କରୋନା ସହ ଲଢିବାର କ୍ଷମତା ଭାରତର ରହିଛି-WHO

ଜେନେଭା: ବିଶ୍ୱର ୧୮୦ ଦେଶରେ ବ୍ୟାପିଛି କରୋନା। ଦେଢ କୋଟିରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୬ ଲକ୍ଷ ପାର କରିଗଲାଣି। ଚୀନର ଉହାନ ସହରରୁ ବ୍ୟାପିଥିବା ଏଇ କରୋନା ଭାଇରସ୍‌ର ପ୍ରକୋପ ଆମେରିକାରେ ସବୁଠାରୁ ବେଶି ଦେଖିବାକୁ ମିଳିଛି। ଏହା ପରେ ବ୍ରାଜିଲ ଏବଂ ଭାରତରେ ମଧ୍ୟ ଏହାର ପ୍ରକୋପ ଦେଖିବାକୁ ମିଳିଛି।  ଇତି ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପକ୍ଷରୁ ଏକ ତଥ୍ୟ ପ୍ରକାଶ ପାଇଛି ଯେଉଁଥିରେ କୁହାଯାଇଛି,କରୋନା ଭାଇରସ ସହ ଲଢିବା ପାଇଁ ଭାରତ,  ଆମେରିକା ଏବଂ ବ୍ରାଜିଲର କ୍ଷମତା ରହିଛି।

WHOର ପ୍ରମୁଖ ଡାକ୍ତର ମାଇକ୍‌ ରାୟନ ଜେନେଭାରେ ଏକ ପ୍ରେସ୍‌ ବ୍ରିଫିଙ୍ଗରେ କହିଛନ୍ତି, ଏହି ଗଣତନ୍ତ୍ର ଦେଶ (ଆମେରିକା, ବ୍ରାଜିଲ ଏବଂ ଭାରତ) ଶକ୍ତିଶାଳୀ ଏବଂ ସମର୍ଥ ଦେଶ। କରୋନା ସହ ଲଢିବା ପାଇଁ ଏମାନଙ୍କର ଇଚ୍ଛା ଶକ୍ତି ରହିଛି। ଏହି ଅନ୍ତନିର୍ହିତ ଶକ୍ତି ଯୋଗୁ ସେମାନେ ଖୁବ ସହଜରେ କରୋନାର ମୁକାବିଲା କରିପାରୁଛନ୍ତି।

ଗୁରୁବାର ଜାରି କରାଯାଇଥିବା ଏକ ରିପୋର୍ଟ ଅନୁସାରେ ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଲକ୍ଷ ପାର କରିଛି। ମୃତ୍ୟୁ ସଂଖ୍ୟା ୧, ୪୩, ୧୮୪ ଛୁଇଁଛି।  ମିଡିଆ ରିପୋର୍ଟ ଅନୁସାରେ ଏଠାରେ ପ୍ରତି ଘଣ୍ଟାରେ ଏକ ହଜାର ମାମଲା ସାମ୍ନାକୁ ଆସୁଛି ଯାହା ଅନ୍ୟ କୌଣସି ଦେଶରେ ନାହିଁ।

ସେହିପରି ବ୍ରାଜିଲରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା୨୨ ଲକ୍ଷ ପାର କରିଛି। ୮୨, ୭୭୧ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର୯୪୫ ଛୁଇଁଛି।  ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନାରେ ୩୦,୬୦୧ଜଣଙ୍କର ମୃତ୍ୟୁ ଘଟିଲାଣି।

ତେବେ ବର୍ତ୍ତମାନ ସୁଦ୍ଧା କରୋନା ମହାମାରୀରୁ  ୮, ୧୭, ୨୦୮ ଜଣ ଆରୋଗ୍ୟ ଲାଭ କରିଛନ୍ତି।

You might also like