କିଏ ଲେଖନ୍ତି ପ୍ରଧାନମନ୍ତ୍ରୀଙ୍କ ଭାଷଣ ? କେତେ ଟଙ୍କା ଖର୍ଚ୍ଚ ହୁଏ : RTIରୁ ମିଳିଲା ଉତ୍ତର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ପ୍ରଖର ବକ୍ତା କହିଲେ ଅତ୍ୟୁକ୍ତି ହେବ ନାହିଁ । ତାଙ୍କର ଭାଷଣ ଦେବାର ଶୈଳୀ ଖୁବ୍‌ ଚମତ୍କାର । ନିଜର ନିଆରା ଭାଷଣ ଦେବାର ଶୈଳୀ ପାଇଁ ପ୍ରଧାନମନ୍ତ୍ରୀ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । କୌଣସି ବିରତି ନନେଇ ଘଣ୍ଟା ଘଣ୍ଟା ସେ ଅନବରତ ଭାଷଣ ଦେଇପାରନ୍ତି। ଯେଉଁ କାର୍ଯ୍ୟକ୍ରମରେ ମୋଦି ଯୋଗ ଦିଅନ୍ତି, ଭାଷଣ ଶୁଣିବା ପାଇଁ ଲୋକଙ୍କ ଭିଡ଼ ଜମେ। ତେବେ କିଛି ଲୋକ ଏଥିପାଇଁ ତାଙ୍କୁ ବିଶେଷ ଭାବେ ପସନ୍ଦ କରୁଥିବା ବେଳେ ଆଉ କିଛି ତାଙ୍କ ବକ୍ତବ୍ୟକୁ ପ୍ରଚାର ସର୍ବସ୍ୱ ବୋଲି ମତ ଦିଅନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଦିନ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ସବୁବେଳେ ବ୍ୟସ୍ତ ଥାଆନ୍ତି। ପ୍ରତିରକ୍ଷା, ସ୍ୱାସ୍ଥ୍ୟ, ବଜେଟ, ଅର୍ଥ ଆଦି ପ୍ରସଙ୍ଗରେ ତାଙ୍କୁ  ପ୍ରତିଦିନ ଭାଷଣ ଦେବାକୁ ପଡ଼େ। ମହାମାରୀ ସମୟରେ ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଥିବା ବେଳେ ମୋଦି ୱେବିନାର ମାଧ୍ୟମରେ ଲୋକଙ୍କୁ ସମ୍ବୋଧିତ କରୁଥିଲେ। ପ୍ରତିଦିନ କେଉଁଠି  ନାଁ କେଉଁଠି ଭାଷଣ ଦେଇ ଲୋକଙ୍କୁ ସଚେତନ କରୁଥିଲେ। ଓଜସ୍ୱୀନୀ ଭାଷଣ ମାଧ୍ୟମରେ ରାଜନୈତିକ ରାଲି ଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ସମ୍ମିଳନୀରେ ଦଳ ତଥା ଭାରତର ଦବଦବା ଜାହିର କରିବା ଦିଗରେ ସେ ବେଶ୍ ପାରଙ୍ଗମ।  ତେବେ ଏପରିସ୍ଥଳରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ କିଏ ଲେଖ?

ମୋଦିଙ୍କ ଭାଷଣ ଲେଖୁଥିବା ଲୋକ ଜଣକ କିଏ ? କିଏ ପ୍ରଧାନମନ୍ତ୍ରୀଙ୍କ ପାଇଁ ବିଭିନ୍ନ ପ୍ରକାରର ଭାଷଣ ଲେଖୁଛନ୍ତି?  ଏହି ପ୍ରଶ୍ନର ଉତ୍ତର ପାଇବା ପାଇଁ ଇଣ୍ଡିଆ ଟୁଡ଼େ ଟିଭି, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ଉଦ୍ଦେଶ୍ୟରେ ଆରଟିଆଇ(ସୂଚନା ଅଧିକାର) ଫାଇଲ କରିଥିଲା। ଏହି ଆବେଦନରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଭାଷଣ ଲେଖୁଥିବା ବ୍ୟକ୍ତି ବିଶେଷଙ୍କ ସମ୍ମନ୍ଧରେ ସବିଶେଷ ତଥ୍ୟ ମଗାଯାଇଥିଲା। ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଲେଖା ହେଉଥିବା ଭାଷଣ ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ, ଆଉ ଏହାକୁ ଲେଖୁଥିବା ଲୋକଙ୍କୁ କେତେ ଟଙ୍କା ଦିଆଯାଏ ବୋଲି ମଧ୍ୟ ପ୍ରଶ୍ନ କରାଯାଇଥିଲା।  ।

ବିଭିନ୍ନ ଉତ୍ସ ଆଧାରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ପ୍ରସ୍ତୁତ ହୋଇଥାଏ। ଆରଟିଆଇର ଏହି ପ୍ରଶ୍ନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଉତ୍ତର ଦିଆଯାଇଛି । ସିଧାସଳଖ ଭାବେ କେହି ମୋଦିଙ୍କ ଭାଷଣ ଲେଖନ୍ତି ନାହିଁ। ପିଏମଓ ପକ୍ଷରୁ କୁହାଯାଇଛି, କାର୍ଯ୍ୟକ୍ରମ ଆଧାରରେ ବିଭିନ୍ନ ବ୍ୟକ୍ତି, ଅଧିକାରୀ, ବିଭାଗ, ସଂସ୍ଥା , ସଂଗଠନ ଆନି ପ୍ରଧାନମନ୍ତ୍ରୀଙ୍କ ଭାଷଣ ପାଇଁ ତଥ୍ୟ ପ୍ରଦାନ କରିଥାଆନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଉତ୍ସ ଆଧାରରେ ଭାଷଣକୁ ଅନ୍ତିମ ରୂପ ଦିଅନ୍ତି।

ଜବାହାରଲାଲ ନେହରୁଙ୍କ ସମୟ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ପର୍ଯ୍ୟନ୍ତ ପ୍ରତ୍ୟେକ ଭାଷଣ ପାଇଁ ପାର୍ଟି ୟୁନିଟ, ମନ୍ତ୍ରଣାଳୟ, ସମ୍ବନ୍ଧିତ ବିଷୟର ବିଶେଷଜ୍ଞ ଓ ପ୍ରଧାନମନ୍ତ୍ରୀଙ୍କ ପାଇଁ କାମ କରୁଥିବା ନିଜସ୍ୱ ଟିମ୍ ଭାଷଣ ପାଇଁ ତଥ୍ୟ ଜୁଟାଇ ଥାଆନ୍ତି। ଆଉ ଏହି କାର୍ଯ୍ୟ ଏବେ ସୁଦ୍ଧା ଜାରି ରହିଛି। କୁହାଯାଏ ଜବାହାରଲାଲ ନେହରୁ ନିଜ ଭାଷଣ ଲେଖିବା ପାଇଁ ଅନେକ ସମୟ ନେଉଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟକ୍ତିଗତ ଭାବେ ଭାଷଣ ଲେଖିବା ପାଇଁ କେତେ ସମୟ ଦିଅନ୍ତି, ସେ ସମ୍ପର୍କରେ ଆରଟିଆଇରେ ପ୍ରକୃତ ତଥ୍ୟ ମିଳିପାରି ନାହିଁ।

You might also like