ସିନ୍ଧିଆ ଓ ଜିତିନଙ୍କ ରାସ୍ତାରେ ଯିବେନି ତ ପାଇଲଟ?

କଣ ଚାଲିଛି କଂଗ୍ରେସରେ?

ନୂଆଦିଲ୍ଲୀ: ପୁରା ଦେଶରେ କଂଗ୍ରେସର ସମାନ ସ୍ଥିତି। ଗୋଷ୍ଠୀ କନ୍ଦଳ, କ୍ଷମତା ଯୁଦ୍ଧ, ଦଳୀୟ ସ୍ୱାର୍ଥକୁ ଛାଡି ନିଜସ୍ୱ ସ୍ୱାର୍ଥକୁ ଅଗ୍ରାଧିକାର ଆଗରୁ ବିବାଦ ସମାଧାନ ଲାଗି ନେତାଏ ହାଇକମାଣ୍ଡଙ୍କ ନିକଟକୁ ଧାଉଁ ଥିଲେ। ତେବେ ଭେଟେରାନ ଅହମ୍ମଦ ପଟେଲଙ୍କ ମୃତ୍ୟୁ ପରେ ହାଇକମାଣ୍ଡ୍ ଔପଚାରିକାତରେ ପରିଣତ ହୋଇଛି। ଅସନ୍ତୁଷ୍ଟଙ୍କ ଆପତ୍ତି ଅଭିଯୋଗ ବୁଝିବା ଲାଗି ବଳିଷ୍ଠ ଫୋରମର ଅଭାବ କାରଣରୁ ନେତାଏ ଆନମନା ହେଉଛନ୍ତି। ରାହୁଲ ହୁଅନ୍ତୁ କି ପ୍ରିୟଙ୍କା, ରାଜ୍ୟ ନେତାଙ୍କ ଉପରେ ଏମାନଙ୍କର ସେତେଟା କାଟତି ନାହିଁ। ତେଣୁ ଦଳକୁ ଏକଜୁଟ୍ ରଖିବା କଂଗ୍ରେସ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇଛି।

ଜିତିନଙ୍କ ପରେ ଏବେ ରାଜସ୍ଥାନରେ ଅସନ୍ତୁଷ୍ଟ ନେତା ସଚ୍ଚିନ ପାଇଲଟଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ନଜର ରହିଛି। ସିନ୍ଧିଆ ଓ ଜିତିନଙ୍କ ରାସ୍ତାରେ ଯିବେନି ତ ପାଇଲଟ? ଗତକାଲି ପାଇଲଟଙ୍କ ଘରେ ତାଙ୍କ ସମର୍ଥକ ବିଧାୟକଙ୍କ ବୈଠକକୁ ନେଇ ବଢିଛି କଳ୍ପନାଜଳ୍ପନା, ଜୋର ଧରିଛି ଚର୍ଚ୍ଚା। କାରଣ ତାଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଏଯାଏଁ ପୂରଣ ହୋଇନଥିବା ପାଇଲଟ୍ ଦଳକୁ ମନେ ପକାଇ ଦେଇଛନ୍ତି। ଅଶୋକ ଗେହଲୋଟଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ କରାଯିବା ପ୍ରତିବାଦରେ ଗତବର୍ଷ ରଣହୁଙ୍କାର ଦେଇଥିଲେ ସଚିନ୍ ପାଇଲଟ। ଏମିତିକି ନିଜ ସମର୍ଥକଙ୍କ ସହ ସେ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା। ଏହା ହୋଇଥିଲେ ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ବି କଂଗ୍ରେସ ସରକାରର ପତ୍ତନ ଘଟିଥାଆନ୍ତା।

ମାତ୍ର ଶେଷ ମୁହୂର୍ତ୍ତରେ ପ୍ରିୟଙ୍କା ଓ ରାହୁଲଙ୍କୁ ଭେଟିବା ପରେ ମନପରିବର୍ତ୍ତନ କରିଥିଲେ ସଚିନ୍। ଏହାସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ସହ ତାଙ୍କର ସଂପର୍କ ଭଲ ନାହିଁ। ତେବେ ସଚିନଙ୍କ ଅନୁଗତକୁ ମନ୍ତ୍ରିମଣ୍ଡଳରେ ସାମିଲ ଲାଗି ଗେହଲୋଟ୍ ଖୁବଶୀଘ୍ର କ୍ୟାବିନେଟର ଦଳବଦଳ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏପଟେ ସଚିନଙ୍କ ସମୟ ଆସିବ, ସେଥିଲାଗି ସେ ଧୈର୍ଯ୍ୟର ସହ ଅପେକ୍ଷା କରିବା ଦରକାର ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ୍। ତେବେ ଦଳ ସଚିନଙ୍କୁ କେତେ ଦିନ ବାନ୍ଧି ରଖିପାରୁଛି ଏବେ ତାହା ଦେଖିବା କଥା।

କେବଳ ଉତ୍ତରପ୍ରଦେଶ କି ରାଜସ୍ଥାନ ନୁହେଁ ବରଂ ସବୁଠି କଂଗ୍ରେସର ସମାନ ସମସ୍ୟା। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଓ ପୂର୍ବତନ ମନ୍ତ୍ରୀ ନବଜୋତ୍ ସିଂହ ସିଦ୍ଧୁଙ୍କ ମଧ୍ୟରେ ବିବାଦ ଚରମସୀମାରେ ପହଞ୍ଚିଛି। ଉଭୟ ଗୋଷ୍ଠୀଙ୍କ ପକ୍ଷ ଶୁଣିବା ଲାଗି କଂଗ୍ରେସ ୩ ଜଣିଆ କମିଟି ଗଠନ କରିଛି। ତେବେ ବିବାଦ ପ୍ରଶମିତ କରିବାରେ ଏହା କେତେ ସଫଳ ହେଉଛି ତାହା କହିବା ମୁସ୍କିଲ। ଏପଟେ କର୍ଣ୍ଣାଟକରେ ବି ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ଓ ଡି.କେ ଶିବକୁମାରଙ୍କ ମଧ୍ୟରେ କ୍ଷମତା କନ୍ଦଳ ଲାଗି ରହିଛି। ଏସବୁ ବିବାଦର ସମାଧାନ ଆଗାମୀ ଦିନରେ ରାହୁଲ ଓ ପ୍ରିୟଙ୍କା ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବାକୁ ଯାଉଛି। ରାହୁଲ ଓ ପ୍ରିୟଙ୍କା ନେତାଙ୍କ ଆଶା ଓ ଆକାଂକ୍ଷା ପୂରଣ ଦିଗରେ ପଦକ୍ଷେପ ନେଉଛନ୍ତି ନା ଚିରାଚରିତ ଢଙ୍ଗରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ତାହା ଦଳର ଭବିଷ୍ୟତର ରୋଡମ୍ୟାପ୍‌ ପ୍ରସ୍ତୁତ କରିବ ବୋଲି କୁହାଯାଉଛି।

You might also like