ଏହି କାରଣରୁ ପୁଣି ଘୁଞ୍ଚିପାରେ ନିର୍ଭୟା ଦୋଷୀଙ୍କ ଫାଶୀ ଦଣ୍ଡ

ନୂଆଦିଲ୍ଲୀ: ପୁଣି ଘୁଞ୍ଚିପାରେ ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ। କୋର୍ଟ ଆସନ୍ତା୧ ତାରିଖକୁ ଫାଶୀ ଦେବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଏଥିରେ ବିଳମ୍ବ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

କାରଣ ଏଯାଏ ଫାଶୀ ଦଣ୍ଡ ପାଇଥିବା ୪ ଜଣଙ୍କ ମଧ୍ୟରୁ କେବଳ ମୁକେଶ କୁମାର ସିଂହ ଓ ବିନୟ ଶର୍ମା କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ। ସେହିପରି କେବଳ ମୁକେଶ ହିଁ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରି ନିରାଶ ହୋଇଛି। ଅନ୍ୟପକ୍ଷରେ ବିନୟ କୁମାରର ରାଜକ୍ଷମା ଆବେଦନକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଗତବର୍ଷ ସେ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଥିବା କୁହାଯାଉଛି। ହେଲେ ବିନୟ ନିଜେ ଏଭଳି କୌଣସି ଆବେଦନ କରି ନଥିଲା ଓ କେବଳ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଥିଲା ବୋଲି କହିଛି। ତେଣୁ ତା’ ପାଖରେ ରାଜକ୍ଷମା ଆବେଦନ ବିକଳ୍ପ ରହିଛି।

ସେହିଭଳି ଦୋଷୀ ପବନ ଗୁପ୍ତା ଓ ଅକ୍ଷୟ କୁମାର ସିଂହ ମଧ୍ୟ ଏଯାଏ କ୍ୟୁରେଟିଭ ପିଟିସନ ଦାଖଲ କରି ନାହାନ୍ତି। ସେମାନେ ଫାଶୀରୁ ବଞ୍ଚିବା ପାଇଁ କ୍ୟୁରେଟିଭ ପିଟିସନ ଦାଖଲ କରିବେ ବୋଲି ଉଭୟଙ୍କ ଓକିଲ ସୂଚନା ଦେଇଛି। ଏପରି କି ସେମାନେ ପୃଥକ ପୃଥକ ଭାବେ ମଧ୍ୟ କ୍ୟୁରେଟିଭ ପିଟିସନ ଦାଖଲ କରି ଫାଶୀ ପ୍ରକ୍ରିୟାକୁ ବିଳମ୍ବିତ କରିପାରନ୍ତି।

ପୂର୍ବରୁ ଜାନୁଆରୀ ୨୨ରେ ସମସ୍ତ ଦୋଷୀଙ୍କୁ ଫାଶୀ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ୪ ଜଣଙ୍କ ମଧ୍ୟରୁ ଦୁଇ ଜଣ ପ୍ରଥମେ କ୍ୟୁରେଟିଭ ପିଟିସନ ଓ ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ କରିବାରୁ ଏହା ଫେବୃଆରୀ ୧କୁ ଘୁଞ୍ଚା ଯାଇଥିଲା। ଏବେ ସମସ୍ତଙ୍କ ଅପେକ୍ଷା ଫେବୃଆରୀ ପହିଲାକୁ।

ଏହା ଭିତରେ ତିହାର ଜେଲ କର୍ତ୍ତୃପକ୍ଷ ମଧ୍ୟ ହ୍ୟାଙ୍ଗମ୍ୟାନ ବା ଘାତକଙ୍କୁ ମଧ୍ୟ ଜାନୁଆରୀ ୩୦ରେ ରିପୋର୍ଟ କରିବାକୁ କହିଛନ୍ତି। ଜେଲ କର୍ତ୍ତୃପକ୍ଷ ଫାଶୀ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି।

ରାଜକ୍ଷମା ଖାରଜ ପରେ ଦୋଷୀକୁ କାହିଁକି ଦିଆଯାଏ ୧୪ ଦିନର ମହଲତ ?

୨୦୧୪ ଶତୃଘ୍ନ ଚୌହାନ ମାମଲାରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଥିଲେ। ରାଜକ୍ଷମା ଆବେଦନ ପରେ ଫାଶୀ ପାଇବାକୁ ଥିବା ଦୋଷୀକୁ ୧୪ ଦିନର ନୋଟିସ୍‌ ଦିଆଯିବ। ଏହାପରେ ତାକୁ ଫାଶୀ ଖୁଣ୍ଟରେ ଝୁଲାଯିବ। ତିହାର ଜେଲ୍ ମ୍ୟାନୁଆଲରେ ମଧ୍ୟ ରାଜକ୍ଷମା ପରେ ଜଣେ ଦୋଷୀଙ୍କୁ ୧୪ ଦିନର ସମୟ ଦେବାର ବ୍ୟବସ୍ଥା ରହିଛି। ଅର୍ଥାତ ମୁକେଶ ସିଂହକୁ ଫାଶୀ ଦେବାର ପଥ ପରିଷ୍କାର ହୋଯାଇଛି।

ଗୋଟିଏ ଦୋଷରେ ଦୋଷୀଙ୍କୁ ଏକାଥରେ ଫାଶୀ ଦେବା ପଛରେ କ’ଣ ରହିଛି କାହାଣୀ ଓ ନିୟମ ?

ଗୋଟିଏ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସମସ୍ତଙ୍କୁ ଏକ ସାଙ୍ଗରେ ହିଁ ଦଣ୍ଡବିଧାନ କରାଯିବାର ନିୟମ ପୂର୍ବରୁ ରହିଛି। ଏନେଇ ଖୋଦ୍‌ ସୁପ୍ରିମକୋର୍ଟ ରାୟ ଦେଇଥିଲେ। ୧୯୮୨ରେ ସୁପ୍ରିମକୋର୍ଟ ହରିବଂଶ ସିଂହ ଓ ଉତ୍ତର ପ୍ରଦେଶ ସରକାର ମଧ୍ୟରେ ଚାଲିଥିବା ମାମଲାର ଶୁଣାଣି କରିଥିଲେ। ଏହି ସମୟରେ କୋର୍ଟ କହିଥିଲେ ଯେ ଗୋଟିଏ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନଙ୍କୁ ପୃଥକ ପୃଥକ ଭାବେ ଦଣ୍ଡବିଧାନ କରାଯାଇ ପାରିବ ନାହିଁ।

କାରଣ ଏହି ଘଟଣା ଟି ବି ସେମିତି କିଛି ଘଟିଥିଲା। ଉତ୍ତର ପ୍ରଦେଶରେ ୪ ଜଣଙ୍କୁ ହତ୍ୟା କରିବା ଘଟଣାରେ ୪ ଜଣ ସାମିଲ ଥିଲେ। ଏମାନଙ୍କ ମଧ୍ୟରୁ ଜଣଙ୍କୁ ପୁଲିସ ଏନକାଉଣ୍ଟର କରିଥିଲା। ଆଉ ୩ ଜଣଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଥିଲା।

୩ ଜଣ ଦୋଷୀ ପୃଥକ ପୃଥକ ଭାବେ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଥିଲେ। ଦୋଷୀ କଶ୍ମୀରା ସିଂହର ମୃତ୍ୟୁଦଣ୍ଡକୁ ସୁପ୍ରିମକୋର୍ଟ ଆଜୀବନରେ ପରିଣତ କରିଥିଲେ। ହେଲେ ଜୀତ ସିଂହ ଓ ହରବଂଶ ସିଂହର ଆବେଦନ ଖାରଜ ହୋଇଥିଲା।

୧୯୮୧ର ଗୋଟିଏ ଦିନରେ ଉଭୟଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାର ଥିଲା। ହେଲେ ହରବଂଶ ସିଂହ ରାଜକ୍ଷମା ଆବେଦନ କରିଥିଲେ। କିନ୍ତୁ ଜୀତ ସିଂହକୁ ଧାର୍ଯ୍ୟ ଦିନରେ ଫାଶୀ ଦିଆଯାଇଥିଲା। ରାଜକ୍ଷମା ଆବେଦନ ଖାରଜ ହେବା ପରେ ହରବଂଶ ସୁପ୍ରିମକୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରିଥିଲା।

ଏହି ସମୟରେ ସେ ଯୁକ୍ତି ରଖିଥିଲା ଯେ କାହିଁକି ସମାନ ଘଟଣାରେ ସାମିଲ ଥିବା ସମସ୍ତଙ୍କୁ ଭିନ୍ନ ଭିନ୍ନ ଦଣ୍ଡରେ ଦଣ୍ଡିତ କରାଯାଉଛି? ଏହାପରେ କୋର୍ଟ ନିଜର ଭୁଲ ସ୍ୱୀକାର କରିଥିଲେ। କୋର୍ଟ ସମାନ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ଏକା ସାଙ୍ଗରେ ହିଁ ଫାଶୀ ଖୁଣ୍ଟରେ ଝୁଲାଯିବା ଦରକାର ବୋଲି ରୁଲିଂ ଦେଇଥିଲେ।

You might also like