ଜହ୍ନକୁ ଯାଇ କ’ଣ ଖୋଜିବ ଚନ୍ଦ୍ରଯାନ-୨

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରର ମାଇଲ ଖୁଣ୍ଟ କୁହାଯାଉଥିବା ଚନ୍ଦ୍ରଯାନ-୨ ଜହ୍ନ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ସୋମବାର ମଧ୍ୟାହ୍ନ ୨ଟା ୪୩ ମିନିଟ୍‌ରେ ଶ୍ରୀହରିକୋଟାର ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ଉତ୍‌କ୍ଷେପଣ କରାଯାଇଥିଲା।  ଚନ୍ଦ୍ରରେ ପହଞ୍ଚିବା ପାଇଁ ଏହାକୁ ପ୍ରାୟ ୪୮ ଦିନ ଲାଗିବ। ୪୮ ଦିନ ପରେ ଜହ୍ନରେ ପହଞ୍ଚିବା ପରେ କେଉଁଠି ରହିବ ? କ’ଣ କରିବ ?

ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ)  ଏହି ଚନ୍ଦ୍ରଯାନ-୨କୁ ଜହ୍ନର ସାଉଥ ପୋଲ୍‌ରେ ସ୍ଥାନିତ କରିବ। ପ୍ରଶ୍ନ ଉଠେ ଜହ୍ନର ସାଉଥ୍‌ ପୋଲରେ କାହିଁକି ରହିବ ଚନ୍ଦ୍ରଯାନ-୨ ? କ’ଣ ଅଛି ସେଠାରେ ?

ପ୍ରକୃତ କଥା ହେଲା, ଚନ୍ଦ୍ରର ଏହି ଭାଗ ବିଷୟରେ ବିଶେଷ କିଛି ତଥ୍ୟ ବୈଜ୍ଞାନିକଙ୍କ ପାଖରେ ନାହିଁ। ଇସ୍ରୋର କହିବା ଅନୁଯାୟୀ ଚନ୍ଦ୍ରର ଭୌଗଳିକ ବାତାବରଣ, ଖଣିଜ ତତ୍ତ୍ୱ, ବାୟୁମଣ୍ଡଳର ଉପରିଭାଗ, ପାଣିର ଅବସ୍ଥିତି ଏସବୁ ଉପରେ ଜାଣିବା ପାଇଁ ଚନ୍ଦ୍ରଯାନ-୨କୁ ଏଠାରେ ସ୍ଥାନିତ କରାଯାଇଛି ।

ଇସ୍ରୋର ଦ୍ୱିତୀୟ ମିଶନ ଚନ୍ଦ୍ରଯାନ-୨। ଚନ୍ଦ୍ର ପୃଷ୍ଠରେ ପାଦ ରଖିଥିବା ଆମେରିକା, ଚୀନ ଏବଂ ରୁଷ ଏ ପର୍ଯ୍ୟନ୍ତ ଚନ୍ଦ୍ରର ଏହି ସାଉଥ୍‌ ପୋଲ୍‌ ଉପରେ ପାଦ ରଖି ନାହାନ୍ତି। ଚନ୍ଦ୍ରଯାନ-୧ ମିଶନ ବେଳେ ଚନ୍ଦ୍ରର ସାଉଥ ପୋଲ୍‌ରେ ଥିବା ବରଫ ଉପରେ ଇସ୍ରୋକୁ ତଥ୍ୟ ମିଳିଥିଲା। ତେଣୁ ଜହ୍ନର ଏହି ଭାଗରେ କଣ ଅଛି ତାହା ଜାଣିବା ପାଇଁ ସାରା ବିଶ୍ୱର ନଜର ଚନ୍ଦ୍ରଯାନ-୨ ଉପରେ ରହିଛି।

ସାଉଥ ପୋଲ୍‌ରେ ରହିଛି ରୋଚକ ତଥ୍ୟ

ଜହ୍ନର ସାଉଥ ପୋଲରେ ରହିଛି ଅନେକ ରହସ୍ୟ । ସେଥିପାଇଁ ମହାକାଶ ବିଜ୍ଞାନୀଙ୍କ ପାଇଁ ସବୁବେଳେ ଏହା ଆକର୍ଷଣର କେନ୍ଦ୍ରବିନ୍ଦୁ। ନର୍ଥ ପୋଲ୍‌ ତୁଳନାରେ ସାଉଥ୍‌ ପୋଲରେ ଅଧିକ ଛାୟା ରହିଛି। ଏମିତି ବି ଆଶା କରାଯାଉଛି ଯେ, ଜହ୍ନର ଏହି ଭାଗରେ ଜଳ ରହିଛି ! ତେଣୁ ଚନ୍ଦ୍ରଯାନ-୨ ଏହି ସତ୍ୟର ଉନ୍ମୋଚନ କରିବ।

ଚନ୍ଦ୍ରଯାନ-୨ରେ ରହିଛି ଲ୍ୟାଣ୍ଡର ‘ବିକ୍ରମ’ ଓ ରୋଭର ‘ପ୍ରଜ୍ଞା’ ଯାହା ଚନ୍ଦ୍ରପୃଷ୍ଠ ପର୍ଯ୍ୟନ୍ତ ଯିବେ। ଉତ୍‌କ୍ଷେପଣର ୪୮ ଦିନ ପରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ପହଞ୍ଚିବ। ଏହାପରେ ‘ବିକ୍ରମ’ ଠାରୁ ‘ପ୍ରଜ୍ଞାନ’ ଅଲଗା ହୋଇଯିବ। ‘ପ୍ରଜ୍ଞାନ’ ୧୪ ଦିନ କାଳ ଚନ୍ଦ୍ରପୃଷ୍ଠରେ ଅନୁଧ୍ୟାନ କରିବ। ‘ବିକ୍ରମ’ ମଧ୍ୟ ଅନୁରୂପ ଭାବେ ୧୪ ଦିନ ଯାଏ ନିଜର ମିଶନ ଜାରି ରଖିବ।

‘ପ୍ରଜ୍ଞାନ’ ଚନ୍ଦ୍ରପୃଷ୍ଠରେ ଥିବା ମାଗ୍ନେସିୟମ,କ୍ୟାଲସିୟମ ଓ ଆଇରନ ଭଳି ଉପାଦାନର ସନ୍ଧାନ ପାଇଁ ଚନ୍ଦ୍ରପୃଷ୍ଠରେ ଥିବା ଶିଳାର ଫଟୋ ଉଠାଇବ। ସେହିପରି ଚନ୍ଦ୍ରର ଅନ୍ଧକାର ପାର୍ଶ୍ୱର ମଧ୍ୟ ଅନୁଧ୍ୟାନ କରିବ। ଏହି ଚନ୍ଦ୍ରଯାନ-୨ରେ ଥିବା ପେ-ଲୋଡ୍ ଗୁଡ଼ିକ ପୃଥିବୀ ସହ ଚନ୍ଦ୍ରର ଇତିହାସ ସମ୍ପର୍କରେ ଅନୁଧ୍ୟାନ କରିବ।

You might also like