କାହିଁକି ହିମନ୍ତଙ୍କୁ ମୁଖ୍ୟମନ୍ତ୍ରୀ କଲା ବିଜେପି?

ମୁଖ୍ୟମନ୍ତ୍ରୀଙ୍କ ଲାଗି କଣ ରହିବ ଚ୍ୟାଲେଞ୍ଜ?

ଗୌହାଟୀ: ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ହିମନ୍ତ ବିଶ୍ୱଶର୍ମା। ଗୌହାଟୀରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ଜଗଦିଶ ମୁଖି ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ତେବେ ୫ ବର୍ଷର ସୁଶାସନସତ୍ତ୍ୱେ କାହିଁକି ସର୍ବାନନ୍ଦ ସୋନଓ୍ୱାଲଙ୍କ ସ୍ଥାନରେ ହିମନ୍ତଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇଲା ବିଜେପି? କଣ ହୋଇପାରେ ହିମନ୍ତଙ୍କୁ ପ୍ରମୋଶନ ମିଳିବା ପଛର କାରଣଯ

ଆସାମର ନୂଆ ମୁଖ୍ୟମନ୍ତ୍ରୀ ହେଲେ ହିମନ୍ତ ବିଶ୍ୱଶର୍ମା। ତେବେ କଣ ପାଇଁ ସର୍ବାନନ୍ଦ ସୋନଓ୍ୱାଲଙ୍କ ସ୍ଥାନରେ ହିମନ୍ତଙ୍କୁ ଅଭିଷିକ୍ତ କଲା ବିଜେପି? ଏହା ପଛରେ କାରଣର ଲମ୍ବା ତାଲିକା ଥିବା ଚର୍ଚ୍ଚା ହେଉଛି। ପ୍ରଥମତଃ ହିମନ୍ତ ଥିଲେ ରାଜ୍ୟ କ୍ୟାବିନେଟର ସୁପର୍ ମିନିଷ୍ଟର। ଅର୍ଥ ଓ ସ୍ୱାସ୍ଥ୍ୟ ପରି ଦୁଇ ଗୁରୁତ୍ୱପୂର୍ଣ୍ଣ ବିଭାଗ ଥିଲା ତାଙ୍କ ହାତରେ। ତେବେ ଆସାମର ଭୌଗୋଳିକ ଓ ରାଜନୈତିକ ସ୍ଥିତି ଦୃଷ୍ଟିରୁ ଭୋଟରଙ୍କ ଆଶା ଆକାଂକ୍ଷା ପୂରଣ ଓ ରାଜନୈତିକ ସମସ୍ୟା ସମାଧାନ ସେତେ ସହଜ ନଥିଲା। ମାତ୍ର ନିଜ ବିଚକ୍ଷଣ ଗୋଟି ଚାଳନା ଦ୍ୱାରା ଅସମ୍ଭବକୁ ସମ୍ଭବ କରି ଦେଖାଇଥିଲେ ହିମନ୍ତ। ମୁଖ୍ୟମନ୍ତ୍ରୀ ସୋନଓ୍ୱାଲଙ୍କ ଭରସାଯୋଗ୍ୟ ମନ୍ତ୍ରୀ ହିସାବରେ ତାଙ୍କର ପ୍ରଥମ କାମ ଥିଲା CAA ଓ NRC ବିବାଦକୁ ପଛ କରି ଲୋକଙ୍କ ନିକଟରେ ବିକାଶ ଯୋଜନା ପହଞ୍ଚାଇବା।

ପ୍ରଧାନମନ୍ତ୍ରୀ ମୋଦି ହୁଅନ୍ତୁ ବା ଗୃହମନ୍ତ୍ରୀ ଅମିତ ଶାହ, ଦଳ ସଭାପତି ଜେପି ନଡ୍ଡା ଓ ଅବା ପ୍ରଭାରୀ ବୈଜୟନ୍ତ ପଣ୍ଡା। ଦଳ ପ୍ରସ୍ତୁତ କରିଥିବା ଷ୍ଟ୍ରାଟେଜିକୁ ସଫଳତାର ସହ କାର୍ଯ୍ୟକାରୀ କରିଥିଲେ ହିମନ୍ତ। ତା ସହିତ ଦକ୍ଷତାର ସହ କୋଭିଡ୍ ପରିଚଳନା କରି ସେ ଆସାମବାସୀଙ୍କ ଆସ୍ଥା ଜିତି ପାରିଥିଲେ। ଦଳ ପାଇଁ ଅଡୁଆ ସୃଷ୍ଟି କରିବା ଆଶଙ୍କା ଥିବା ଏନଆରସି ଓ ସିଏଏ ଭଳି ପ୍ରସଙ୍ଗ, ସରକାରଙ୍କ ସଫଳତା ଆଗରେ ଗୌଣ ହୋଇଯାଇଥିଲା।

ଏପଟେ ବିଜେପି ଆଗରେ ଥିଲା କଂଗ୍ରେସର ମହାମେଣ୍ଟ ଅଡ଼ୁଆ। ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ ଫ୍ରଣ୍ଟ AIUDF ସମେତ ୮ଟି ଦଳ ସହ କଂଗ୍ରେସ ଗଢିଥିବା ମେଣ୍ଟ ବିଜେପି ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ସେହିପରି ରାଜ୍ୟରେ ପ୍ରାୟ ୪୦ ପ୍ରତିଶତ ମୁସଲିମ୍ ଭୋଟର ଥିବାରୁ ବିଜେପି ଲାଗି ନିର୍ବାଚନ ଜିତିବା ସେତେଟା ସହଜ ନଥିଲା। ଅନ୍ୟପକ୍ଷରେ କେନ୍ଦ୍ର ସରକାର ସିଏଏ ପାଶ୍ କରିବା ପରେ ଆସାମରେ ବିଜେପିର ଅଡୁଆ ଆହୁରି ବଢିଥିଲା। ଏସବୁର ସାମ୍ନା କରି ଦଳକୁ ବିଜୟୀ କରିବା ଲାଗି କେନ୍ଦ୍ରୀୟ ନେତୃବୃନ୍ଦ ବିଶ୍ୱଶର୍ମାଙ୍କ ଉପରେ ଅତି ମାତ୍ରାରେ ନିର୍ଭରଶୀଳ ଥିଲେ। ଏଣେ ଟିକଟ ବଣ୍ଟନ ହେଉ କିମ୍ବା ପ୍ରଚାର କାର୍ଯ୍ୟକ୍ରମ ଓ ନିର୍ବାଚନ ରଣନୀତି ପ୍ରସ୍ତୁତ ପାଇଁ ଆସାମରେ ଡେରା ପକାଇଥିବା ଦଳୀୟ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ସହ ମିଶି, ଦକ୍ଷତାର ସହ ସରକାର ବିରୋଧୀ ହାଓ୍ୱାକୁ ପ୍ରତିହତ କରି, ବିଜେପିକୁ ବିଜୟ ମଣ୍ଡିତ କରାଇବାରେ ସଫଳ ହୋଇଥିଲେ ହିମନ୍ତ।

ଆଉ ପୁରସ୍କାର ସ୍ୱରୂପ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଅଭିଷିକ୍ତ କରିଛି ବିଜେପି। ଅନ୍ୟପକ୍ଷରେ କାଳେ ବିଶ୍ୱଶର୍ମା ଅସନ୍ତୋଷ ପ୍ରକାଶ କରିବେ ସେଥିଲାଗି ମୂଳରୁ ହିଁ ବିଜେପି ସର୍ବାନନ୍ଦ ସୋନଓ୍ୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦ ପ୍ରାର୍ଥୀ ଭାବେ ଉପସ୍ଥାପନ କରନଥିଲା ବୋଲି କୁହାଯାଉଛି। ଅସାମ ଗଣ ପରିଷଦ, କଂଗ୍ରେସ ଓ ଏବେ ବିଜେପି ସବୁ ଦଳ ପାଇଁ ଦକ୍ଷତାର ସହ କାମ କରିଛନ୍ତି ହିମନ୍ତ। ୪ ଦଶନ୍ଧିର ରାଜନୈତିକ ଜୀବନରେ ତାଙ୍କୁ ରାଜ୍ୟ ରାଜନୀତିର ଶୀର୍ଷ ଗାଦିରେ ବସାଇଛି ବିଜେପି। ବର୍ଷ ବର୍ଷ ଧରି ଏଜିପି ଓ କଂଗ୍ରେସ ପାଇଁ ନିଷ୍ଠାର ସହ କାମ କରିଥିଲେ ମଧ୍ୟ ହିମନ୍ତଙ୍କ ଉପଯୁକ୍ତ ପୁରସ୍କାର ମିଳିନଥିଲା। ତେବେ ମାତ୍ର ୬ ବର୍ଷ ପରେ ବିଜେପି ବିଶ୍ୱଶର୍ମାଙ୍କୁ ତାଙ୍କ ଚିର ଆକାଂକ୍ଷିତ ପଦରେ ବସାଇଛି।

ତେବେ ହିମନ୍ତଙ୍କ ଆଗରେ ରହିଛି ଅନେକ ଚ୍ୟାଲେଞ୍ଜ। ଦଳ ଦେଇଥିବା ପ୍ରତିଶ୍ରୁତି ପୂରଣ, ରାଜ୍ୟର ଅର୍ଥନୈତିକ ବିକାଶ ସାଙ୍ଗକୁ ଶରଣାର୍ଥୀ ସମସ୍ୟା ସମେତ ସିଏଏ ଓ ଏନଆରସି ବିବାଦ ଏସବୁ ସମସ୍ୟାର ସମାଧାନ ତାଙ୍କ ନେତୃତ୍ୱ ପାଇଁ ଅଗ୍ନି ପରୀକ୍ଷା ହେବ ବୋଲି କୁହାଯାଉଛି। ତେବେ ହିମନ୍ତଙ୍କ ରାଜନୈତିକ ଦକ୍ଷତା ଉପରେ କୁହାଯାଉଛି, କେବଳ ଆସାମ ନୁହେଁ, ସମଗ୍ର ଉତ୍ତର ପୂର୍ବାଞ୍ଚଳର ସେ ସବୁଠୁ ପ୍ରଭାବଶାଳୀ ରାଜନେତା। ଛାତ୍ର ଜୀବନରୁ ଆରମ୍ଭ ହୋଇଥିଲା ତାଙ୍କ ରାଜନୈତିକ ଯାତ୍ରା। ଅଲ୍ ଆସାମ ଷ୍ଟୁଡେଣ୍ଟସ୍‌ ୟୁନିୟନର ସେ ଥିଲେ ସଂକ୍ରିୟ ସଦସ୍ୟ। ଆସାମ ଆନ୍ଦୋଳନକୁ ଆଗେଇ ନେବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। କୁହାଯାଏ ୩ ପୂର୍ବତନ ଆସାମ ମୁଖ୍ୟମନ୍ତ୍ରୀ ପ୍ରଫୁଲ୍ଲ ମହନ୍ତ, ହିତେଶ୍ୱର ସାଇକିଆ ଓ ତରୁଣ ଗୋଗୋଇ ହେଉଛନ୍ତି ହିମନ୍ତଙ୍କର ରାଜନୈତିକ ଗୁରୁ।

ପ୍ରଫୁଲ୍ଲ ମହନ୍ତଙ୍କର ସେ ଅତି ଘନିଷ୍ଠ ହୋଇଥିଲେ ମଧ୍ୟ କେବେବି ଏଜେପିରେ ଯୋଗ ଦେଇନଥିଲେ। ଅନ୍ୟପକ୍ଷରେ ହିମନ୍ତଙ୍କ ସାଂଗଠନିକ ଦକ୍ଷତାକୁ ଦେଖି ସେତେବେଳର ମୁଖ୍ୟମନ୍ତ୍ରୀ ହିତେଶ୍ୱର ସାଇକିଆ ତାଙ୍କୁ କଂଗ୍ରେସରେ ଯୋଗଦେବାକୁ ପ୍ରବାର୍ତ୍ତାଇବାରେ ସଫଳ ହୋଇଥିଲେ। ସେହିପରି ୨୦୦୬ ଓ ୧୧ରେ ସେ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ସାରଥୀ ଥିଲେ। ମାତ୍ର ୨୦୧୧ରେ ତରୁଣ ଗୋଗୋଇଙ୍କ ପୁଅ ଗୌରବ ଗୋଗୋଇଙ୍କର ଆସାମ ରାଜନୀତିରେ ଆବିର୍ଭାବ ଘଟିବା ପରେ ଅଲୋ଼ଡା ହୋଇପଡିଥିଲେ ହିମନ୍ତ।

ତେବେ ୭୮ ବିଧାୟକଙ୍କ ମଧ୍ୟରୁ ୫୪ ଜଣଙ୍କ ସମର୍ଥନ ଥିବା ଦର୍ଶାଇ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ଦାବି କରିଥିଲେ ହିମନ୍ତ। ମାତ୍ର ରାହୁଲ ଗାନ୍ଧୀ ତାଙ୍କ ଦାବିକୁ ଅଗ୍ରାହ୍ୟ କରିଦେଇଥିଲେ। ଏଥିରେ କ୍ଷୁବ୍ଧ ହିମନ୍ତ ୨୦୧୫ରେ ବିଜେପି ଯୋଗ ଦେବା ସହ ଉତ୍ତର-ପୂର୍ବ ଭାରତରେ କଂଗ୍ରେସ ପତନର କାରଣ ସାଜିଥିଲେ। ତାଙ୍କ ଚେଷ୍ଟା ବଳରେ ମଣିପୁର, ନାଗାଲ୍ୟାଣ୍ଡ, ଅରୁଣାଚଳପ୍ରଦେଶ, ତ୍ରିପୁରା ଓ ମେଘାଳୟରେ କ୍ଷମତା ଦଖଲ କରିଥିଲା ବିଜେପି। ସେହିପରି ଯେଉଁଠି ବି ସରକାରରେ ବିବାଦ ସୃଷ୍ଟି ହେଲେ ତାର ସମାଧାନର ବାଟ ବାହାର କରିବାରେ ସେ ଧୁରନ୍ଧର। ସେଥିଲାଗି ହିମନ୍ତ ବିଶ୍ୱଶର୍ମା ବିଜେପିର କ୍ରାଇସିସ୍ ମ୍ୟାନେଜର ଭାବେ ମଧ୍ୟ ପରିଚିତ।

You might also like