ରେମଡେସିଭିରକୁ ଔଷଧ ତାଲିକାରୁ ହଟାଇଲା WHO

ୱାଶିଂଟନ: କରୋନା ଭାଇରସ ଚିକିତ୍ସା ପାଇଁ ଚର୍ଚ୍ଚାରେ ଥିବା ବାଇଟେକ୍ନୋଲୋଜି କମ୍ପାନୀ ଗିଲ୍‌ଡର ଆଣ୍ଟିଭାଇରାଲ୍ ଔଷଧ ରେମଡେସିଭିରକୁ ଔଷଧ ତାଲିକାରୁ ହଟାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ)। ତେବେ ଏହା ପୂର୍ବରୁ କରୋନା ରୋଗୀଙ୍କ ପାଇଁ ରେମଡେସିଭିର ବ୍ୟବହାର ନେଇ ମଧ୍ୟ ସତର୍କବାଣୀ ଜାରି କରିଥିଲା ‘ହୁ’।

ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରୟଟର୍ସ ଅନୁସାରେ, ‘ହୁ’ ଗିଲ୍‌ଡ କମ୍ପାନୀର ରେମଡେସିଭିରକୁ ଔଷଧର ତଥାକଥିତ ପ୍ରାକ ଯୋଗ୍ୟତା(ପ୍ରି କ୍ୱାଲିଫିକେସନ ଲିଷ୍ଟ) ତାଲିକାରୁ ବାହାର କରିଦେଇଛି। ବିକାଶଶୀଳ ଦେଶଗୁଡ଼ିକର ଖରିଦଦାରୀ ପାଇଁ ଏକ ମାନଦଣ୍ଡ ଭାବେ ବ୍ୟବହାର କରାଯାଉଥିବା ଏହି ଔଷଧ ତାଲିକାରୁ ରେମ୍‌ଡେସିଭିରକୁ ବାହାର କରିଛି ହୁ। ଏନେଇ ‘ହୁ’ ର ଗଣମାଧ୍ୟମ ପ୍ରତିନିଧି ତାରିଖ ଜସାରଭିକ୍ ମେଲ୍ ଯୋଗେ ରୟଟର୍ସକୁ ସୂଚନା ଦେଇଛନ୍ତି।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କରୋନାଭାଇରସ୍ ସଂକ୍ରମଣର ଚିକିତ୍ସା ପାଇଁ ଅନ୍ୟ ଔଷଧ ସହିତ ରେମଡେସିଭିରକୁ ବି ବ୍ୟବହାର କରାଯାଉଥିଲା। ଏହାଛଡ଼ା ଏହି ଔଷଧରେ ଶୀଘ୍ର ସୁସ୍ଥ ହେଉଥିବା ମଧ୍ୟ କେତେକ ଗବେଷଣାରେ ଦର୍ଶାଯାଇଥିଲା। ୫୦ରୁ ଅଧିକ ଦେଶରେ କରୋନା ଚିକିତ୍ସା ପାଇଁ ରେମଡେସିଭିରକୁ ଅନୁମତି ମିଳିଛି।

ଅନ୍ୟପଟେ ଭାରତରେ ମଧ୍ୟ ଏହି ଔଷଧକୁ ରପ୍ତାନୀ କରିବା ପାଇଁ କମ୍ପାନୀ ଆନେକ ଭାରତୀୟ ଫାର୍ମା କମ୍ପାନୀ ସହିତ ଚୁକ୍ତି କରିସାରିଛି। ଭାରତର ଡ. ରେଡ୍ଡୀ ଲାବୋରୋଟାରିସ ଓ ସିପ୍‌ଲା ବ୍ୟତୀତ ଅନ୍ୟମାନେ ମଧ୍ୟ ଜେନେରିକ ରେମଡିସିଭିର ଆଣ୍ଟିଭାଇରାଲ ଔଷଧ ତିଆରି କରିବା ଆରମ୍ଭ କରିଦେଇଛନ୍ତି।

You might also like