କୁଆଡେ ଗଲେ ଆଲିବାବା ଗ୍ରୁପର ମାଲିକ?

ଚୀନ: କୁଆଡେ ଗଲେ ବିଶ୍ୱର ସବୁଠାରୁ ବଡ ଇ-କମର୍ସ କମ୍ପାନୀ ଆଲିବାବା ଏବଂ ଆଣ୍ଡ ଗ୍ରୁପର ମାଲିକ ଜ୍ୟାକ୍ ମା ? ପାଖାପାଖି ୨ ମାସ ହେବ ସେ ନିଖୋଜ ଥିବା ନେଇ ଜାତୀୟ ଗଣାମଧ୍ୟମରେ ଖବର ପ୍ରକାଶ ପାଇଛି। ଶହେ କି ଦୁଇ ଶହ ନୁହେଁ ବରଂ ହଜାର ହଜାର କୋଟି ଟଙ୍କାର କାରବାର କରୁଥିବା ଏଇ ବ୍ୟବସାୟୀ ଜଣକ ହଠାତ୍ କେଉଁ ଆଡେ ନିଖୋଜ ହୋଇଥିବା ଘଟଣାକୁ ନେଇ ଜୋରସୋରରେ ଚାଲିଛି ଚର୍ଚ୍ଚା। ତେବେ ସେ କେଉଁଆଡେ ଯାଇଛନ୍ତି ତାହାକୁ ନେଇ ବର୍ତ୍ତମାନ ସମୟରେ ଅନେକ ସନ୍ଦେହ ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁସାରେ, ଚାଇନା ରାଷ୍ଟ୍ରପତିଙ୍କ ସହ ତାଙ୍କର ମତାନ୍ତର ହେବା ପରେ ସେ ଜିନିପିଙ୍ଗଙ୍କ ଟାର୍ଗେଟରେ ଥିଲେ। ତେବେ ଏହାପରେ ସେ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମରେ ଦେଖାଯାଉନଥିବା ଜଣାଯାଇଛି। କହିବାକୁ ଗଲେ, ସେ ଜଣେ ଭଲ ବକ୍ତା ଭାବରେ ବେଶ ପରିଚିତ। ତେଣୁ ସ୍ଥାନୀୟ ଅଞ୍ଚଳରେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଉଦବୋଧନ ମଧ୍ୟ ଦେଇଥାଆନ୍ତି। ତାଙ୍କର ପ୍ରେରଣାଦାୟକ ଭାଷଣ ଓ ଜୀବନକୁ ସଠିକ୍ ମାର୍ଗରେ ପରିଚାଳିତ କରିବାର ବକ୍ତବ୍ୟ ପାଇଁ ସେ ଚୀନର ଯୁବକ ଗୋଷ୍ଠୀଙ୍କ ପାଖରେ ବେଶ ପ୍ରିୟ ।

କହିବାକୁ ଗଲେ, ଏହି ଭାଷଣ ପାଇଁ ଚୀନ ସରକାରଙ୍କ ଟାର୍ଗେଟରେ ରହିଥିଲେ ଜ୍ୟାକ୍। ତେବେ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ପ୍ରଶାସନ ତାଙ୍କୁ ଜାଣିଶୁଣି ହଇରାଣ କରୁଥିବା ମଧ୍ୟ ଚର୍ଚ୍ଚା ହେଉଥିଲା। ଏବେ ଜ୍ୟାକ୍ ମା ନିଖୋଜ ହେବା ଖବର ଆନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଉଛି । ଏହି ଖବର ପ୍ରକାଶିତ ହେବା ପରେ ଜ୍ୟାକ୍ ମାଙ୍କ ପ୍ରଶଂସକମାନେ ଚୀନ୍ ସରକାର ଉପରେ ସନ୍ଦେହ କରିବା ଆରମ୍ଭ କରିଛନ୍ତି।

ତେବେ କିଛିଦିନ ତଳେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ ପାଇଥିଲା। ଏଥରେ ଜୋଙ୍ଗ୍ ଶାନଶାନ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମାନ୍ୟତା ପାଇଥିଲେ । ଏହାପରେ ଏସିଆର ଶୀର୍ଷ ଧନୀ ବ୍ୟକ୍ତିଙ୍କ ଟ୍ୟାଗ ହରାଇଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଆଇଏଲ୍)ର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ । ଜୋଙ୍ଗ୍ ଶାନଶାନ ବର୍ତ୍ତମାନ କେବଳ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ନୁହଁନ୍ତି, ବରଂ ଆଲିବାବା ମୁଖ୍ୟ ଜ୍ୟାକ ମା’ଙ୍କୁ ମଧ୍ୟ ସେ ପଛରେ ପକାଇ ଦେଇଛନ୍ତି ।

ସାମ୍ବାଦିକତା, ଛତୁ ଚାଷ ଓ ସ୍ୱାସ୍ଥ୍ୟସେବା ଆଦିରୁ କ୍ୟାରିୟର ଆରମ୍ଭ କରିଥିବା ଏହି ସାଧାରଣ ମଣିଷ ଜଣକ ଆଜି ଏସିଆର ସବଠାରୁ ବିତ୍ତଶାଳୀ ବ୍ୟକ୍ତି ।

You might also like