୩ ରାଜ୍ୟର ମୁଖ୍ୟମନ୍ତ୍ରୀ ଚୟନ ନେଇ କଂଗ୍ରେସରେ କସରତ; ଚିନ୍ତାରେ ହାଇ କମାଣ୍ଡ୍‌

ନୂଆଦିଲ୍ଲୀ: ୩ ବିଜେପି ଶାସିତ ରାଜ୍ୟରେ କଂଗ୍ରେସ କ୍ଷମତା ହାତେଇବା ପରେ ଏବେ ସରକାର ଗଠନକୁ ନେଇ କସରତ । ୩ ରାଜ୍ୟରେ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ କଳ୍ପନାଜଳ୍ପନା ଜାରି ରହିଛି।

ମଧ୍ୟପ୍ରଦେଶରେ ନୂଆ ମୁଖ୍ୟମନ୍ତ୍ରୀ କମଲନାଥ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ କଂଗ୍ରେସ ପକ୍ଷରୁ ଏନେଇ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନାହିଁ।। କଂଗ୍ରେସ ବିଧାୟକ ଦଳ ବୈଠକରେ କମଲନାଥଙ୍କ ନାଁରେ ମୋହର ବାଜିଥିବା ସୂଚନା ମିଳିଛି। ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଏ.କେ. ଆଣ୍ଟୋନୀ, ଦିଗ୍‌ବିଜୟ ସିଂ, ଜ୍ୟୋତିରଆଦିତ୍ୟ ସିନ୍ଧିଆଙ୍କ ସମେତ ଅନ୍ୟ ପ୍ରମୁଖ ନେତା ଉପସ୍ଥିତ ଥିଲେ। ତେବେ ମୁଖ୍ୟମନ୍ତ୍ରୀ କିଏ ହେବ ଏହି ନିଷ୍ପତ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପରେ ଛାଡ଼ି ଦିଆଯାଇଛି। କମଲ ନାଥ ୧୯୮୦ରୁ ଛିନ୍ଦୱାଡ଼ା ଲୋକସଭା ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି। ଏଯାଏ ସେ ୯ଥର ଲୋକସଭା ନିର୍ବାଚନ ଜିତି ସାରିଲେଣି।

ସେହିପରି ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ମଧ୍ୟ ସସ୍‌ପେନ୍ସ ଜାରି ରହିଛି। ସଚିନ୍‌ ପାଇଲଟ୍‌ ଏବଂ ଅଶୋକ ଗେହଲଟ୍‌ ମୁଖ୍ୟମନ୍ତ୍ରୀ ଦୌଡରେ ଅଛନ୍ତି। ସଚିନ୍‌ ପାଇଲଟ୍‌ଙ୍କ ସପକ୍ଷରେ ଅଧିକ ସମର୍ଥନ ଥିବା କୁହାଯାଉଛି। ତେବେ ମୁଖ୍ୟମନ୍ତ୍ରୀ ନାଁ ନେଇ ରାହୁଲ ଗାନ୍ଧି ଶେଷ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।

ସେପଟେ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ୩ ଆଶାୟୀ ଅଛନ୍ତି।  ଛତିଶଗଡ଼ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭୁପେଶ ବଘେଲ, ବରିଷ୍ଠ ନେତା ଟି.ଏସ୍ ସିଂହଦେଓ ଓ ଅନ୍ୟତମ ବରିଷ୍ଠ ନେତା ତାମ୍ରଧ୍ୱଜ ସାହୁ ଅଛନ୍ତି। ତେବେ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଏହାର ନିଷ୍ପତ୍ତି କଂଗ୍ରେସ ହାଇ କମାଣ୍ଡ ରାହୁଲ ଗାନ୍ଧିଙ୍କ ଉପରେ ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ଛାଡ଼ିଛି। ରାୟପୁରରେ ବସିଥିବା  କଂଗ୍ରେସ ବିଧାୟକଦଳ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏଥିରେ ସର୍ବ ସମ୍ମତିକ୍ରମେ ରାହୁଲ ଗାନ୍ଧିଙ୍କ ଉପରେ ନିଷ୍ପତ୍ତି ଛଡ଼ା ଯାଇଛି।

You might also like