ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତକାରୀ ଅଧିକାରୀ ପତ୍ନୀଙ୍କ ଆତ୍ମହତ୍ୟା

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ପୋଲିସ ଡିଆଇଜି ଚନ୍ଦ୍ର ପ୍ରକାଶଙ୍କ ପତ୍ନୀ ପୁଷ୍ପା ପ୍ରକାଶ ଆତ୍ମହତ୍ୟା କରିଛନ୍ତି। ଉତ୍ତର ପ୍ରଦେଶ ହାଥରସ ବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଚନ୍ଦ୍ର ପ୍ରକାଶ ଏସଆଇଟିର ଜଣେ ସଦସ୍ୟ ଥିଲେ। ରାଜ୍ୟ ସରକାର ତାଙ୍କୁ ଜଣେ ତଦନ୍ତକାରୀ ଅଧିକାରୀ ଭାବେ ଏହି ଟିମରେ ରଖିଥିଲେ। ସେ ଏବେ ଉନ୍ନାଓରେ ପୋଲିସ ଟ୍ରେନିଂ ଡିଆଇଜି ଭାବେ କାମ କରୁଛନ୍ତି ।

ତାଙ୍କ ପତ୍ନୀ ପୁଷ୍ପା ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି। ତାଙ୍କ ବୟସ ୩୬ ବର୍ଷ। ଲକ୍ଷ୍ନୌର ସୁଶାନ୍ତ ଗଲ୍ପ ସିଟିରେ ଥିବା ତାଙ୍କ ବାସଭବନରୁ ମୃତଦେହ ଉଦ୍ଧାର କରାଯାଇଥିବା ପୋଲିସ କହିଛି। ଜଏଣ୍ଟ କମିସନର ଅଫ୍ ପୋଲିସ( ଆଇନ ଶୃଙ୍ଖଳା) ନବୀନ ଆରୋରା କହିଛନ୍ତି ଯେ, ଶନିବାର ସକାଳ ୧୧ଟା ବେଳେ ପୁଷ୍ପା ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ତୁରନ୍ତ ଲୋହିଆ ହସ୍ପିଟାଲକୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତାଙ୍କ ମରଶରୀରକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଏହି ଘଟଣାରେ ସୁଇସାଇଡ ନୋଟ ଜବତ ହୋଇନାହିଁ ବୋଲି ଡିସିପି ଚାରୁ ନିଗମ କହିଛନ୍ତି । ମୃତ ମହିଳାଙ୍କ ପରିବାରକୁ ଏହି ଘଟଣା ସଂପର୍କରେ ଜଣାଇଦିଆଯାଇଛି  ବୋଲି ସେ କହିଛନ୍ତି ।

ମୃତ ମହିଳାଙ୍କ ସ୍ୱାମୀ ଚନ୍ଦ୍ର ପ୍ରକାଶ ହେଉଛନ୍ତି ୨୦୦୫ ମସିହାର ଆଇପିଏସ ଅଫିସର। ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ରାଜ୍ୟ ସରକାର ଯେଉଁ ତିନିଜଣିଆ ଏସଆଇଟି ଗଠନ କରିଥିଲେ , ଚନ୍ଦ୍ର ପ୍ରକାଶ ତା ଭିତରେ ଥିଲେ।

ହାଥରସ ଘଟଣାରେ ବାଳିକାଙ୍କ ପରିବାର ସ୍ଥାନୀୟ ପ୍ରଶାସନ ଓ ପୋଲିସ ବିରୋଧରେ ଅଭିଯୋଗ ଆଣିବା ପରେ ସରକାର ଏସଆଇଟି ଗଠନ କରିଥିଲେ। ବାଳିକାଙ୍କ ପରିବାର କହିଥିଲେ ଯେ, ବାରଣ ସତ୍ତ୍ୱେ ବାଳିକାଙ୍କ ମୃତଦେହକୁ ପୋଡିଦିଆଯାଇଥିଲା। ଚନ୍ଦ୍ର ପ୍ରକାଶ ହାଥରସ୍ ଘଟଣାର ତଦନ୍ତ କରୁଥିଲେ। ପରେ ମାମଲା ସିବିଆଇକୁ ଦିଆଯାଇଛି।

ପୁଷ୍ପାଙ୍କ ଆତ୍ମହତ୍ୟାର କାରଣ ଜଣାପଡିନାହିଁ। ଚନ୍ଦ୍ର ପ୍ରକାଶ ବଦଳି ପରେ ଉନ୍ନାଓରେ ରହୁଥିଲେ ଓ ତାଙ୍କ ପତ୍ନୀ ଲକ୍ଷ୍ନୌରେ ରହୁଥିଲେ। ତଦନ୍ତ ଜାରି ରହିଛି।

You might also like