ରୁଷ୍‌ର କରୋନା ଭ୍ୟାକସିନକୁ ନେଇ ବିବାଦ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ କରୋନା ମହାମାରୀ ଲଗାତର ବଢ଼ିବାରେ ଲାଗିଛି। ଏହା ମଧ୍ୟରେ କରୋନା ଭ୍ୟାକସିନକୁ ନେଇ ମଧ୍ୟ ଜୋରଦାର୍ ପ୍ରସ୍ତୁତି ଚାଲିଛି। ବିଶ୍ୱର ପ୍ରଥମ ଦେଶ ଭାବେ ରୁଷ୍ କରୋନା ଭ୍ୟାକସିନ୍ ବାହାର କରିସାରିଥିବା ନେଇ ଘୋଷଣା କରିଛି। କିନ୍ତୁ ରୁଷର ଏହି ଭ୍ୟାକସିନକୁ ନେଇ ଏବେଠାରୁ ବିବାଦ ଦେଖା ଦେଲାଣି। ରୁଷର ଏହି ଭ୍ୟାକସିନ୍ ଉପରେ ଆମେରିକା ସନ୍ଦେହ ପ୍ରକଟ କରିଥିବା ବେଳେ ୱାର୍ଲ୍ଡ ହେଲଥ ଅର୍ଗାନାଇଜେସନ୍ (ଡବ୍ଲ୍ୟୁଏଚଓ) ଏହାର ପ୍ରମାଣ ମାଗିଛି।

ଆମେରିକାର ଜଣାଶୁଣା ସଂକ୍ରାମକ ରୋଗ ବିଶେଷଜ୍ଞ ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରାମର୍ଶଦାତା ଆନ୍ଥୋନୀ ଫୌଚି ଏହି ଭ୍ୟାକସିନକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହି ଭ୍ୟାକସିନ୍ ସତରେ କ’ଣ କରୋନାଭାଇରସ୍ ଉପରେ କାମ କରିପାରିବ? ନ୍ୟାଶନାଲ୍‌ ଜିଓଗ୍ରାଫିକରେ ପ୍ୟାନେଲ୍ ଆଲୋଚନା ବେଳେ ଆନ୍ଥୋନୀ କହିଛନ୍ତି, ଭ୍ୟାକସିନ୍ ପ୍ରସ୍ତୁତ କରିବା ଏବଂ ଏହାକୁ ସୁରକ୍ଷିତ ଓ ପ୍ରଭାବଶାଳୀ ସାବ୍ୟସ୍ତ କରିବା ଭିନ୍ନ କଥା।

ରୁଷର ଭ୍ୟାକସିନକୁ ନେଇ ସାରା ଦୁନିଆ ସନ୍ଦେହ ପ୍ରକଟ କରୁଛି। ଏହା ମଧ୍ୟରେ ଡବ୍ଲ୍ୟୁଏଚଓ ରୁଷର ଭ୍ୟାକସିନ୍ ସମ୍ବନ୍ଧରେ କିଛି ତଥ୍ୟ ମାଗିଛି। ଡବ୍ଲ୍ୟୁଏଚଓ ରୁଷ୍ ସରକାରଠାରୁ ଭ୍ୟାକସିନ୍ ସମ୍ବନ୍ଧରେ ସମସ୍ତ ରିସର୍ଚ୍ଚକୁ ଜାରି କରିବାକୁ କହିଛି। ଏହାସହ ଡବ୍ଲ୍ୟୁଏଚଓ ରୁଷକୁ ଭ୍ୟାକସିନ୍ ରେଜିଷ୍ଟର କରିବା ପୂର୍ବରୁ ଏହାର କ୍ଲିନିକାଲ୍ ଟ୍ରାଏଲକୁ ପୂରା କରିବାକୁ ମଧ୍ୟ କହିଛି।

ରୁଷ୍ କରୋନା ଭ୍ୟାକସିନ୍ ସ୍ପୁଟନିକ୍-Vର ଘୋଷଣା କରିସାରିଛି। ଅନ୍ୟପକ୍ଷରେ ଏହାର ଉତ୍ପାଦନ ପାଇଁ ୨୦ରୁ ଅଧିକ ଦେଶ ଆବଦେନ କରିଛନ୍ତି। ଋଷିଆନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ (RDIF)ର ମୁଖ୍ୟ କିରିଲ୍ ଦିମିତ୍ରୋଭଙ୍କ ମୁତାବକ, ଲାଟିନ୍ ଆମେରିକା, ମିଡିଲ୍ ଇଷ୍ଟ ଓ କିଛି ଏସୀୟ ଦେଶଗୁଡ଼ିକ ଭ୍ୟାକସିନର ଡିମାଣ୍ଡ କରିଛନ୍ତି। ଏମାନଙ୍କ ମଧ୍ୟରୁ କିଛି ଦେଶମାନଙ୍କ ସହ ରୁଷର ଡିଲ୍ ଫାଇନାଲ୍‌ ମଧ୍ୟ ହୋଇସାରିଛି। ଏହି ଭ୍ୟାକସିନର ତୃତୀୟ ପର୍ଯ୍ୟାୟର ଟ୍ରାଏଲ୍ ୟୁଏଇ ଓ ସାଉଦି ଆରବ ସମେତ ଅନ୍ୟ ଦେଶରେ କରାଯିବ। RDIF ଏଥିପାଇଁ sputnikvaccine.com ନାମରେ ୱେବସାଇଟ୍ ଲଞ୍ଚ୍ କରିଛି। ଏହି ୱେବସାଇଟରେ ଭ୍ୟାକସିନ୍ ସମ୍ବନ୍ଧିତ ସମସ୍ତ ସୂଚନା ମିଳିବା ସହ ପ୍ରଶ୍ନ-ଉତ୍ତରର ଏକ ସେକ୍ସନ୍ ମଧ୍ୟ କରାଯାଇଛି।

ଯଦି ଆମେ ଭାରତ କଥା କହିବା, ତାହେଲେ ଦେଶରେ ଏବେ ଦୁଇଟି କମ୍ପାନୀ ଭ୍ୟାକସିନକୁ ନେଇ ଚର୍ଚ୍ଚା କରୁଛି। ଭାରତ ବାୟୋଟେକ୍ ଓ ଜାଇଡସ୍ କାଡିଲା କରୋନା ଭ୍ୟାକସିନକୁ ନେଇ କାମ ଜାରି ରଖିଛି। ଏହାବ୍ୟତୀତ ଅକ୍ସଫୋର୍ଡ ୟୁନିଭର୍ସିଟି ଏବଂ ଆଷ୍ଟ୍ରା ଜେନେକାର ସମ୍ଭାବ୍ୟ ଭ୍ୟାକସିନକୁ ନେଇ ସୀରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ମଧ୍ୟ ଜୋର୍ ଲଗାଇଛି। ଏସବୁ ଭ୍ୟାକସିନ୍ ସହ ରୁଷ୍ ଦ୍ୱାରା ପ୍ରସ୍ତୁତ ଭ୍ୟାକସିନ ସ୍ପୁଟନିକ୍-V ଉପରେ ଚର୍ଚ୍ଚା ହେବ। ଏକ୍ସପର୍ଟ ପ୍ୟାନେଲର ବୈଠକରେ ଭ୍ୟାକସିନର ଉତ୍ପାଦନ ଏବଂ ଏହାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ଚର୍ଚ୍ଚା କରାଯିବ।

ସେହିପରି ଚୀନ୍ ତା’ର ସେନାକୁ କରୋନାର ଟିକା ଲଗାଇବା ଆରମ୍ଭ କରିଦେଇଛି। ମିଡିଆ ରିପୋର୍ଟ ମୁତାବକ, ପିପୁଲ୍ସ ଲିବରେଶନ୍ ଆର୍ମି (ପିଏଲଏ) ସହାୟତାରେ ଚୀନ୍ କରୋନାର ଟିକା ପ୍ରସ୍ତୁତ କରିଛି ଏବଂ ଏହାକୁ ବିପୁଳ ସଂଖ୍ୟାରେ ସେନାକୁ ଦିଆଯାଉଛି। ଚୀନ୍ ମିଡିଆ ଅନୁଯାୟୀ, ଚୀନର ଡାକ୍ତର ଚେନ୍ ୱେଇଙ୍କର ଏହି ଟିକାକୁ ମଧ୍ୟ ଖୁବ୍ ପ୍ରଶଂସା ମିଳୁଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର କରୋନା ଭ୍ୟାକସିନ୍ ପାଇଁ ମଡର୍ନା କମ୍ପାନୀ ସହ ଡିଲ୍ କରିଛନ୍ତି। ସେ କହିଛନ୍ତି, ଏହି ଭ୍ୟାସକିନ୍ ବିକଶିତ ହେବା ପରେ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ମଡର୍ନା କମ୍ପାନୀ ଦେଶରେ ୧୦ କୋଟିର ଡୋଜ୍ ଉପଲବ୍ଧ କରାଇବ। ଅନ୍ୟପକ୍ଷରେ ମଡର୍ନା ମୁତାବକ, ଆମେରିକା ସରକାର ଏହି ଭ୍ୟାକସିନ୍ ପାଇଁ କମ୍ପାନୀକୁ ୧.୫ ବିଲିୟନ୍ ଡଲାର ଦେଇଛନ୍ତି। ବର୍ତ୍ତମାନ ଏହି କମ୍ପାନୀ ଭ୍ୟାକସିନର କ୍ଲିନିକାଲ୍ ଟ୍ରାଏଲ୍ କରୁଛି। ଏହି ଟ୍ରାଏଲ୍ ଜୁଲାଇ ୨୭ ତାରିଖରୁ ଆରମ୍ଭ ହୋଇଥିଲା।

ଏପି ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଭ୍ୟାକସିନ୍ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିପାରିବ ନାହିଁ। ବିଶେଷକରି ରୁଷ ବାହାରେ ଥିବା ଲୋକଙ୍କ ପାଇଁ ଏହା ସମ୍ଭବ ନୁହେଁ। ରୁଷର ଉପ-ପ୍ରଧାନମନ୍ତ୍ରୀ ତାତ୍ୟାନା ଗୋଲିକୋଭା ସେପ୍ଟେମ୍ବରରେ ଗମ୍-କୋଭ୍-ଭାକ୍ ପାଇଁ ଭ୍ୟାକସିନର ‘ଇଣ୍ଡଷ୍ଟ୍ରିଆଲ୍ ପ୍ରଡକ୍ସନ୍’ ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଷ୍ଟେଟ୍ ରେଜିଷ୍ଟର୍ ଅଫ୍ ଫାର୍ମାସ୍ୟୁଟିକାଲ୍ସର ୱେବସାଇଟ୍ ମୁତାବକ, ଭ୍ୟାକସିନ୍ ୨୦୨୧, ଜାନୁଆରୀ ୧ ତାରିଖରୁ ଉପଲବ୍ଧ ହେବ।

You might also like