନସେଲିଂ ସେଣ୍ଟରରେ ପହଞ୍ଚିଥିବା ମହିଳା ଜଣକ ଛାଡପତ୍ର ପାଇଁ ଦାବି କରିଛନ୍ତି। ତେବେ ଏହି ଅଭିଯୋଗ ପରେ ଉପସ୍ଥିତ ପରାମର୍ଶଦାତା ମହିଳାଙ୍କୁ ବହୁତ ବୁଝାବୁଝି କରିବାକୁ ଚେଷ୍ଟା କରିଥିଲେ । ହେଲେ ମହିଳା ଜଣକ ନିଜ ଜିଦରେ ଅଟଳ ରହିଥିଲେ। କୌଣସି ମତେ ଚନ୍ଦା ସ୍ୱାମୀ ସହ ରହିପାରିବି ନାହିଁ ବୋଲି କହିଛନ୍ତି। ତେବେ ଏହା ପରେ ତାଙ୍କୁ ଅନ୍ୟ ଏକ ଦିନରେ କାଉନସେଲିଂ ପାଇଁ ଡକାଯାଇଛି।

ସୂଚନାଯୋଗ୍ୟ ଅଳ୍ପ ବୟସରେ ହିଁ ଭାରତରେ ପୁରୁଷମାନଙ୍କଠାରେ ଚନ୍ଦାପଣ ଦେଖିବାକୁ ମିଳୁଛି । ଅଧ୍ୟୟନରୁ ଜଣାପଡ଼ିଛି ଆଜିକାଲି ମାତ୍ର ୨୧ ବର୍ଷ ବୟସରୁ ହିଁ ଯୁବକଙ୍କ ଠାରେ କେଶ ଝଡ଼ିବାର ଲକ୍ଷଣ ଦେଖିବାକୁ ମିଳୁଛି। ପ୍ରଦୂଷଣ ଅଥବା ବଂଶଗତ କାରଣରୁ କେଶ ଝଡ଼ିବାର କାରଣ ବୋଲି କୁହାଯାଉଛି। ତେବେ ଚନ୍ଦାପଣ ଯୋଗୁଁ ଉଭୟ ପୁରୁଷ ଏବଂ ମହିଳା ପ୍ରଭାବିତ ହେଉଛନ୍ତି।

Other Stories