ଚୀନର ପଛଘୁଞ୍ଚା ପଛର ମାଷ୍ଟରମାଇଣ୍ଡ କିଏ?

ନୂଆଦିଲ୍ଲୀ: କାମ ଦେଲା ଭାରତର ଆକ୍ରମଣାତ୍ମକ ଆଭିମୁଖ୍ୟ। ସଫଳ କୂଟନୀତି ଓ ଘେରାବନ୍ଦୀ ଆଗରେ ହାର୍ ମାନିଲା ଡ୍ରାଗନ୍। ଶେଷରେ ଗଲୱାନ୍ ଘାଟିରେ ପଛକୁ ହଟିଛି ଚୀନ୍। ମାସେରୁ ଅଧିକ ସମୟ ଧରି ଲଦାଖ ସୀମାରେ ଉତ୍ତେଜନା ପରେ ଚୀନ୍‌ର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ) ପଛକୁ ହଟିଛି। ସୋମବାର ପିଏଲଏ ସୈନ୍ୟ ଭାରତ-ଚୀନ ସୀମାନ୍ତ ପୂର୍ବ ଲଦାଖର ଗଲୱାନ ଭ୍ୟାଲିର ପାଟ୍ରୋଲ ପଏଣ୍ଟ (ପିପି) ୧୪, ୧୫ ଏବଂ ୧୭-ଏ ଏବଂ ଗୋଗ୍ରା-ହଟସ୍ପ୍ରିଙ୍ଗ ଅଞ୍ଚଳରୁ ନିଜର ତମ୍ବୁ ଏବଂ ଅସ୍ଥାୟୀ ଢାଞ୍ଚା ହଟାଇବା ସହ LACର ୧ରୁ ୨ କିଲୋମିଟର ପଛକୁ ଘୁଞ୍ଚିଥିବା ଜଣାପଡିଛି।

ଚୀନର ଏହି ପଦକ୍ଷେପ ପରେ ଭାରତୀୟ ଯବାନମାନେ ମଧ୍ୟ ପଛକୁ ଫେରିଆସିଥିବା ଜଣାପଡିଛି। ଆଗକୁ ଯେପରି ସଂଘର୍ଷ ନହୁଏ, ସେଥିପାଇଁ ଉଭୟ ପକ୍ଷର ସେନା ମଧ୍ୟରେ ବଫର ଜୋନ୍ କରାଯାଇଛି। ତେବେ ହଠାତ୍ କାହିଁକି ଚୀନ୍ ସୈନ୍ୟ ପଛକୁ ହଟିଲେ। କୁହାଯାଉଛି ଯେ ଗତକାଲି ରାତିରେ ଏନଏସଏ ଅଜିତ୍ ଡୋଭାଲ୍ ଚୀନ୍ ବିଦେଶ ମନ୍ତ୍ରୀଙ୍କ ସହ କଥା ହେବା ପରେ ଏଥିପାଇଁ ସହମତି ପ୍ରକାଶ ପାଇଥିଲା। ତେଣୁ ଏହା ପଛରେ ଅଜିତ୍ ଡୋଭାଲଙ୍କ ନିର୍ଣ୍ଣାୟକ ଭୂମିକା ଥିବା କୁହାଯାଉଛି।

ଚୀନ୍ ସେନା ପଛକୁ ହଟିବା ପୂର୍ବରୁ ଗତକାଲି ରାତିରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ଏବଂ ଚୀନର ବିଦେଶ ମନ୍ତ୍ରୀ ୱାଙ୍ଗ ୟି’ଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଦୁହେଁ ଦୀର୍ଘ ୨ ଘଣ୍ଟା ଧରି ଭିଡିଓ କନଫରେନ୍ସିଂ ଜରିଆରେ କଥା ହୋଇଥିଲେ। ସୀମା ବିବାଦର ସମାଧାନ ଲାଗି ନିୟୋଜିତ ଏହି ଦୁଇ ସ୍ୱତନ୍ତ୍ର ପ୍ରତିନିଧି ଏହି ଆଲୋଚନାରେ ହିଁ ଉଭୟ ପକ୍ଷ ସୀମାରେ ଶାନ୍ତି ବଜାୟ ପାଇଁ ସହମତି ହୋଇଥିଲା। ସୀମାରେ ଦେଖାଦେଉଥିବା ମତଭେଦ ଯେଭଳି ବିବାଦର ରୂପ ନ ନେବ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ରାଜି ହୋଇଥିଲେ। ଏହାସହ ଦୁଇ ଦେଶର ସାମରିକ ଏବଂ ରାଜନୈତିକ ସ୍ତରରେ କଥାବାର୍ତ୍ତା ଜାରି ରଖିବାକୁ ଡୋଭାଲ୍ ଏବଂ ୱାଙ୍ଗ ସହମତି ହୋଇଥିଲେ।

ତେବେ ଭାରତର ସଫଳ କୂଟନୀତି ଏବଂ ଆକ୍ରମଣାତ୍ମକ ଆଭିମୁଖ୍ୟ ଆଗରେ ଚୀନ୍ ମୁଣ୍ଡ ନୁଆଁଇଥିବା ଚର୍ଚ୍ଚା ହେଉଛି। ଜୁନ୍ ୧୫ ତାରିଖରେ ହୋଇଥିବା ସଂଘର୍ଷ ଏବଂ ତା ପରବର୍ତ୍ତୀ ଘଟଣା ପରେ ଭାରତ ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିଲା। ମୁଖ୍ୟତଃ ଭାରତ ୫ଟି ଦିଗ ଉପରେ ଅଧିକ ଆକ୍ରମଣାତ୍ମକ ହୋଇଥିଲା।

ପ୍ରଥମତଃ, ସୀମାରେ ଅଧିକରୁ ଅଧିକ ସୈନ୍ୟ ଓ ଫାଇଟର୍ ଜେଟ୍ ମୁତୟନ। ଦ୍ୱିତୀୟତଃ, କୂଟନୈତିକ ସ୍ତରରେ ଭାରତ ଚଳାଇଥିଲା ରଣନୀତି। ତୃତୀୟତଃ, ସୀମା ପ୍ରସଙ୍ଗକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଆମେରିକା, ଫ୍ରାନ୍ସ, ଜାପାନ ଭଳି ଦେଶଠାରୁ ଖୋଲା ସମର୍ଥନ ପାଇବାରେ ସଫଳ ହୋଇଥିଲା। ଚତୁର୍ଥତଃ, ଖୋଦ୍ ପ୍ରଧାନମନ୍ତ୍ରୀ ଲଦାଖ୍ ଯିବା ଚୀନ୍ ପାଇଁ ଏକପ୍ରକାର ସିଧାସଳଖ ସଙ୍କେତ ଥିଲା।

ପଞ୍ଚମତଃ ମାଷ୍ଟର ଷ୍ଟ୍ରୋକ୍ ପାଲଟିଥିଲା ଡିଜିଟାଲ୍ ଷ୍ଟ୍ରାଇକ୍ ଏବଂ ଆର୍ଥିକ କଟକଣା ଚୀନ୍ କମ୍ପାନୀର ମୋବାଇଲ୍ ଆପ୍କୁ ବ୍ୟାନ୍ ସହ ଅନ୍ୟାନ୍ୟ ବାଣିଜ୍ୟିକ କଟକଣା ଜାରି କରି ବେଜିଂକୁ ଆର୍ଥିକ ସ୍ତରରେ ଦେଇଥିଲା ଶକ୍ତ ଝଟ୍‌କା। ଯାହା ଫଳରେ ଚୀନ୍ ପଛକୁ ହଟିବାକୁ ବାଧ୍ୟ ହେଲା ବୋଲି କୁହାଯାଉଛି। ଚୀନ୍ ସୈନ୍ୟ ଗଲୱାନ୍ ଉପତ୍ୟକାରୁ ଅସ୍ଥାୟୀ କ୍ୟାମ୍ପ ହଟାଇଥିଲେ ମଧ୍ୟ ଏବେବି ସେଠାରେ ଏହାର ବଡ଼ ସାମରିକ ଯାନ ପଛକୁ ହଟିନି। ଏହା ଉପରେ ଭାରତୀୟ ସେନା କଡ଼ା ନଜର ରଖିଛି।

You might also like