କାହିଁକି ବଢୁଛି ତୈଳ ଦର ?

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ କଂଗ୍ରେସ ପକ୍ଷରୁ ଆଜି ୬ ଘଣ୍ଟିଆ ଓଡ଼ିଶା ବନ୍ଦ ପାଇଁ ଆହ୍ୱାନ ଦିଆଯାଇଛି। ବନ୍ଦ ପ୍ରଭାବରେ  ଭୁବନେଶ୍ୱର ରେଳ ଷ୍ଟେସନ୍, ସତସଙ୍ଗ ବିହାର, ବାଣୀବିହାର, ଆଚାର୍ଯ୍ୟ ବିହାର ସମେତ ବିଭିନ୍ନ ଛକରେ କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କଂଗ୍ରସ କର୍ମୀମାନେ ପିକେଟିଂ କରୁଛନ୍ତି। ଏନ୍‌ଏଚ୍‌ରେ ଗାଡ଼ି ଚଳାଚଳ ବନ୍ଦ ରହିଥିବା ବେଳେ, ଶହ ଶହ ଗାଡ଼ି ଅଟକ ରହିଛି।

ସୂଚନାଥାଉ କି, ପେଟ୍ରୋଲ, ଡିଜେଲ୍ ଦର ବୃଦ୍ଧି, ବେକାରୀ ସମସ୍ୟା, ରାଜ୍ୟରେ ନାରୀ ଓ ଶିଶୁ ନିର୍ଯାତନା, ବିଗିଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଭଳି ଏକାଧିକ ପ୍ରସଙ୍ଗ ନେଇ କଂଗ୍ରେସ ୬ ଘଣ୍ଟିଆ ବନ୍ଦ ପାଳନ କରୁଛି। ଏଥିସହ ମାହାଙ୍ଗା ହତ୍ୟାକାଣ୍ଡ, କୋଟିଆରେ ଆନ୍ଧ୍ରର ନିର୍ବାଚନ ଓ ମହାନଦୀ ପ୍ରସଙ୍ଗରେ ବି କଂଗ୍ରେସ ବନ୍ଦ ଡାକରା ଦେଇଛି । ତେବେ ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବାକୁ ପିସିସି ସଭାପତି ଆହ୍ୱା‌ନ ଦେଇଛନ୍ତି। ବାଲେଶ୍ୱର, ବ୍ରହ୍ମପୁର, କଟକ ସମେତ କିଛି ସହରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବସ୍ ବନ୍ଦ ରହିଛି, ଗାଡ଼ି ଚଳାଚଳ ବି ବନ୍ଦ ରହିଛିା

ଗୋଟିଏ ପକ୍ଷେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧିକୁ ନେଇ କଂଗ୍ରେସ ଆନ୍ଦୋଳନ କରୁଥିବାବେଳେ ଆଜି ବି ତୈଳ ଦର ବୃଦ୍ଧି ପାଇଛି। ଲଗାତାର ୭ ଦିନ ଧରି ଦର ବୃଦ୍ଧି ପରେ ଆଜି ପେଟ୍ରୋଲ ଲିଟର ପିଛା ୨୬ ପଇସା ଓ ଡିଜେଟ ୨୯ ପଇସା ବଢିଛି।  ଫଳରେ ଦିଲ୍ଲୀରେ ବର୍ତ୍ତମାନ ପେଟ୍ରୋଲ ଦର ଲିଟର ପିଛା ୮୮ ଟଙ୍କା ୯୯ ପଇସା ଓ ଡିଜେଲ୍ ଦର ୭୯ ଟଙ୍କା ୩୫ ପଇସାରେ ପହଞ୍ଚିଛି।

ଏଠାରେ ପ୍ରଶ୍ନ ଉଠେ, କାହିଁକି  ପେଟ୍ରୋଲ, ଡିଜେଲର ଦାମ ଏତେ ଅଧିକ ହେଉଛି ? ଏପରିକି ପଡ଼ୋଶୀ ଦେଶରେ ପେଟ୍ରୋଲ ଡିଜେଲ ଏତେ ଶସ୍ତା ଥିବା ବେଳେ ଆମ ଦେଶରେ କାହିଁକି ଏତେ ଅଧିକ ? ଆସନ୍ତୁ ଦେଖିବା, ୩୨-୩୪ ଟଙ୍କାର ପେଟ୍ରୋଲ ଓ ଡିଜେଲ ଦାମ୍ କେମିତି ବୃଦ୍ଧି ପାଇ ୯୦ ଟଙ୍କା ପାଖାପାଖି ପହଞ୍ଚି ଯାଉଛି।

ଆଜିର ଦର ଅନୁସାରେ ଅଶୋଧିତ ତେଲ କ୍ରୟ ଓ ଏହାର ବିଶୋଧନ ପାଇଁ ଲିଟର ପିଛା ପେଟ୍ରୋଲରେ ଖର୍ଚ୍ଚ ହେଉଛି ୩୨ ଟଙ୍କା ୪୩ ପଇସା । ଏହାକୁ ଆମେ ପେଟ୍ରୋଲର କ୍ରୟ ମୂଲ୍ୟ ବୋଲି ଧରି ପାରିବା । ଏହି କ୍ରୟ ମୂଲ୍ୟ ଉପରେ କେନ୍ଦ୍ର ସରକାର ଟିକସ ନେଉଛନ୍ତି ୩୨ ଟଙ୍କା ୯୮ ପଇସା ଅର୍ଥାତ ଗୋଟିଏ ଲିଟର ପେଟ୍ରୋଲର ପ୍ରକୃତ ମୂଲ୍ୟ ଯେତେ, ତାଠାରୁ ଅଧିକ କେନ୍ଦ୍ର ସରକାର ଟିକସ ନେଉଛନ୍ତି ତା ପରେ ରାଜ୍ୟ ସରକାର ଟିକସ ନେଉଛନ୍ତି ୨୦ ଟଙ୍କା ୯୧ ପଇସା । ଡିଲର କମିଶନ ହେଲା ଲିଟର ପିଛା ୩ ଟଙ୍କା ୩୬ ପଇସା । ଏହିପରି ଭାବେ ୩୨ ଟଙ୍କା ୪୩ ପଇସାର ଗୋଟିଏ ଲିଟର ପେଟ୍ରୋଲର ଦାମ ୮୯ ଟଙ୍କା ୬୮ ପଇସାରେ ପହଞ୍ଚୁଛି।

ସେହିପରି ଅଶୋଧିତ ତେଲ ଓ ଏହାର ବିଶୋଧନ ଖର୍ଚ୍ଚ ମିଶାଇ ଡିଜେଲ ମୂଳ ଦର ହେଉଛି ୩୪ ଟଙ୍କା । ଏହାକୁ ଡିଜେଲର କ୍ରୟ ମୂଲ୍ୟ ବୋଲି କହିପାରିବା। ତା ଉପରେ କେନ୍ଦ୍ର ସରକାର ଟିକସ ନେଉଛନ୍ତି ୩୧ ଟଙ୍କା ୮୩ ପଇସା । ରାଜ୍ୟ ସରକାର ଟିକସ ନେଉଛନ୍ତି ୧୮ ଟଙ୍କା ୪୧ ପଇସା। ଲିଟର ପିଛା ଡିଲର କମିଶନ ନେଉଛନ୍ତି ୨ ଟଙ୍କା ୨୧ ପଇସା । ଏସବୁକୁ ମିଶାଇ ଡିଜେଲ ଦର ପହଞ୍ଚୁଛି ୮୬ ଟଙ୍କା ୪୫ ପଇସାରେ । ଏହିପରି ଭାବେ ଦେଖିଲେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଟିକସକୁ ମିଶାଇ ପେଟ୍ରୋଲ ଓ ଡିଜେଲ ଦର ପ୍ରାୟ ୩ ଗୁଣ ପାଖାପାଖି ହେଉଛି।

You might also like