ନିର୍ବାଚନ ରାଲିଲେ କାହିଁକି ଗୁରୁତ୍ୱପୂର୍ଣ୍ଣ ନୁହେଁ ମାସ୍କ? ଜାଣନ୍ତୁ କଣ କହିଲେ ଦିଲ୍ଲୀ ହାଇକୋର୍ଟ
ନିର୍ବାଚନ ବେଳେ ମାସ୍କ ଗୁରୁତ୍ୱପୂର୍ଣ୍ଣ ନୁହେଁ କି?
ନୂଆଦିଲ୍ଲୀ: ମାସ୍କକୁ ନେଇ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ସମ୍ପ୍ରତି କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଥିବା ନିର୍ବାଚନ ପ୍ରଚାର ଅଭିଯାନରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ଲାଗି ‘ମାସ୍କ୍’ ପିନ୍ଧିବା ବାଧ୍ୟତାମୂଳକ କରାଯାଉନାହିଁ କାହିଁକି ବୋଲି ଏକ ପିଟିସନ୍କୁ ଆଧାର କରି ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାର ଓ ନିର୍ବାଚନ କମିସନ୍ଙ୍କୁ ପଚାରିଛନ୍ତି।ମୁଖ୍ୟ ବିଚାରପତି ଡିଏନ୍ ପଟେଲ୍ ଏବଂ ବିଚାରପତି ଯଶମୀତ ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାର ଓ ନିର୍ବାଚନ କମିସନ୍ଙ୍କୁ ନୋଟିସ୍ ଜାରି କରି ଜବାବ ତଲବ କରିଛନ୍ତି। କେନ୍ଦ୍ର ସରକାରଙ୍କ ତରଫରୁ କାଉନ୍ସେଲ୍ ଅନୁରାଗ ଆହଲୁଓ୍ଵାଲିଆ ଏହି ନୋଟିସ୍ ଗ୍ରହଣ କରିଛନ୍ତି।ତେବେ ଏହାର ପରବର୍ତ୍ତୀ ଶୁଣାଣି ହେବ ଏପ୍ରିଲ୍ ୩୦ ତାରିଖ ଦିନ ହେବ ବୋଲି ସୂଚନା ମିଳିଛି।
ଏଠାରେ, ଆମେ କହିରଖୁଛୁ ବର୍ତ୍ତମାନ ସମୟରେ ଦେଶର ୪ ରାଜ୍ୟ ସହ ଗୋଟିଏ କେନ୍ଦ୍ର ଶାସିତ ଅଂଚଳରେ ବିଧାନସଭା ନିର୍ବାଚନ ହେଉଛି। ଆଉ ଦେଶରେ କରୋନା ସଂକ୍ରମଣ ମଧ୍ୟ ବଢିବାରେ ଲାଗିଛି। ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ୧ ଲକ୍ଷ ୨୬ ହଜାର ୭୮୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ କରୋନା ମହାମାରୀ ୬୮୫ ଜଣଙ୍କର ଜୀବନ ନେଇଛି । ଗତ ୨୪ ଘଣ୍ଟାରେ ହୋଇଥିବା ୬୩୦ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କରୋନା ଜନିତ ମୃତ୍ୟୁସଂଖ୍ୟା ୧,୬୬,୮୬୨ରେ ପହଞ୍ଚିଛି ।ଆଉ ଦେଶରେ ମୋଟ ୧ କୋଟି ୨୯ ଲକ୍ଷ ୨୮ ହଜାର ପାର ହେଲାଣି ସଂକ୍ରମିତଙ୍କ ସଂଖ୍ୟା। ସୁଦ୍ଧା ଭାଇରସକୁ ମାତ ଦେଇ ୧କୋଟି ୧୮ ଲକ୍ଷରୁ ଅଧିକ ସୁସ୍ଥ ବି ହେଲେଣି। ଏତେ ମାତ୍ରାରେ କରୋନା ବ୍ୟାପୁଥିବା କାରଣରୁ କେନ୍ଦ୍ର ଓ ରାଜ୍ୟ ସରକାର ଚିନ୍ତାରେ ଅଛନ୍ତି।
କଡା ଚେକିଂ କରିବାକୁ ସରକାର ଘନଘନ ବୈଠକ କରି ନିର୍ଦ୍ଦେଶନାମା ମଧ୍ୟ ଜାରି କରୁଛନ୍ତି। କେବଳ ନିର୍ଦ୍ଦେଶନାମା ଜାରି ହୋଇଛି ତାହା ନୁହେଁ ଲୋକମାନଙ୍କଠାରୁ ମୋଟା ଅଙ୍କର ଫାଇନ ବି ଆଦାୟ କରାଯାଉଛି । ଆଉ ଏହାରି ମଧ୍ୟରେ ଫାଇନ୍ କଟାଯାଉଥିବା ଲୋକମାନେ ସିଧାସଳଖ ଅଭିଯୋଗ କରିଛନ୍ତି ଯେ, ଆମେ ମାନେ କରୋନା ନିୟମ ନମାନିଲେ ଫାଇନ୍ କାଟୁଛ ଠିକ୍ ଅଛି। କିନ୍ତୁ ନିର୍ବାଚନ ପ୍ରଚାର ବେଳେ ହଜାର ହଜାର ଲୋକ ଏକତ୍ରୀତ ହେଉଛନ୍ତି। ସେମାନଙ୍କଠାରୁ କାହିଁକି ଫାଇନ୍ କାଟୁନାହିଁ ପ୍ରଶାସନ? ନା ସେମାନଙ୍କ ଲାଗି କୌଣସି ନୂଆ ଆଇନ ଅଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଆଉ ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ହାଇକୋର୍ଟରେ ଆଜି ମାସ୍କକୁ ନେଇ ଶୁଣାଣି ହୋଇଛି।