ପ୍ରତିଷ୍ଠା ଦିବସ ପୂର୍ବରୁ କାହିଁକି ବିଦେଶ ଗସ୍ତ କଲେ ରାହୁଲ ଗାନ୍ଧୀ?

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗଲେ କୁଆଡେ?

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗଲେ କୁଆଡେ?  କଂଗ୍ରେସ ପାର୍ଟି ପ୍ରତିଷ୍ଠା ଦିବସର ଗୋଟିଏ ଦିନ ପୂର୍ବରୁ ରାହୁଲ୍‌ ଗାନ୍ଧୀ ବିଦେଶ ଯାତ୍ରା କରିଛନ୍ତି। ତେବେ ଏନେଇ ସଠିକ ସୂଚନା ମିଳିପାରିନଥିବା ବେଳେ ଦଳର ଜାତୀୟ ମୁଖପାତ୍ର କହିଛନ୍ତି ଯେ,  ସ୍ୱଳ୍ପକାଳୀନ ବ୍ୟକ୍ତିଗତ ଗସ୍ତରେ ରାହୁଳ ଗାନ୍ଧୀ ବିଦେଶ ଯାତ୍ରା କରିଛନ୍ତି। ତେବେ ଏହି ଗସ୍ତରେ ରାହୁଲ କିଛିଦିନ ଲାଗି ବିଦେଶରେ ରହିବେ ବୋଲି ଜଣାଯାଇଛି। ରାହୁଲଙ୍କ ସମ୍ପର୍କରେ ସୂଚନା ଦେଇ ଦଳର ମୁଖପାତ୍ର ସୂର୍ଯେୱାଲ କହିଛନ୍ତି ଯେ, ଶ୍ରୀ ଗାନ୍ଧୀ ଏବେ ବିଦେଶ ଗସ୍ତରେ ଅଛନ୍ତି। କିଛିଦିନ ପାଇଁ ସେ ବିଦେଶରେ ହିଁ ରହିବେ କିନ୍ତୁ କେଉଁଠାକୁ ଯାଇଛନ୍ତି? କେବେ ଫେରିବେ ସେ ବାବଦରେ କୌଣସି ତଥ୍ୟ ମୁଖପାତ୍ର ସୂଚନା ଦେଇନାହାନ୍ତି।

କିନ୍ତୁ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ରାହୁଲ ଗାନ୍ଧୀ ଇଟାଲୀ ଗସ୍ତରେ ଯାଇଛନ୍ତି। ଇଟାଲୀର ମିଲାନରେ ରାହୁଲଙ୍କ ଆଇ ରହୁଛନ୍ତି। ତେଣୁ ତାଙ୍କୁ ଭେଟିବାକୁ ରାହୁଲ ଯାଇଥିବା ନେଇ ଚର୍ଚ୍ଚା ରହିଛି। ଏହାପୂର୍ବରୁ ଅନେକ ଥର ରାହୁଲ ଇଟାଲୀ ଗସ୍ତ କରିଛନ୍ତି।

ତେବେ କଂଗ୍ରେସ ପ୍ରତିଷ୍ଠା ଦିବସ ପୂର୍ବରୁ ରାହୁଲ କାହିଁକି ବିଦେଶ ଗସ୍ତ କଲେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡିଆରେ ରାହୁଲଙ୍କ ଗସ୍ତକୁ ନେଇ ବି ବେଶ ମତ ପ୍ରକାଶ ପାଉଛି। କେତେକ ଦାବି କରିଛନ୍ତି ଯେ, ରାହୁଲ ରାଜନୀତିକୁ ନେଇ ପ୍ରତିବଦ୍ଧ ନୁହନ୍ତି। ତେଣୁ ପ୍ରତିଷ୍ଠା ଦିବସ ପୂର୍ବରୁ ନୂଆବର୍ଷ ପାଳିବାକୁ ରାହୁଲ ବିଦେଶ ଗସ୍ତ କରିଛନ୍ତି।

ତେଣେ, ନୂଆ ଅଧ୍ୟକ୍ଷ ଚୟନ କରିବା ଲାଗି କଂଗ୍ରେସରେ ଅଭ୍ୟନ୍ତରୀଣ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ଏବଂ ପୁନର୍ବାର ଦଳର ମଙ୍ଗ ଧରିବାକୁ ରାହୁଳଙ୍କ ଉପରେ ଚାପ ପଡୁଛି। କିନ୍ତୁ ଗତକାଲି କୃଷକ ଆନ୍ଦୋଳନକୁ ନେଇ ରଣହୁଙ୍କାର ଦେଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ।

ଆଜି କଂଗ୍ରେସର ୧୩୬ତମ ସ୍ଥାପନା ଦିବସ ଅବସରରେ ଆକବର ରୋଡ୍‌ସ୍ଥିତ ଦଳର ମୁଖ୍ୟାଳୟରେ ଅନେକ ବରିଷ୍ଠ ନେତା ଏକାଠି ହୋଇଛନ୍ତି । ତେବେ ଏପରି ଏକ ଦିନରେ ରାହୁଲ ଉପସ୍ଥିତ ନରହିବାକୁ ନେଇ ଜୋରସୋରରେ ଚର୍ଚ୍ଚା ହେଉଛି। କେବଳ ଏତିକି ନୁହେଁ ବରଂ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ନିଜର ସ୍ୱାସ୍ଥ୍ୟଗତ କାରଣରୁ ବିଶେଷ ବାହାରକୁ ଆସୁନାହାନ୍ତି। କିନ୍ତୁ ରାହୁଲଙ୍କ ଗସ୍ତକୁ ନେଇ ଜୋରସୋରରେ ଚର୍ଚ୍ଚା ହେଉଛି।

Youtube ରେ ଦେଖନ୍ତୁ ଓଟିଭି ଲାଇଭ…

You might also like