କୃଷି କ୍ଷେତ୍ରରେ ହୋଇଥିବା ସୁଧାର ପାଇଁ କୃଷକଙ୍କୁ ମିଳୁଛି ଲାଭ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଆସୋଚାମ ବୈଠକକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସୋଚାମ(ଆସୋସିଏଟେଡ୍ ଚାମ୍ବରସ୍ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ୍ ଇଣ୍ଡିଆ)ର ସ୍ଥାପନା ସପ୍ତାହ ପାଳନ ଅବସସରରେ ଭିଡିଓ କନଫରେନ୍ସିଂ ଯୋଗେ ବୈଠକରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ। ଏହି ଅବସରରେ ଯୋଗ ଦେଇଥିବା ସଦସ୍ୟଙ୍କୁ ପ୍ରୋତ୍ସାହିତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି।

ସମ୍ବୋଧିତ ଭାଷଣରେ ଆତ୍ମନିିର୍ଭର ଭାରତ ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ। ସେ କହିଛନ୍ତି ଯେ, ଗତ ଶହେ ବର୍ଷ ମଧ୍ୟରେ ସଂଗଠନର ସଦସ୍ୟମାନେ କୋଟି କୋଟି ଭାରତୀୟଙ୍କ ଜୀବନକୁ ସୁଧାରିବାର କାର୍ଯ୍ୟ ଜାରି ରଖିଛନ୍ତି। ବର୍ତ୍ତମାନ ଆତ୍ମନିର୍ଭର ଭାରତ ଲାଗି ଆପଣମାନଙ୍କୁ ସମସ୍ତ ଶକ୍ତି ଲଗାଇବାକୁ ପଡ଼ିବ। ବର୍ତ୍ତମାନ ସାରା ବିଶ୍ୱ ଚତୁର୍ଥ ଔଦ୍ୟୋଗିକ ବିପ୍ଲବ ଆଡ଼କୁ ବଢ଼ି ଚାଲିଛି। ନୂଆ ଟେକନୋଲଜିକୁ ନେଇ ଅନେକ ବାଧା ମଧ୍ୟ ଉପୁଜିବ। ଏହାର ସମାଧାନ ମଧ୍ୟ ବାହାରିବ। ନୂଆ ଭାରତ ନିଜର ସାମର୍ଥ୍ୟ ଓ ଭିତ୍ତିଭୂମି ଉପରେ ଉପରେ ଭରସା କରି ଆତ୍ମନିର୍ଭର ଭାରତକୁ ଆଗକୁ ବଢାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ଲଗାତର ଦେଶରେ ସୁଧାର ଆଣିବାକୁ ଚେଷ୍ଟା କରୁଛୁ। ଖୁବ୍‌ଶୀଘ୍ର ଏହାର ଭଲ ପରିଣତି ଦେଖିବାକୁ ମିଳିବ। ବିଗତ ୬ ବର୍ଷରେ ଆମେ ଦେଶର ୧୫୦୦ରୁ ଅଧିକ ପୁରୁଣା ଆଇନ୍‌ ଉଚ୍ଛେଦ କରିଛୁ। ଦେଶର ଆବଶ୍ୟକତା ଅନୁସାରେ ଆଇନ୍‌ ପ୍ରସ୍ତୁତ କରିବା ଜାରି ରଖିବୁ। ୬ ମାସ ପୂର୍ବରୁ କୃଷି କ୍ଷେତ୍ରରେ ଯେଉଁ ସୁଧାର କରାଯାଇଛି, ତାହାର ଲାଭ ଏବେ କୃଷକଙ୍କୁ ମିଳିବା ଆରମ୍ଭ ହୋଇଯାଇଛି। ଆମ ଦେଶର କୃଷକଙ୍କ ପାଖରେ ବଡ଼ ଭଣ୍ଡାର ରହିଛି, ଏହା ସବୁଆଡ଼େ ପହଞ୍ଚିବା ଦରକାର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

ଗୋଟେ ସମୟ ଥିଲା ଯେତେବେଳେ ନିବେଶକାରୀମାନେ ପୁଞ୍ଜି ନିବେଶ କରିବା ପୂର୍ବରୁ କାହିଁକି ଭାରତରେ ପୁଞ୍ଜି ନିବେଶ କରିବା ବୋଲି ପ୍ରଶ୍ନ କରୁଥିଲେ। ହେଲେ ବିଗତ ୬ ବର୍ଷରେ ହୋଇଥିବା ପନୁର୍ଗଠନ ଏବଂ ଏହାର ପ୍ରଭାବରେ ଏମିତି ପଡ଼ିଛି ଯେ ଏବେ କମ୍ପାନୀମାନେ କାହିଁକି ପୁଞ୍ଜି ନିବେଶ ନକରିବା ବୋଲି କହୁଛନ୍ତି ବୋଲି ମୋଦି କହିଛନ୍ତି। କରୋନା ସମୟରେ ବି ଭାରତରେ ହୋଇଥିବା ବିଦେଶୀ ପୁଞ୍ଜିନିବେଶ ବିଷୟରେ ସୂଚନା ଦେଇଛନ୍ତି ମୋଦି। ସେ କହିଛନ୍ତି ସାରା ବିଶ୍ୱକୁ ଆଜି ଭାରତର ଅର୍ଥବ୍ୟବସ୍ଥା ଉପରେ ବିଶ୍ୱାସ ରହିଛି।  ମହାମାରୀ ସମୟରେ ଯେତେବେଳେ ସାରା ବିଶ୍ୱ ପୁଞ୍ଜିନିବେଶ ନେଇ ଚିନ୍ତିତ ଥିଲା ସେତେବେଳେ  ଭାରତରେ ରେକର୍ଡ ସଂଖ୍ୟକ ଏଫ୍‌ଡିଆଇ (ଫରେନ୍‌ ଡାଇରେକ୍ଟ ଇନ୍‌ଭେଷ୍ଟମେଣ୍ଟ) ଓ ଏଫ୍‌ପିଆଇ (ଫରେନ୍‌ ପୋର୍ଟଫୋଲିଓ ଇନ୍‌ଭେଷ୍ଟମେଣ୍ଟ) ନିବେଶ ହୋଇଛି ବୋଲି ମୋଦି କହିଛନ୍ତି।

 

 

You might also like