ଆମେରିକାରେ କୃଷ୍ଣକାୟ ନାଗରିକଙ୍କ ହତ୍ୟା ଘଟଣାରେ ପୋଲିସ ଅଫିସର ଦୋଷୀ ସାବ୍ୟସ୍ତ

ୱାଶିଂଟନ୍: ଆମେରିକାରେ କୃଷ୍ଣକାୟ ନାଗରିକ ଜର୍ଜ ଫ୍ଲଏଡଙ୍କ ହତ୍ୟା ଘଟଣାରେ ପୂର୍ବତନ ମିନେପଲିସ୍ ପୋଲିସ ଅଫିସର ଡେରେକ ଚୌଭିନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୪୫ବର୍ଷ ବୟସ୍କ ଡେରେକ ଚୌଭିନଙ୍କୁ ତିନିଟି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଆସନ୍ତାକାଲି ଦଣ୍ଡାଦେଶ ଘୋଷଣା କରାଯିବ। ସେପଟେ ଆମେରିକା ପୋଲିସ ଅଫିସର ଦୋଷୀ ସାବ୍ୟସ୍ତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍।

ସେ ଟ୍ବିଟ୍ କରିଛନ୍ତି, ଏହି ଶୁଣାଣି ପରେ ଜର୍ଜ ଆମ ନିକଟକୁ ଫେରି ଆସିବେ ନାହିଁ ଜର୍ଜ ମୃତ୍ୟୁ ପୂର୍ବରୁ କହିଥିବା ଉକ୍ତିକୁ ଅଣଦେଖା କରାଯିବ ନାହିଁ। କୌଣସି ପରିସ୍ଥିତିରେ ତାଙ୍କ ଉକ୍ତିକୁ ମରିବାକୁ ଦିଆଯିବନାହିଁ। ମୃତ୍ୟୁ ପୂର୍ବରୁ ସେ ଶ୍ୱାସ ନେବାରେ କଷ୍ଟ ହେଉଥିବା ବାରମ୍ବାର କହିଥିଲେ।

ମିନେପଲିସ ପୋଲିସ ଅଫିସର ଡେରେକ ଚୌଭିନ୍ ଜଣେ କୃଷ୍ଣକାୟ ନାଗିରିକ ଜର୍ଜ ଫ୍ଲଏଡଙ୍କ ବେକକୁ ଆଣ୍ଠୁରେ ଚାପି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏନେଇ ପୁରା ଆମେରିକାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।  ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇ ଫ୍ଲଏଡଙ୍କୁ ନ୍ୟାୟ ଦେବାକୁ ଦାବି କରିଥିଲେ।

You might also like