ଆରୋଗ୍ୟ ସେତୁ ଆପ୍‌କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଶଂସା

ୱାଶିଂଟନ: କରୋନା ଭାଇରସ ବିରୋଧରେ ମୁକାବିଲା କରିବା ପାଇଁ ଭାରତ ପ୍ରସ୍ତୁତ ଆରୋଗ୍ୟ ସେତୁ ଆପ୍‌କୁ ପ୍ରଶଂସା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଆରୋଗ୍ୟ ସେତୁ ଆପ୍‌ ଦେଶର କରୋନା କ୍ଲଷ୍ଟର ଚିହ୍ନଟ କରିବାରେ ସାହାଯ୍ୟ କରୁଛି ବୋଲି ‘ହୁ’ର ନିର୍ଦ୍ଦେଶକ ଟେଡ୍ରୋସ ଆଧନୋମ ଗେବ୍ରିୟେସୁସ୍ କହିଛନ୍ତି।

ଆପ୍‌କୁ ପ୍ରଶଂସା କରି ସେ କହିଛନ୍ତି। “ ଆରୋଗ୍ୟ ସେତୁ ଆପ୍‌କୁ ୧୫୦ ମିଲିୟନ ୟୁଜର ଡାଉନ୍‌ଲୋଡ କରିସାରିଲେଣି। ଏହି ଆପ୍ ସିଟି ପବ୍ଲିକ ହେଲ୍‌ଥ ଡିପାର୍ଟମେଣ୍ଟକୁ କରୋନା କ୍ଲଷ୍ଟରଗୁଡ଼ିକ ଚିହ୍ନଟ କରିବାରେ ସାହାଯ୍ୟ କରୁଛି। ଯାହା ଫଳରେ କ୍ଲଷ୍ଟର ଏରିଆଗୁଡ଼ିକରେ ଲକ୍ଷ୍ୟର ସହିତ ଟେଷ୍ଟିଂ ସଂଖ୍ୟା ବଢ଼ାଯାଇପାରୁଛି ବୋଲି ଟେଡ୍ରୋସ କହିଛନ୍ତି।

ଏପ୍ରିଲ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଆପ୍‌କୁ ଲଞ୍ଚ କରିଥିଲେ। ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ଆରୋଗ୍ୟ ସେତୁ ଆପ୍‌କୁ ଡାଟା ସିକ୍ୟୁରିଟିକୁ ନେଇ ମିଶ୍ରିତ ଫଳ ମିଳିଥିଲା। ବିରୋଧୀଙ୍କ ଠାରୁ ଆରମ୍ଭ କରି ଟେକ୍ ଏକ୍ସପର୍ଟମାନେ ମଧ୍ୟ ଡାଟା ସୁରକ୍ଷା ନେଇ ପ୍ରଶ୍ନ ଉଠାଇଥିଲେ। ତେବେ ଏଥିରେ ତଥ୍ୟ କେବଳ ଭାରତ ସରକାରଙ୍କ ପାଖରେ ରହିବ, କାହା ସହିତ ଏହି ତଥ୍ୟ ଶେୟାର କରାଯିବ ନାହିଁ ବୋଲି ଆଶ୍ୱାସନା ଦେଇଥିଲେ କେନ୍ଦ୍ର ସରକାର। ଏସବୁ ସତ୍ତ୍ୱେ ଆରୋଗ୍ୟ ସେତୁ ଆପ୍‌କୁ ଲକ୍ଷ ଲକ୍ଷ ଲୋକ  ଡାଉନ୍‌ଲୋଡ କରିସାରିଲେଣି।

ଭାରତରେ ଆରୋଗ୍ୟ ସେତୁ ଆପ୍ ଲଞ୍ଚ ହେବା ପରେ ବିଶ୍ୱର ଅଧିକ ଡାଉନ୍‌ଲୋଡ ହୋଇଥିବା କୋଭିଡ୍-୧୯ଟ୍ରାକିଂ ଆପ୍‌ଗୁଡ଼ିକ ମଧ୍ୟରେ ଏହା ନମ୍ବରୱାନ ହୋଇପାରିଥିଲା। ଆଜି ସାମ୍ବାଦିକ ସମ୍ମିଳନୀରେ ‘ହୁ’ ନିର୍ଦ୍ଦେଶକ ଟେଡ୍ରୋସ ଆରୋଗ୍ୟ ସେତୁ ଆପ୍‌କୁ ପ୍ରଶଂସା କରିବା ସହିତ ଜର୍ମାନୀ ଓ ୟୁକେରେ ପ୍ରସ୍ତୁତ କୋଭିଡ-୧୯ ଟ୍ରାକିଂ ଆପ୍‌କୁ ପ୍ରଶଂସା କରିଥିଲେ।

ଆହୁରି ପଢ଼ନ୍ତୁ

You might also like