କାହିଁକି ବାତ୍ୟାର ସଂଖ୍ୟା ବଢୁଛି?

କାହିଁକି ବାରମ୍ବାର ବଙ୍ଗୋପ ସାଗର ଓ ଆରବ ସାଗରରେ ବାତ୍ୟା ସୃଷ୍ଟି ହେଉଛି?

ଭୁବନେଶ୍ୱର: ୨୦୧୯ରେ ଫୋନି, ୨୦୨୦ରେ ଅଂପନ୍ ଓ ଏବର୍ଷ ୟାସ୍। ଲଗାତାର ୩ ବର୍ଷ ଧରି ଓଡ଼ିଶା ଭୟଙ୍କର ସାମୁଦ୍ରିକ ଘୂର୍ଣ୍ଣିଝଡ଼ର ପ୍ରକୋପକୁ ସାମ୍ନା କରିଆସୁଛି ଓଡ଼ିଶା। ତେବେ କେବଳ ଏହି ୩ ବର୍ଷ ନୁହେଁ, ଯଦି ଭାରତୀୟ ଭୂଖଣ୍ଡର ପୂର୍ବ ଓ ପଶ୍ଚିମ ତଟକୁ ଦେଖିବା ତେବେ ପ୍ରତିବର୍ଷ ଏକାଧିକ ବାତ୍ୟା ମାଡ଼ ହେଉଛି ଏବଂ ସେଗୁଡ଼ିକ ସାଧାରଣ କି ଦୁର୍ବଳ ବି ନୁହେଁ କେଉଁଟି ଅତି ଭୀଷଣ ତ କେଉଁଟି ଅତ୍ୟନ୍ତ ଭୀଷଣ ହେଉଛି। ତେବେ କାହିଁକି? କାହିଁକି ବାରମ୍ବାର ବଙ୍ଗୋପ ସାଗର ଓ ଆରବ ସାଗରରେ ବାତ୍ୟା ସୃଷ୍ଟି ହେଉଛି?

ଅକ୍ଟୋବରରେ ଆସିଥିବା ୧୯୯୯ ମହାବାତ୍ୟା, ଫାଇଲିନ୍ ଓ ହୁଡହୁଡ୍ ହେଉ, କି ମେ ମାସରେ ଆସିଥିବା ଫନି, ଅଂପନ୍ ଓ ୟାସ୍ ।ଓଡ଼ିଶାକୁ ପ୍ରାୟ ପ୍ରତ୍ୟେକ ବର୍ଷ କାହିଁକି ପ୍ରଭାବିତ କରୁଛି ବଡ଼ ବଡ଼ ବାତ୍ୟା? କାହିଁକି ଉପକୂଳବର୍ତ୍ତୀ ରାଜ୍ୟ ଗୁଡ଼ିକ ଉପରେ ଲଗାତାର ଦାଉ ସାଧି ଚାଲିଛି ବଙ୍ଗୋପସାଗରରୁ ଉଠୁଥିବା ଦୈବି ଦୂର୍ବିପାକ? କେବଳ ବଙ୍ଗୋପସାଗର ନୁହେଁ, ଆରବ ସାଗରରେ ବି ଗତ କିଛି ବର୍ଷ ହେବ ଏକାଧିକ ବାତ୍ୟା ଭାରତ ଭୂଖଣ୍ଡର ପଶ୍ଚିମତଟରେ ବ୍ୟାପକ କ୍ଷୟକ୍ଷତି ଘଟାଉଛି। ଓଡ଼ିଶାକୁ ୟାସ୍ ଆସିବା କିଛି ଦିନ ପୂର୍ବରୁ ବି କୋଙ୍କଣ ଓ ସୌରାଷ୍ଟ୍ର ତଟରେ ତାଉତେ ଭୀଷଣ ତାଣ୍ଡବ ରଚିଥିଲା। ତେବେ କାହିଁକି ବଙ୍ଗୋପସାଗର ଓ ଆରବ ସାଗର ସମେତ ଉତ୍ତର ଭାରତ ମହାସାଗରରେ ବାରମ୍ବାର ସୃଷ୍ଟି ହେଉଛି ବାତ୍ୟା?

କେଉଁ ବର୍ଷ ଗୋଟିଏ, ତ କେଉଁ ବର୍ଷ ଏକାଧିକ ବିପର୍ଯ୍ୟୟ ପଛର କାରଣ କଣ? ଜଳବାୟୁ ପରିବର୍ତ୍ତନ ସହ ଏହି ଟ୍ରେଣ୍ଡରେ ବୃଦ୍ଧି ଆସିଛି କି? ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଦୀର୍ଘବର୍ଷର ରେକର୍ଡକୁ ଦେଖିଲେ ଜଣାପଡ଼ୁଛି, ବଙ୍ଗୋପସାଗରରେ ଭୀଷଣ ଓ ଅତି ଭୀଷଣ ବାତ୍ୟା ସଂଖ୍ୟାରେ କୌଣସି ପରିବର୍ତ୍ତନ ଆସିନାହିଁ। ତେବେ ଆରବ ସାଗରରେ ଭୀଷଣ ଓ ଅତିଭୀଷଣ ବାତ୍ୟାର ସଂଖ୍ୟା କିଛି ଦଶନ୍ଧି ହେବ ବୃଦ୍ଧି ପାଇଛି। ଜଳବାୟୁ ପରିବର୍ତ୍ତନ ଏହା ପଛର ଗୋଟିଏ କାରଣ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି।

ତେବେ ବଙ୍ଗୋପସାଗର ଓ ଆରବସାଗରରେ ବାତ୍ୟା ସଂଖ୍ୟାରେ ଉନ୍ନତି ବା ଅବନତି ଆସିନଥିଲେ ବି, ବାତ୍ୟା ସମୁଦ୍ରରୁ ତଟର ନିକଟବର୍ତ୍ତୀ ହେଲା ବେଳକୁ ମନ୍ଥର ହୋଇଯାଉଥିବାରୁ, ଅର୍ଥାତ୍ ଏହା ସାଧାରଣ ବେଗ ଅପେକ୍ଷା ଧିରେ ଧିରେ ଆଗକୁ ବଢ଼ୁଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ଅଧିକ କ୍ଷୟକ୍ଷତି ହେଉଛି ବୋଲି କହିଛନ୍ତି ଆଇଏମଡ଼ି ଡିଜି। ଏଥିସହ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ଷା ପରିମାଣରେ ପରିବର୍ତ୍ତନ ଆସିଛି ବୋଲି ସେ କହିଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଅଧିକ ଦିନ ପ୍ରବଳ ବର୍ଷା ହେଉଛି ଏବଂ କମ୍ ଦିନ ସ୍ୱଳ୍ପ ଓ ମଧ୍ୟମ ଧରଣର ବର୍ଷା ହେଉଛି ବୋଲି ସେ ସୂଚନା ଦେଇଛନ୍ତି।

ବାତ୍ୟା ୟାସ୍ ବେଳେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ପରବର୍ତ୍ତୀ ବନ୍ୟା ହେବା ପଛରେ ମଧ୍ୟ ନିର୍ଦ୍ଦିଷ୍ଟ କାରଣ ରହିଛି। ଏହି ଅତି ଭୀଷଣ ଘୂର୍ଣ୍ଣିଝଡ଼ ସମୁଦ୍ରରେ ଗତି କଲା ବେଳେ ଅତ୍ୟଧିକ ଜଳୀୟ ବାଷ୍ପ ସଂଗ୍ରହ କରିଥିଲା। ତେଣୁ ଉପକୂଳରେ ଅତ୍ୟଧିକ ବର୍ଷା ହେଲା। ଏଥିସହ ବାତ୍ୟା ଅଧିକ ବେଗରେ ଗତି କରିଥିବାରୁ ଉଚ୍ଚ ଜୁଆର ଆସି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଜଳାର୍ଣ୍ଣବ କରିଥିବା କୁହାଯାଉଛି ।

You might also like