ନୂଆଦିଲ୍ଲୀ: କରୋନା ମହାମାରୀକୁ ନେଇ ଦେଶରେ ଏବେ ବି ଆତଙ୍କିତ ଅବସ୍ଥାରେ ଅଛନ୍ତି ଲୋକେ। ଆଉ ଏହାରି ମଧ୍ୟରେ ମହାମାରୀକୁ ନେଇ ରାଜନୀତି ବି ଜୋରସୋରରେ ଚାଲିଛି। ତେବେ ସୂଚନା ଅନୁସାରେ, ଏହାରି ମଧ୍ୟରେ ରାହୁଲ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି। ଆଜି କହିବାକୁ ଗଲେ ଟ୍ୱିଟ୍‌ର ୱାର ଦେଖିବାକୁ ମିଳିଥିଲା। ରାହୁଲ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ କି, ଭାରତ ସରକାରଙ୍କ ସବୁଠାରୁ ଦକ୍ଷ ମନ୍ତ୍ରଣାଳୟର ନାମ କ’ଣ? ଆଉ ପ୍ରଶ୍ନ ପଚାରିବା ପରେ ରାହୁଲ ନିଜେ ଏହାର ଉତ୍ତର ମଧ୍ୟ ଦେଇଛନ୍ତି। ଯାହାକୁ ନେଇ ସରଗରମ ହୋଇଛି ରାଜନୀତି। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, କେନ୍ଦ୍ର ସରକାର ଏକ ଗୁପ୍ତମନ୍ତ୍ରଣାଳୟ ରଖିଛି। ଯାହାକୁ କେବଳ ମିଛ କୁହେ ଏବଂ ମିଛ ସ୍ଲୋଗାନ ଦେଇ ଲୋକଙ୍କୁ ଭ୍ରମିତ କରେ। ଆଉ ଏହାକୁ କେମିତି ପ୍ରଚାର ଓ ପ୍ରସାର କରିହେବ ସେନେଇ କାମ କରୁଥିବା କଥା ରାହୁଲ କହିଛନ୍ତି।

ତେବେ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ରାହୁଲ ଗାନ୍ଧୀ ପ୍ରବଳ ସମାଲୋଚନା ମଧ୍ୟ କରିଥିଲେ। ସେ କହିଥିଲେ କି ଦେଶରେ ରୋଜଗାରଠୁ ଆରମ୍ଭ କରି ବେକାରୀ ସମସ୍ୟା ମଧ୍ୟ ବଢିବାରେ ଲାଗିଛି। ଆଉ ସରକାର ନିଜର ବିକାଶର ଡ଼ିଡିମ୍ବ ପିଟୁଛନ୍ତି ବୋଲି ରାହୁଲ କହିଥିଲେ। କେବଳ ଏତିକି ନୁହେଁ ବରଂ ଟିକାକୁ ନେଇ ମଧ୍ୟ କଂଗ୍ରେସ କେନ୍ଦ୍ର ଉପରେ ବର୍ଷିଛି। ଯେଉଁମାନେ ଅନଲାଇନ୍‌ରେ ପଞ୍ଜିକରଣ କରିପାରୁନାହାନ୍ତି ସେମାନଙ୍କୁ ମଧ୍ୟ ଟିକା ଦେବାକୁ ଦାବି କରିଛି କଂଗ୍ରେସ। ଗୋଟିଏ ପଟେ, ଅବକ୍ଷୟ ମୁଖୀ କଂଗ୍ରେସ ପାଇଁ ଚ୍ୟାଲେଞ୍ଜ ହୋଇଛି ସତ୍ତା ବଜାୟ ରଖିବା। ଦଳ ଦୀର୍ଘ ଦିନ ହେଲା କ୍ଷମତାରେ ନଥିବା ବେଳେ ଜଣଙ୍କ ପରେ ଜଣେ ଗାନ୍ଧୀ ପରିବାରର ବିଶ୍ୱସ୍ତ ହାତ ଛାଡିବାରେ ଲାଗିଛନ୍ତି।

ଉତ୍ତରପ୍ରଦେଶ ନିର୍ବାଚନକୁ ମାସ କେଇଟା ବାକି ଥିବା ବେଳେ ଟାଣୁଆ ନେତା ଜିତିନ୍ ପ୍ରସାଦ ବିଜେପିରେ ଯୋଗ ଦେବା ଦଳ ପାଇଁ ବଡ଼ ଝଟକା ହୋଇଛି। ସେ ଦଳ ଛାଡିବା ପରେ ପ୍ରିୟଙ୍କା ଗାନ୍ଧିଙ୍କ ମିଶନ ୟୁପିକୁ ବଡ଼ ଧକ୍କା ବୋଲି କୁହାଯାଉଛି। ତେବେ ଏପରି ଘଟଣାକୁ ଚାପିବା ଉଦ୍ଦେଶ୍ୟ ଅର୍ଥାତ୍‌ ନିଜର ଉପସ୍ଥିତ ଜାହିର କରିବାକୁ ରାହୁଲ ଏମିତି କହୁଥିବା ବିଜେପିର ଜଣେ ନେତା କହିଛନ୍ତି। କେବଳ ଏତିକି ନୁହେଁ ବରଂ ଆଗାମୀ ଦିନରେ ଲୋକମାନେ କଂଗ୍ରେସକୁ ମୂଳପୋଛ କରିଦେବେ ବୋଲି କହିବା ସହ କେନ୍ଦ୍ର ସରକାର ଲୋକଙ୍କୁ କେମିତି ସଠିକ୍‌ ସମୟରେ ଓ ସଠିକ୍‌ ଢଙ୍ଗରେ ଟିକା ଦିଆଯିବ ସେନେଇ କାମ କରୁଛନ୍ତି।  ଦେଶ କେଉଁ ଆଡ଼େ ଯାଉଛି ରାହୁଲ କିଛି ଜାଣନ୍ତି ନାହିଁ ତେଣୁ ସେ ବକ୍ତବ୍ୟ ଦିଅନ୍ତୁ ନାହିଁ ବୋଲି ସେ କହିଛନ୍ତି।

Other Stories