କରୋନା ଭାଇରସର୍‌ ନୂଆ ରୂପ କ୍ଲଷ୍ଟର -୫; ସତର୍କ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲୀ: ଡେନ୍‌ମାର୍କ ଓ ଆମେରିକା ଭଳି ୬ଟି ରାଷ୍ଟ୍ରରୁ ମିଙ୍କ୍ (ନେଉଳ ଜାତୀୟ ଜୀବ) ଫାର୍ମରୁ ଏକ ନୂଆ ପ୍ରକାରର କରୋନା ଭାଇରସ୍‌ ବ୍ୟାପୁଛି। ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ‘ହୁ’ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ଗୁଣସୂତ୍ରରେ ପରିବର୍ତ୍ତନ ହେଇ ଏହି ନୂଆ ପ୍ରକାରର ଭାଇରସ ସୃଷ୍ଟି ହୋଇଥିବା କୁହାଯାଉଛି। ଗବେଷକମାନେ ଏହାର ନାଁ ଦେଇଛନ୍ତି କ୍ଲଷ୍ଟର-୫ । 

ଡେନ୍‌ମାର୍କ ଓ ଆମେରିକା ସହିତ ଇଟାଲୀ, ନେଦର୍‌ଲ୍ୟାଣ୍ଡ, ସ୍ପେନ୍ ଓ ସ୍ୱିଡେନ୍‌ରେ ମିଙ୍କ୍ ଠାରୁ ସାର୍ସ-କୋଭ୍‌ଡି-୨ ଭାଇରସ ଆସିଥିବା ଜଣାପଡ଼ିଛି ବୋଲି ହୁ କହିଛି। ଡେନ୍‌ମାର୍କର ଉତ୍ତରାଞ୍ଚଳରେ ଥିବା ମିଙ୍କ୍ ଫାର୍ମରୁ ଏହି ଭାଇରସର ଏକ ନୂଆ ପରିବର୍ତ୍ତିତ ଭାଇରସ ମଣିଷ ଶରୀରରେ ପ୍ରବେଶ କରିଛି। ଏଥିରେ ୧୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିବା ପରେ ଏହାକୁ ରୋକିବାକୁ କଠୋର ପଦକ୍ଷେପ ନେଇଛି ଡେନ୍‌ମାର୍କ। ଏହି ଭୂତାଣୁ ଭବିଷ୍ୟତରେ ଅଡ଼ୁଆ ସୃଷ୍ଟି କରିପାରେ ବୋଲି ଚେତାବନୀ ଦେବା ସହିତ ଦେଶରେ ଥିବା ପ୍ରାୟ ଦେଢ଼ କୋଟି ମିଙ୍କ୍ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଡେନ୍‌ମାର୍କ ସରକାର। ମିଙ୍କ୍ ଫାର୍ମରୁ ମଣିଷ ଶରୀରକୁ ନୂଆ ଭାଇରସ ସଂକ୍ରମଣ ହେଉଥିବା ଜଣାପଡ଼ିବା ପରେ ବ୍ରିଟେନ୍‌କୁ‌ ଡେନ୍‌ମାର୍କରୁ ଆସୁଥିବା ସମସ୍ତ ନାଗରିକଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛି। ଅର୍ଥାତ୍ ଡେନମାର୍କ ଲୋକଙ୍କୁ ଏବେ ବ୍ରିଟେନ୍ ଯିବା ମନା। 

ତେବେ ବୈଜ୍ଞାନିକଙ୍କ କହିବା କଥା ହେଲା, ଭାଇରସ ଗୁଣସୂତ୍ରରେ ପରିବର୍ତ୍ତନ ଏକ ସାଧାରଣ କଥା। ପ୍ରାୟତଃ ଏହା ଏତେ କ୍ଷତିକାରକ ହୋଇନଥାଏ। ତେଣୁ ଏହି ନୂଆ ଭାଇରସଟି ମଣିଷ ଶରୀରରେ ଅଧିକ ଗୁରୁତର ରୋଗ ସୃଷ୍ଟି କରିବ ନାହିଁ ବୋଲି ବୈଜ୍ଞାନିକମାନେ କହିଛନ୍ତି।

କିନ୍ତୁ ଡେନ୍‌ମାର୍କ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା କରୋନା ଭ୍ୟାକ୍ସିନ୍‌କୁ ନେଇ। ଡେନମାର୍କ ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବା କଥା ହେଲା କ୍ଲଷ୍ଟର-୫ ନାମକ ଏହି ନୂଆ ଭାଇରସଟି ସାଧାରଣ କରୋନା ଭାଇସର ଠାରୁ ଅଲଗା। ସାଧାରଣ ଭାଇରସ ପରି ଆଣ୍ଟିବଡିକୁ ଏହା ମାନି ନପାରେ, ଏପରିକି ଟିକାର ପ୍ରଭାବ ଏହା ଉପରେ ପଡ଼ିବ କି ନାହିଁ ସେନେଇ ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଛନ୍ତି। 

ଏପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କହିବା କଥା ହେଲା, କ୍ଲଷ୍ଟର ୫ ଭ୍ୟାରିଆଣ୍ଟର ବାରମ୍ବାର ପରିବର୍ତ୍ତନ ଘଟିଛି, କିମ୍ବା ଏହି ପରିବର୍ତ୍ତନ ପୂର୍ବରୁ କେବେ ନଜରକୁ ଆସିନାହିଁ। ତେବେ ଭାଇରସର ଏହି ପ୍ରକାର ପରିବର୍ତ୍ତନର କ’ଣ ପ୍ରଭାବ ପଡ଼ିବ ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ ବୋଲି ହୁ କହିଛି। ତେବେ ପ୍ରାଥମିକ ପର୍ଯ୍ୟବେକ୍ଷଣରୁ ଜଣାପଡ଼ିଛି ଯେ, ସାର୍ସ କୋଭିଡ-୨ରେ ସଂକ୍ରମିତ ରୋଗୀମାନଙ୍କ ଲକ୍ଷଣ, ଗମ୍ଭୀରତା ଓ ସଂକ୍ରମଣ ପ୍ରାୟ ପାଖାପାଖି ରହୁଛି। ତାର ଚିହ୍ନଟ ଏବଂ ଚାର ଚିକିତ୍ସା ମଧ୍ୟ ପ୍ରାୟ ସମାନ ବୋଲି ଏକ ବିବୃତି ଜାରି କରି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ।

ତେବେ ମିଙ୍କ ଠାରୁ ସଂକ୍ରମିତ ହୋଇଥିବା ଏହି ନୂଆ ପ୍ରକାରର ଭାଇରସ ଟି ଶରୀର ଆଣ୍ଟିବଡିକୁ ଧୀରେଧୀରେ ପ୍ରଭାବ ହୀନ କରିଥାଏ ବୋଲି ହୁର ପ୍ରାଥମିକ ଗବେଷଣାରୁ ଜଣାପଡ଼ିଛି।। ତେଣୁ ଏହି ଗବେଷଣା ଉପରେ ଅଧିକ ଗବେଷଣା କରିବା ସହିତ ଏଥିପାଇଁ ଭ୍ୟାକ୍ସିନ୍‌ ବିକଶିତ କରିବା ପାଇଁ ହୁ ଆହ୍ୱାନ ଦେଇଛି। ଯଦିଓ ସାର୍ସ କୋଭିଡ୍-୨ ଭାଇରସ ବାଦୁଡ଼ିଠାରୁ ଆସିଥିବା କୁହାଯାଉଛି, ତେବେ ଏହା କାହାଦ୍ୱାରା ବ୍ୟାପୁଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହଁ ବୋଲି ହୁ କହିଛି।

ସୂଚନା ଥାଉକି, ଜୁନ ୨୦୨୦ ପରଠାରୁ ଡେନ୍‌ମାର୍କରେ ଆକ୍ରାନ୍ତ ହୋଇଥିବା ୨୧୪ ଜଣ କୋଭିଡ୍- ୧୯ ରୋଗୀଙ୍କ ଠାରେ ସାର୍ସ କୋଭିଡ-୨ ଭାଇରସ ଚିହ୍ନଟ ହୋଇଛି। ଏମାନେ ସମସ୍ତେ ମିଙ୍କ ଫାର୍ମରୁ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ତା ସହିତ୧୨ ଟି କେସ୍‌ରେ ସମ୍ପୂର୍ଣ୍ଣ ନୂଆ ଭାଇରସ ବା କ୍ଲଷ୍ଟର-୫ ଚିହ୍ନଟ ହୋଇଥିବା ଏହି ରିପୋର୍ଟରେ ପ୍ରକାଶ ପାଇଥିଲା।

ଆହୁରି ପଢ଼ନ୍ତୁ-

ଚୀନରୁ ଆସୁଛି ପୁଣି ଏକ ଭୟଙ୍କର ଭୂତାଣୁ; ଆକ୍ରାନ୍ତ ହେଲେଣି ୬ ହଜାରରୁ ଅଧିକ

You might also like